ଧର୍ମେନ୍ଦ୍ରଙ୍କୁ ପ୍ରଂଶସା କଲେ, ବିରୋଧୀଙ୍କୁ ଜବାବ ଦେଲେ ସମ୍ବିତ

ଅର୍ଗସ ବ୍ୟୁରୋ : ନିଟ୍ ପରୀକ୍ଷା ସ୍ଵଚ୍ଛତାର ସହ ଶେଷ ହୋଇଛି । ଏନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି । ହେଲେ ବିରୋଧୀ ଏନେଇ କିନ୍ତୁ ହୀନ ରାଜନୀତି କରୁଛନ୍ତି । ଖାଲି ହୀନ ରାଜନୀତି କରୁଛନ୍ତି ତାହା ନୁହେଁ ବରଂ ଜାଣିଶୁଣି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ବିରୋଧୀଙ୍କ ଏମିତି ଆଭିମୁଖ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ପ୍ରସଙ୍ଗ ନଥିବାରୁ ବିଭ୍ରାନ୍ତକର ତଥ୍ୟ ଦେଇ ହଙ୍ଗାମା କରିବା ସତେ ଯେମିତି ବିରୋଧୀଙ୍କ ଅଭ୍ୟାସ ବୋଲି ଲୋକେ କହିଲେଣି । ହେଲେ ଏ ପ୍ରସଙ୍ଗରେ ଶାସକ ଦଳର ନେତା ତଥା ପୁରୀ ସାଂସଦ ବିରୋଧୀଙ୍କୁ ଯେଉଁପରି ଟାର୍ଗେଟ୍ କଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶଂସା କଲେ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।
ନିଟ୍-ୟୁଜି ପରୀକ୍ଷାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ପରୀକ୍ଷାରେ ସ୍କାମ ହୋଇଥିବା କଥା ବିରୋଧୀ ଅଭିଯୋଗ କରିଥିଲେ । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲା, ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ବି ଶୁଣାଣି ହେଲା । ଘଟଣାର ଶୁଣାଣି କରି, ସୁପ୍ରିମକୋର୍ଟ ରାୟ ବି ଶୁଣାଇଲେ । କୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, କୋର୍ଟଙ୍କ ରାୟ ସତ୍ୟର ବିଜୟ ହୋଇଛି । ଏହି ନିଷ୍ପତ୍ତି ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିବା ସହ ଲକ୍ଷଲକ୍ଷ କଠିନ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ ।
ମୋଦି ସରକାର ସମୟରେ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି । କେମିତି ସ୍ଵଚ୍ଛତାରେ ପ୍ରତିଟି ପରୀକ୍ଷା ହେବ ସେନେଇ ସବୁବେଳେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଠିକ୍ ସେହିପରି ନିଟ୍ ପରୀକ୍ଷା ବି ହୋଇଛି । ଏମିତିକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଦ୍ୟାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ ବଦ୍ଧ ପରିକର । ନିଟ୍ ପରୀକ୍ଷାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଗଠିତ କମିଟି ସମସ୍ତ ଦିଗରୁ ଘଟଣାକୁ ଅନୁଧ୍ୟାନ କରିବା ସହ ନିଜର କାମ ଜାରି ରଖିଛନ୍ତି । ସିବିଆଇ ମଧ୍ୟ ନିଜର କାମ ଜାରି ରଖିଛି । ଯଦି ଘଟଣାରେ କାହାର ଦୋଷ କିମ୍ବା ତ୍ରୁଟି ପରିଲକ୍ଷିତ ହୋଇଛି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଗତ କିଛିଦିନ ହେଲାଣି ଦେଶରେ ନିଟ୍ ପରୀକ୍ଷାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏ ପ୍ରସଙ୍ଗ ଉଠାଇଥିଲେ । ହେଲେ ଗତକାଲି ଏନେଇ ସମ୍ବିତ ଯେଉଁପରି ଭାବରେ ଗୃହରେ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।