ଭୋଜପୁରୀ ଗାୟିକା ନେହା ସିଂଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ଏପ୍ରିଲ ୨୨ ତାରିଖରେ ପହଲଗାମ ଆକ୍ରମଣ ହୋଇଥିଲା। ଏଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ସାରା ଦେଶ ଏନେଇ ସ୍ତବ୍ଧ। କଷ୍ଟ ସମସ୍ତଙ୍କୁ ଲାଗିଛି। କିନ୍ତୁ କିଛି ଲୋକ ଏହି ଘଟଣାକୁ ନେଇ ନିଜର କିଛି ଭ୍ୟୁ କରିବାପାଇଁ ଯାହା ନାହିଁ ତାହା ଭିଡିଓ କରି ଇନଷ୍ଟାରେ ପଠାଉଛନ୍ତି। ଭୋଜପୁରୀ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ଲକ୍ଷ୍ମୌର ହଜ୍ରତଗଞ୍ଜ ଥାନାରେ ଦେଶଦ୍ରୋହ ସମେତ ବିଭିନ୍ନ ଧାରାରେ ଏଫ୍ଆଇଆର୍ ରୁଜୁ ହୋଇଛି।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ନେହା ସୋସିଆଲ ମିଡିଆରେ ମୋଦି ସରକାରଙ୍କ ବିରୋଧରେ ଉତ୍ତେଜକ ପୋଷ୍ଟ କରିଥିଲେ। ନେହାଙ୍କ ଏହି ପୋଷ୍ଟ ଭାରତର ଏକତାକୁ କ୍ଷତି ପହଞ୍ଚାଉଥିବା ଦର୍ଶାଇ ତାଙ୍କ ବିରୋଧରେ ସ୍ଥାନୀୟ ନିବାସୀ ଅଭୟ ପ୍ରତାପ ସିଂ ରବିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୋଲିସ ନେହାଙ୍କ ବିରୋଧରେ ମାମଲା ରୁଜୁ କରିଛି। ନେହା କରିଥିବା ପୋଷ୍ଟକୁ ପାକିସ୍ତାନରେ ବ୍ୟାପକ ଶେୟାର କରାଯାଉଥିବାରୁ ନେହାଙ୍କ କାର୍ଯ୍ୟକୁ ଦେଶଦ୍ରୋହ କୁହାଯିବ ବୋଲି ଅଭୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।