Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁରକ୍ଷା ବାହିନୀଙ୍କ ଶଣ୍ଢୁଆସୀ ଆକ୍ରମଣ, ୨୦୨୬ ବେଳକୁ ଆଉ ନଥିବେ ମାଓବାଦୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସୁରକ୍ଷା ବାହିନୀଙ୍କ ଶଣ୍ଢୁଆସୀ ଆକ୍ରମଣ, ୨୦୨୬ ବେଳକୁ ଆଉ ନଥିବେ ମାଓବାଦୀ

ସୁରକ୍ଷା ବାହିନୀଙ୍କ ଶଣ୍ଢୁଆସୀ ଆକ୍ରମଣ ପରେ ବ୍ୟାକଫୁଟରେ ମାଓବାଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ରଣ ହୁଙ୍କାର, ମାଓବାଦ୍ ମୂଳୋତ୍ପାଟନ ପାଇଁ ଡେଡ୍ ଲାଇନ୍ ଘୋଷଣା ପରେ ନକ୍ସଲବାଦ ବିରୋଧରେ ଚାଲିଛି ନିର୍ଣ୍ଣାୟକ ଲଢ଼େଇ। ସୁରକ୍ଷା ବାହିନୀଙ୍କ ଘନ ଘନ ଆକ୍ରମଣ ଫଳରେ ଏବେ ବ୍ୟାକଫୁଟରେ ମାଓ ସଂଗଠନ ।

ଶାନ୍ତି ଆଲୋଚନା ପାଇଁ ମାଓବାଦୀ ସେଣ୍ଟ୍ରାଲ୍ କମିଟି ଚିଠି ଲେଖିଥିବା ବେଳେ ଆତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି। ଆଉ ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଗତ ୩ ମାସ ଭିତରେ ୧୩୦ରୁ ଅଧିକ ମାଓବାଦୀ ହେଲେଣି ନିପାତ । ଶାହଙ୍କ ଟାର୍ଗେଟ୍, ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ହେବ ଭାରତ ।

ମାଓବାଦର ମୂଳୋତ୍ପାଟନ ପାଇଁ ଅମିତ୍ ଶାହଙ୍କ ହୁଙ୍କାର ପରେ ଜୋରଦାର ହୋଇଛି ମାଓ ବିରୋଧୀ ଅପରେସନ୍। ଏହା ଭାଙ୍ଗିଯାଇଛି ମାଓ ସଂଗଠନର ମେରୁଦଣ୍ଡ । ବହୁ କୁଖ୍ୟାତ ହାର୍ଡକୋର ମାଓବାଦୀ ଏହି ଅପରେସନରେ ସଫା ହୋଇସାରିଥିବା ବେଳେ ବାକିମାନେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି।

ସୁରକ୍ଷାକର୍ମୀଙ୍କ ସହ ଲଢିବାକୁ ନା ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଗୋଳବାରୁଦ ଅଛି ନା ଅଛି ଅର୍ଥ ବଳ କିମ୍ବା ମନୋବଳ। ଏଭଳି ସ୍ଥିତିରେ ଅତ୍ମସମର୍ପଣ ପାଇଁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ପୋଲିସ ଡିଜି ୱାଇ. ବି ଖୁରାନିଆ। ସମ୍ବଲପୁର ଗସ୍ତ ଅବସରରେର ଡିଜିପି କହିଛନ୍ତି ଏବେ ସମୟ ଆସିଛି ମାଓବାଦୀ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ଏବଂ ସରାକରଙ୍କ ସରେଣ୍ଡର ପଲିସିର ଲାଭ ଉଠାନ୍ତୁ।

ମାଓ ସଂଗଠନ କେମିତି ଦୁର୍ବଳ ହୋଇପଡ଼ିଛି ତାର ପ୍ରମାଣ ହେଉଛି ଏକ ଚିଠି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଛତିଶଗଡ଼ ବସ୍ତର ଗସ୍ତ ପୂର୍ବରୁ ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ଏକ ପ୍ରେସ୍ ନୋଟ୍ ଜାରି କରି ଶାନ୍ତି ପାଇଁ ଅପିଲ୍ କରିଛି ମାଓ ସଂଗଠନ। ମାଓବାଦୀ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟଙ୍କ ଦସ୍ତଖତରେ ତେଲୁଗୁ ଭାଷାରେ ଜାରି ଏହି ପ୍ରେସ୍ ନୋଟରେ ଲେଖାଯାଇଛି ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ ।

ଶାନ୍ତି ଆଲୋଚନାକୁ ସମର୍ଥନ କରିବାକୁ ଅପିଲ୍ କରାଯାଇଛି । ମାଓ ସଂଗଠନ ସର୍ତ୍ତ ରଖିଛି, ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ କରାଯାଉ। ସାମରିକ କାର୍ଯ୍ୟାନୁଷ୍ଠାନ ବି ବନ୍ଦ କରାଯାଉ । ପୂର୍ବରୁ ମଧ୍ୟ ମାଓ ସଂଗଠନ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥିବା ଏଥିରେ ଉଲ୍ଲେଖ ଅଛି।

ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ରଖିଥିବା ତଥ୍ୟ ଅନୁଯାୟୀ। ଗତ ବର୍ଷକ ଭିତରେ ୪୦୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି। ୧୧୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୫୭ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ସୁରକ୍ଷାକର୍ମୀଙ୍କ ଉପରେ ୫୩ ପ୍ରତିଶତ ଆକ୍ରମଣ ହ୍ରାସ ପାଇଛି । ୫ ବର୍ଷରେ ଶତାଧିକ ସୁରକ୍ଷା କ୍ୟାମ୍ପ୍ ପ୍ରତିଷ୍ଠା କରାଯାଇଛି । ନକ୍ସଲଙ୍କୁ ଅର୍ଥ ଯୋଗାଉଥିବା ଅସାମାଜିକଙ୍କୁ ଜେଲ୍ ପଠାଯାଇଛି । ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକର ବିକାଶ କରାଯାଉଛି । ଏବେ ମାତ୍ର ଦେଶର ୧୨ଟି ଜିଲ୍ଲା ମାଓ ପ୍ରଭାବିତ ।

ଯେଉଁ ଭଳି ଭାବରେ ସୁରକ୍ଷାକର୍ମୀ ଅପରେସନ ଚଳାଇଛନ୍ତି ଆଉ ମାଓବାଦୀ ଯେଉଁଭଳି ଭାବରେ ଛତ୍ରଭଙ୍ଗ ଦେଉଛନ୍ତି ଲାଗୁଛି ୨୦୨୬ ମାର୍ଚ୍ଚ ପୂର୍ବରୁ ହିଁ ଦେଶରୁ ମୂଳପୋଛ ହୋଇଯାଇପାରେ ମାଓବାଦ । ଏହା ଯେତେଶୀଘ୍ର ଘଟିବ ଆଦିବାସୀ ବହୁଳ ଉପାନ୍ତ ଜିଲ୍ଲାଗୁଡ଼ିକ ବିକାଶର ମୁଖ୍ୟଧାରାରେ ସେତେଶୀଘ୍ର ଯୋଡ଼ି ହୋଇପାରିବ। କାରଣ ଏହି ମାଓବାଦୀମାନେ ହିଁ ଆଦିବାସୀ ଇଲାକାରେ ବିକାଶରେ ମୁଖ୍ୟ ବାଧକ ସାଜିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Security forces' deadly attack, Maoists will be gone by 2026 | Argus News