ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଓ ଜାମ୍ମୁର କୋଟ୍ ବାଲଓ୍ବାଲ ଜେଲରେ ବଢ଼ିଲା ସୁରକ୍ଷା

PoK ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଜାରି ହୋଇଛି ହାଇ ଆଲର୍ଟ । ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ପାକ୍ ଅଧିକୃତ କାଶ୍ମୀର ସୀମାରେ ପହଞ୍ଚି ସ୍ଥିତି ପରଖିଛି ଅର୍ଗସ୍ ଟିମ୍ । ପହଲଗାମ ହାମଲା ପରେ ଭରତର ବଡ଼ କୁଟନୈତିକ ଆକ୍ସନରେ ବିଚଳିତ ପାକିସ୍ତାନୀ ସେନା । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ସହ ଭାରତରେ ଅନୁପ୍ରବେଶ କରି ଅଶାନ୍ତି ବଢ଼ାଇବାକୁ ଚକ୍ରାନ୍ତ କରୁଛି । ପ୍ରାୟ ୧୦ କିମି ଜଙ୍ଗଲ ଓ ପାହାଡ଼ ରାସ୍ତାରେ ଯିବା ପରେ ଆମେ ପହଞ୍ଚିଲୁ ସୀମାବର୍ତ୍ତୀ କୁପୱାଡାର ମତଛଲ ଗାଁରେ । ଏହି ଗାଁ ପରଠାରୁ ଆରମ୍ଭ ହୁଏ ପାକ୍ ଅଧିକୃତ କାଶ୍ମୀର । ଅଧିକାଂଶ ସମୟରେ ଏହି ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରନ୍ତି ଆତଙ୍କୀ। ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାରେ ଏବେ ସୁଦ୍ଧା ଶତାଧିକ ସନ୍ଦିଗ୍ଧ ଓ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଜାତୀୟ ତଦନ୍ତକାରୀ ଏଜେନ୍ସି - NIA. ଏମିତି ସମୟରେ ଶ୍ରୀନଗର ସେଣ୍ଟ୍ରାଲ ଜେଲ୍, ଜାମ୍ମୁର କୋଟ୍ ବାଲଓ୍ବାଲ ଜେଲରେ ଆତଙ୍କୀ ଆକ୍ରମଣ ସମ୍ଭାବନା ଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କାରଣ ଏହି ଜେଲରେ ଅଛନ୍ତି ବହୁ କୁଖ୍ୟାତ ଆତଙ୍କବାଦୀ ।
ସେପଟେ ପାକିସ୍ତାନ ସାମଗ୍ରୀ ଉପରେ ଭାରତର କଟକଣା ପରେ ନୂଆ ଫନ୍ଦି କରୁଛି ପାକିସ୍ତାନ । ଚୀନ, ବାଂଲାଦେଶକୁ ମାଧ୍ୟମ କରି ଭାରତକୁ ପଶିବାକୁ ଉଦ୍ୟମ କରୁଛି ପାକିସ୍ତାନ। ପାକିସ୍ତାନର ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ଅନ୍ୟପଟେ ମୋଦି ସରକାରଙ୍କ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ସନ। ସିନ୍ଧୁ ଜଳ ସନ୍ଧି ବାତିଲ, ବାଣିଜ୍ୟିକ ସମ୍ପର୍କ ଛିନ୍ନ ସହ ଅଟାରୀ ୱାଘା ସୀମା ସିଲ କରି ପାକିସ୍ତାନକୁ ଶକ୍ତ ଧକ୍କା ଦେଇଛନ୍ତି ଭାରତ ସରକାର । ୟା ଭିତରେ ରବିବାରଠାରୁ ଚେନାବ ନଦୀର ଜଳ ଅଟକାଇଛି ଭାରତ। ଭାରତର ବାଗଲିହାର ଡ୍ୟାମ ଦେଇ ଚେନାବ ନଦୀର ପାଣି ବନ୍ଦ ହେବା ପରେ ପାକିସ୍ତାନକୁ ଲାଗିଛି ବଡ଼ ଧକ୍କା । ଖୁବଶୀଘ୍ର ଝେଲମର ଶାଖା ନଦୀ ନୀଲମ ନଦୀରେ ଥିବା କିଶନଗଙ୍ଗା ଡ୍ୟାମରୁ ବି ପାକିସ୍ତାନକୁ ଜଳ ବନ୍ଦ ହେବାକୁ ଯାଉଛି । ସେପଟେ ପାକ୍ ବିରୋଧୀ ଅପରେସନ ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପିଏମ୍ ମୋଦି। ବାରମ୍ବାର ସେନାମୁଖ୍ୟଙ୍କୁ ଭେଟି ବଡ଼ ଧରଣର ଆଟାକ ହେବାକୁ ଯାଉଥିବା ସଂକେତ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
