Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Niraj Singh / ଦିନେ ନିଜେ ବୁଲି ବୁଲି ଚାକିରି ଖୋଜୁଥିଲେ, ଏବେ ୨୦୦୦ ଲୋକଙ୍କୁ ରୋଜଗାର ଦେଇଛନ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଦିନେ ନିଜେ ବୁଲି ବୁଲି ଚାକିରି ଖୋଜୁଥିଲେ, ଏବେ ୨୦୦୦ ଲୋକଙ୍କୁ ରୋଜଗାର ଦେଇଛନ୍ତି

Key Points

ଏବେ ତାଙ୍କ କମ୍ପାନୀର ବାର୍ଷିକ କାରବାର ପ୍ରାୟ ୪୦୦ କୋଟି ଟଙ୍କା ବୋଲି କୁହାଯାଉଛି ।

ଖାଲି ସେତିକି ନୁହେଁ ଯେଉଁ ପିଲା ଦିନେ ନିଜେ କାମ ପାଇନଥିଲା, ସେ ଏବେ ୨୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି ।

ଦିଲ୍ଲୀରେ ସୁରକ୍ଷା କର୍ମୀ ଭାବରେ କ୍ୟାରିଅର ଆରମ୍ଭ କରିଥିବା ଜଣେ ବିହାରୀ ଶିଳ୍ପପତି ନୀରଜ ସିଂହ ଏବେ ₹୪୦୦ କୋଟି ଟଙ୍କାର ବ୍ୟବସାୟର ମାଲିକ। ୩୮ ବର୍ଷୀୟ ଏହି ଯୁବକ ଏବେ ନିଜ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସେ ଶିବହର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନ ସୂରଜ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ନୀରଜଙ୍କ ଯାତ୍ରା

ନୀରଜ ସିଂହ ବିହାର ଶିବହର ଜିଲ୍ଲାର ମଥୁରାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଏକ ସାଧାରଣ ପୃଷ୍ଠଭୂମିରୁ ଆସିଥିବା ନୀରଜ ୧୩ ବର୍ଷ ବୟସରେ ଦଶମ ଶ୍ରେଣୀ ପାସ୍ କରିଥିଲେ ଏବଂ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ କାମ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ସେ ନାବାଳକ ହୋଇଥିବା କାରଣରୁ କେହି ତାଙ୍କୁ ଚାକିରି ଦେଇନଥିଲେ। ତା'ପରେ ସେ ତାଙ୍କ ଗାଁରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରିବା ଆରମ୍ଭ କରିଥିଲେ।

ତିନି ବର୍ଷ ପରେ, ସେ ଚାକିରି ଖୋଜିବା ପାଇଁ ଦିଲ୍ଲୀ ଚାଲିଗଲେ । ସେଠାରେ ସେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କଲେ। ତାପରବର୍ଷ, ସେ ପୁନେ ଚାଲିଗଲେ ଏବଂ ଏକ ଘରୋଇ କମ୍ପାନୀରେ ଅଫିସ୍ ଆଟେଣ୍ଡାଣ୍ଟ ଭାବରେ କାମ କଲେ। ଧୀରେ ଧୀରେ, ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ, ସେ ଜଣେ HR ପ୍ରଫେସ୍‌ନାଲ ଭାବରେ ପାରିଚୟ ସୃଷ୍ଟି କଲେ ।

ନୀରଜ ନିଜର କମ୍ପାନୀ ପ୍ରତିଷ୍ଠା କଲେ

୨୦୧୦ ମସିହାରେ, ନୀରଜ ସିଂହ ନିଜର ଶସ୍ୟ ବ୍ୟବସାୟ ଆରମ୍ଭ କଲେ। ତା’ପରେ ସେ ଉଷା ଇଣ୍ଡଷ୍ଟ୍ରିଜ୍ ନାଁରେ ଏକ ସଂସ୍ଥା ଆରମ୍ଭ କଲେ । ଏହି ସଂସ୍ଥା ଇଟା, ବ୍ଲକ, ଟାଇଲ୍ସ ଏବଂ ଅନ୍ୟାନ୍ୟ ସେରାମିକ୍ ଉତ୍ପାଦ ତିଆରି କରେ। ଧୀରେ ଧୀରେ, ସେ ରାସ୍ତା ନିର୍ମାଣ ଏବଂ ପେଟ୍ରୋଲ ପମ୍ପ ବ୍ୟବସାୟରେ ମଧ୍ୟ ପ୍ରବେଶ କଲେ। ଏବେ ତାଙ୍କ କମ୍ପାନୀର ବାର୍ଷିକ କାରବାର ପ୍ରାୟ ୪୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ ଯେଉଁ ପିଲା ଦିନେ ନିଜେ କାମ ପାଇନଥିଲା, ସେ ଏବେ ୨୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି ।

ନୀରଜ ଏବେ ଚଢ଼ୁଛନ୍ତି ଅନେକ ବିଳାସପୂର୍ଣ୍ଣ କାର

ଦିନ ଥିଲା ନୀରଜଙ୍କ ପାଖରେ ସାଇକେଲ ଖଣ୍ଡିଏ ବି ନଥିଲା । ପଡ଼ୋଶୀଙ୍କଠାରୁ ମାଗି କାମ ଚଳାଉଥିଲେ। କିନ୍ତୁ ଏବେ ତାଙ୍କର ଏକ ରେଞ୍ଜ ରୋଭର ସମେତ ଅଧା ଡଜନ ଲକ୍ଜୁରୀ କାର ରହିଛି। ସେ ତାଙ୍କ ବାପା-ମା, ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ସହିତ ରୁହନ୍ତି । ଏହାସହ ସେ ପାଠ ପଢ଼ି ଲ' ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

ନୀରଜ ସିଂହ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ

ନୀରଜ ସିଂହ କେବଳ ବ୍ୟବସାୟରେ ସୀମିତ ନୁହଁନ୍ତି। ସେ ଗରିବ ପରିବାରର ଝିଅଙ୍କ ବିବାହ କରାଉଛନ୍ତି, ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ମଧ୍ୟ ଆୟୋଜନ କରୁଛନ୍ତି । ତାଙ୍କର ଏଭଳି ସାମାଜିକ କାର୍ଯ୍ୟକୁ ଦେଖି ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ତାଙ୍କୁ ଶିବହର ଆସନରୁ ପ୍ରାର୍ଥୀ କରିଛି। ସେ ଏବେ ବିହାର ନିର୍ବାଚନ ମଇଦାନରେ ନିଜର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Niraj Singh | Security Guard's Job To 400-Crore Empire: Bihar Poll Pick's Inspiring Tale | Argus News