Diamond Necklace / ସୁରକ୍ଷା ଭାଙ୍ଗି ୩୮ କୋଟିର ରାଜକୀୟ ହୀରା ହାର ଗାଏବ

Key Points
ରାଜକୀୟ ହୀରା ହାର ଗାଏବ ଭିଏନାରେ ବଡ଼ ଚୋରି ।
୬୭୩ ହୀରା ଥିଲା... ହାର ନେଇ ଫେରାର ଚୋର !
ସୁରକ୍ଷା ଭାଙ୍ଗି ଲୁଟ୍ ୩୮ କୋଟିର ରାଜକୀୟ ହାର ଚୋରି ।
ଭିଏନାର ମ୍ୟୁଜିୟମ୍ରୁ ଚୋରି ହୋଇଗଲା ରାଜକୀୟ ଇତିହାସର ମୂଲ୍ୟବାନ ହୀରା ହାର । ୬୭୩ଟି ହୀରା ଜଡ଼ିତ ଏହି ହାରର ମୂଲ୍ୟ ପ୍ରାୟ ୩୮ କୋଟି ଟଙ୍କା । ସାଧାରଣ ପର୍ଯ୍ୟଟକ ଭାବେ ମ୍ୟୁଜିୟମରେ ପଶିଥିବା ଦୁଇ ଦୁର୍ବୃତ୍ତ ସୁରକ୍ଷା କାଚ ଭାଙ୍ଗି ହାରଟି ଲୁଟି ନେଇ ଫେରାର ହୋଇଛନ୍ତି । ଘଟଣା ପରେ ଭିଏନା ପୋଲିସ୍ର ତନାଘନା ଆରମ୍ଭ ହୋଇଥିବା ବେଳେ ଇଣ୍ଟରପୋଲ୍ ଡାଟାବେସ୍ରେ ମଧ୍ୟ ହାରର ବିବରଣୀ ସାମିଲ କରାଯାଇଛି ।
ଅଷ୍ଟ୍ରିଆର ରାଜଧାନୀ ଭିଏନାର ମ୍ୟୁଜିୟମ୍ ଅଫ୍ ଆପ୍ଲାଏଡ୍ ଆର୍ଟସ୍ (MAK)ରୁ ଚୋରି ହୋଇଛି ଏକ ଦାମୀ ରାଜକୀୟ ହାର । ୨୦୦ କ୍ୟାରେଟ୍ରୁ ଅଧିକ ଓଜନର ଏହି ହାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ମିଲିୟନ୍ ଡଲାର, ଅର୍ଥାତ୍ ପ୍ରାୟ ୩୭ କୋଟି ୯୪ ଲକ୍ଷ ଟଙ୍କା । ହାରରେ ୬୭୩ଟି ହୀରା ଲାଗିଥିବା ବେଳେ ଏହାର ଇତିହାସ ପ୍ରାୟ ୯୫ ବର୍ଷ ପୁରୁଣା ।
ଘଟଣାଟି ଅଗଷ୍ଟ ୨୭ ତାରିଖ ଦିନ ପ୍ରାୟ ୨ଟା ସମୟରେ ଘଟିଥିଲା । ଦୁଇଜଣ ଚୋର ସାଧାରଣ ପର୍ଯ୍ୟଟକ ଭାବେ ଟିକେଟ୍ କିଣି ମ୍ୟୁଜିୟମରେ ପ୍ରବେଶ କରିଥିଲେ । ସେମାନେ ‘ଗ୍ଲାଞ୍ଜଷ୍ଟୁକେ: ଭାନ୍ କ୍ଲିଫ୍ ଆଣ୍ଡ ଆର୍ପେଲ୍ସ ହାଇ ଜ୍ୱେଲେରୀ’ ପ୍ରଦର୍ଶନୀ ଦେଖୁଥିବା ବେଳେ ହୀରା ଜଡ଼ିତ ପ୍ଲାଟିନମ୍ ହାର ଥିବା ଡିସ୍ପ୍ଲେ କେସ୍ ନିକଟକୁ ଯାଇଥିଲେ।
ଜଣେ ଚୋର ହାତରେ ଅସ୍ତ୍ର ଧରିଥିବା ବେଳେ ଅନ୍ୟଜଣ ହାତୁଡ଼ିରେ ସୁରକ୍ଷିତ କାଚ ଭାଙ୍ଗିଥିଲେ । କାଚ ଭାଙ୍ଗିବା ସହ ଆଲାର୍ମ ବାଜିଥିଲା । ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଦୌଡ଼ି ଆସିବା ବେଳକୁ ଚୋରମାନେ ହାର ନେଇ ପାଦରେ ଷ୍ଟାଡ୍ପାର୍କ ଦିଗକୁ ଫେରାର ହୋଇଯାଇଥିଲେ । ସେମାନେ ଅନ୍ୟ କୌଣସି ଗହଣାକୁ ଛୁଇଁନଥିବା ଜଣାପଡ଼ିଛି ।
ଘଟଣା ପରେ ଭିଏନା ପୋଲିସ୍ ତଦନ୍ତ ଆରମ୍ଭ କରିଛି। CCTV ଫୁଟେଜ୍ ଯାଞ୍ଚ ସହ ଫରେନସିକ୍ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ସଂଗ୍ରହ କରାଯାଇଛି । ଚୋରମାନଙ୍କୁ ଧରିବା ପାଇଁ ସହରରେ ସନ୍ଧାନୀ କୁକୁର ସହ ଅଭିଯାନ ଚାଲିଛି । ଚୋରି ହୋଇଥିବା ହାରର ବିବରଣୀ ଇଣ୍ଟରପୋଲ୍ର ଚୋରି ହୋଇଥିବା କଳାକୃତି ଡାଟାବେସ୍ରେ ମଧ୍ୟ ସାମିଲ କରାଯାଇଛି ।
ଏହି ହାର ୧୯୩୮-୩୯ ମସିହାରେ ମିଶରର ରାଣୀ ନାଜଲିଙ୍କ ପାଇଁ ତିଆରି ହୋଇଥିଲା । ୧୯୩୯ରେ ଝିଅ ରାଜକୁମାରୀ ଫୌଜିଆଙ୍କ ବିବାହ ସମୟରେ ରାଣୀ ଏହା ପିନ୍ଧିଥିଲେ । ୨୦୧୫ରେ ନ୍ୟୁୟର୍କର ସୋଥେବିଜ୍ ନିଲାମରେ ଏହା ପ୍ରାୟ ୪୩ ଲକ୍ଷ ଡଲାରରେ ବିକ୍ରି ହୋଇଥିଲା ।
ହାର ଚୋରି ପରେ ଭାନ୍ କ୍ଲିଫ୍ ଆଣ୍ଡ ଆର୍ପେଲ୍ସର ଚାଲିଥିବା ବିଶେଷ ପ୍ରଦର୍ଶନୀକୁ ବନ୍ଦ କରାଯାଇଛି । ଡିସ୍ପ୍ଲେ ସ୍ଥାନକୁ ନୀଳ ପ୍ୟାନେଲ୍ରେ ଢାଙ୍କି ଦିଆଯାଇଥିବା ବେଳେ ମ୍ୟୁଜିୟମରେ ସାଧାରଣ ଲୋକଙ୍କ ପ୍ରବେଶ ମଧ୍ୟ ବନ୍ଦ ରହିଛି । THUM IN ODAI
📱 Get Argus News App
✨Related Topics
Explore more stories