'ଛବି ମଳିନ କରିବାକୁ ମୋ ବିରୋଧରେ କରାଯାଇଛି ବଡ଼ ଷଡଯନ୍ତ୍ର'

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ଜବତ ବିବାଦର ରିପୋର୍ଟକୁ ସୁପ୍ରିମକୋର୍ଟ ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟକୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଦାଖଲ କରିଥିଲେ । ଏଥିସହ ଘଟଣାସ୍ଥଳରୁ ଜବତ ପୋଡା ଟଙ୍କାର ଫଟୋ ଓ ଭିଡିଓକୁ ମଧ୍ୟ ସାର୍ବଜନୀନ କରାଯାଇଛି । ପ୍ରାଥମିକ ତଦନ୍ତ ପରେ ଘଟଣାର ଅଧିକ ତଦନ୍ତ ପାଇଁ ଆବଶ୍ୟକ ଥିବା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରିପୋର୍ଟ ଦେଇଛନ୍ତି ।
ଏ ପ୍ରସଙ୍ଗରେ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ପ୍ରତିକ୍ରିୟାକୁ ମଧ୍ୟ ସାର୍ବଜନୀନ କରାଯାଇଛି । ତାଙ୍କ ଘରୁ ବିପୁଳ ଟଙ୍କା ଜବତ ଘଟଣାକୁ ସେ ଖଣ୍ଡନ କରିଛନ୍ତି । ଭାବମୂର୍ତ୍ତିକୁ ମଳିନ କରିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ସେ କିମ୍ବା ତାଙ୍କର ପରିବାର ସଦସ୍ୟଙ୍କ ପକ୍ଷରୁ କୌଣସି ଟଙ୍କା ଷ୍ଟୋର ରୁମରେ ରଖାଯାଇ ନଥିଲା । ଯେଉଁ ରୁମରେ ନିଆଁ ଲାଗିଥିଲା ଓ ଟଙ୍କା ଜବତ ହୋଇଥିବା ଅଭିଯୋଗ ହୋଇଛି ତାହା ଆଉଟ୍ ହାଉସ୍ ଥିଲା । ସେଥିରେ ଜଷ୍ଟିସ ଜଶବନ୍ତ ବର୍ମା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ରହୁ ନଥିଲେ ।
ଅନ୍ୟପଟେ ଜଜ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ତନାଘନା ଜୋରଦାର୍ ଚାଲିଛି । ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । କମିଟିରେ ଅଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି । ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ସାମିଲ୍ । କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କୁ ମଧ୍ୟ କମିଟିରେ ସ୍ଥାନ ଦିଆଯାଇଛି । କୌଣସି ନ୍ୟାୟିକ କାର୍ଯ୍ୟ ନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ଘରୁ ମିଳିଥିଲା ୧୫ କୋଟି ଟଙ୍କା । ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇଥିବା ବେଳେ ଏହି ଟଙ୍କା ଜବତ ହୋଇଥିଲା । ତେବେ ଏହି ମାମଲାକୁ ନେଇ ବଢୁଛି ବିବାଦ ।
ତେବେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ଏବଂ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଏହି ମାମଲାର ସ୍ପଷ୍ଟତା ଦାବି କରିଛନ୍ତି । ନିଆଁ ଲାଗିବାର ଖବର ଅଗ୍ନିଶମ ବିଭାଗକୁ କିଏ ଦେଇଥିଲା । ଅଗ୍ନିକାଣ୍ଡ ବିଷୟରେ କିଏ ରିପୋର୍ଟ କରିଥିଲେ ? ଅଗ୍ନିଶମ ବିଭାଗ କେବେ ପହଞ୍ଚିଥିଲା । ଏଭଳି ବିଭିନ୍ନ ପ୍ରଶ୍ନର ସ୍ପଷ୍ଟତା ଜରୁରୀ ବୋଲି ସେ କହିଛନ୍ତି ।