ସପ୍ତାହ ଆରମ୍ଭରୁ ଖସିଲା ସେୟାର ମାର୍କେଟ; SENSEX ୭୦୦ ପଏଣ୍ଟ ହ୍ରାସ

ଅର୍ଗସ ବ୍ୟୁରୋ: ବଜେଟ୍ ପରେ ସପ୍ତାହର ପ୍ରଥମ ଦିନରେ ସେୟାର ବଜାରରେ ବଡ଼ ହ୍ରାସ ହୋଇଛି । ଉଭୟ ସେନସେକ୍ସ ଓ ନିଫ୍ଟି ଖସିଛି । ବିଏସ୍ଇ ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ ପାଇ ଖୋଲିଥିବା ବେଳେ ଏନଏସ୍ଇ ନିଫ୍ଟି ୨୦୦ ପଏଣ୍ଟ ଖସି କାରବାର କରୁଛି ।
ଶନିବାର କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଆଣିଥିଲେ । ଯେଉଁଥିରେ ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ ଉପରେ ଆୟକର ଛାଡ଼ ସହ ଆହୁରି ଅନେକ ବଡ଼ ଘୋଷଣା ହୋଇଥିଲା । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାରର ପ୍ରଭାବ ବୈଶ୍ଵିକ ବଜାର ଉପରେ ପଡ଼ିଛି । ଯାହାର ପ୍ରଭାବରେ ସପ୍ତାହ ଆରମ୍ଭରୁ ବଜାର ଖୋଲୁ ଖୋଲୁ ଧରାଶାୟୀ ହୋଇ ପଡ଼ିଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ବଜେଟ୍ ଦିନ ୭୭, ୫୦୫.୯୬ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୭୭, ୦୬୩.୯୪ ପଏଣ୍ଟରେ ଖୋଲିବା ପରେ ୭୦୦ ପଏଣ୍ଟ ହ୍ରାସ ପାଇ ୭୬, ୭୭୪.୦୫ ପଏଣ୍ଟକୁ ପଳାଇ ଆସିଥିଲା ।
📱 Get Argus News App
✨ସେହିଭଳି ନିଫ୍ଟି ମଧ୍ୟ ବଜାର ଖୋଲୁ ଖୋଲୁ ଖସିଥିଲା । ଏନ୍ଏସ୍ଇ ନିଫ୍ଟି ବଜେଟ୍ ଦିନ ୨୩, ୪୮୨.୧୫ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଆଜି ୨୩, ୩୧୯ ପଏଣ୍ଟରେ ଖୋଲିଥିଲା । କିଛି ମିନିଟ୍ରେ ୨୨୦ ପଏଣ୍ଟ ହ୍ରାସ ପାଇ ୨୩, ୨୩୯.୧୫ ପଏଣ୍ଟକୁ ଖସି ଆସିଥିଲା ।
ଟ୍ରମ୍ପଙ୍କ ଟାରିଫ୍, ବିଶ୍ଵ ବଜାରରେ ଝଡ଼
୨୦୨୫ ବଜେଟ୍ ଘୋଷଣା ପରେ ଅନୁମାନ କରା ଯାଉଥିଲା ସେୟାର ବଜାରରେ ଅଭିବୃଦ୍ଧି ଆସିବ । କିନ୍ତୁ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ବିଶ୍ଵ ବଜାରକୁ ଦୋହଲାଇ ଦେଇଛି । କାନାଡ଼ା, ମେକ୍ସିକୋ ଓ ଚୀନ ଉପରେ ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ଆମେରିକାର ଟାରିଫ୍ ୱାର ନିଷ୍ପତ୍ତି ପରେ ବିଶ୍ଵବ୍ୟାପୀ ସମସ୍ତ ବଜାରରେ ପ୍ରଭାବ ପଡ଼ିଛି ।
