ଦାଉଦ୍ ଇବ୍ରାହିମ୍ଙ୍କୁ କାହିଁକି ଭେଟିଥିଲେ ଶରଦ ପାୱାର ?

Key Points
- ଦାଉଦ୍ ଇବ୍ରାହିମ୍ଙ୍କୁ କାହିଁକି ଭେଟିଥିଲେ ଶରଦ ପାୱାର ?
- ଆତଙ୍କୀ ସହ ତାଙ୍କର କି ସମ୍ପର୍କ ?
- ଦୁବାଇରେ କି ଡିଲ୍ ହୋଇଥିଲା ?
ଅର୍ଗସ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ଶରଦ ପାୱାରଙ୍କ ଅଛି କି ସମ୍ପର୍କ ? କାହିଁକି ଦାଉଦକୁ ଭେଟିବାକୁ ଦୁବାଇ ଯାଇଥିଲେ ଶରଦ ? ମୁଖ୍ୟମନ୍ତ୍ରୀ ଥିବା ବେଳେ ଦୁବାଇ ଗସ୍ତକୁ ନେଇ ଏବେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବଞ୍ଚିତ ବହୁଜନ ଅଘାଡି (ଭିବିଏ) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର । ଆମ୍ବେଦକରଙ୍କ ଏମିତି ବୟାନ ପରେ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି ।
ଶରଦ ପାୱାରଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି ଆମ୍ବେଦକର । କହିଛନ୍ତି, ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମଙ୍କୁ ଭେଟିଥିଲେ ଶରଦ । ସିଏ ପୁଣି ମୁଖ୍ୟମନ୍ତ୍ରୀ ଥିବା ବେଳେ । ଏହାସହ କେବଳ ଅଭିଯୋଗ କରୁଛନ୍ତି ତାହା ନୁହେଁ ବରଂ ଏନେଇ ତଥ୍ୟ ବି ଉପସ୍ଥାନ କରିଛନ୍ତି । ଅଭିଯୋଗ ଅନୁସାରେ, ୧୯୮୮-୧୯୯୧ ମସିହାରେ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଥିଲେ । ସେହି ସମୟ ମଧ୍ୟରେ ଶରଦ ପାୱାର ଲଣ୍ଡନ ଯାଇଥିଲେ ଏବଂ ପରେ ଏକ ସଭା ପାଇଁ କାଲିଫର୍ଣ୍ଣିଆ ଯାଇଥିଲେ । ଏହାସହ ଦୁବାଇ ବି ଯାଇଥିଲେ ।
ପାୱାର ଯେବେ ମୁଖ୍ୟମନ୍ତ୍ରୀ ଥିଲେ ସେବେ କେନ୍ଦ୍ରରେ କଂଗ୍ରେସର ସରକାର ଥିଲା । ତେଣୁ ଗସ୍ତକୁ ନେଇ ସେତେବେଳର କେନ୍ଦ୍ର ସରକାର ଜାଣିଥିଲେ କି ନାହିଁ ପ୍ରଶ୍ନ କରିଛନ୍ତି ଆମ୍ବେଦକର । ଯଦି ଶରଦ ପାୱାର ଏବଂ ଦାଉଦ ଇବ୍ରାହିମଙ୍କ ବୈଠକ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇନଥିଲା, ତେବେ ମୁଖ୍ୟମନ୍ତ୍ରୀ ଭାବେ ସେହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା କି ନାହିଁ? ଏହାସହ ଏହି ବୈଠକରେ କେଉଁ କେଉଁ ଦଳର ସଂପୃକ୍ତ ଅଛି ସେନେଇ ଖୁଲାସା କରାଯାଉ ବୋଲି ସେ ଦାବି କରିଛନ୍ତି ।
ବାରମ୍ବାର ହତ୍ୟା ଧମକ ଆସିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ୱାଇ କ୍ୟାଟାଗୋରୀ ସୁରକ୍ଷା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏହା ପରେ ବି ବିଚ୍ ରାସ୍ତାରେ ତାଙ୍କୁ ଯେଉଁପରି ଭାବରେ ଗୁଳି କରାଗଲା ? ଜୀବନ ନିଆଗଲା ତାହା ସୁରକ୍ଷା ଉପରେ ବି ପ୍ରଶ୍ନଚିହ୍ନ ସୃଷ୍ଟି କଲାଣି । ଏହାରି ଭିତରେ ନେତାଙ୍କ ସହ ଅଣ୍ଡରୱାର୍ଲ୍ଡଙ୍କ ଲିଙ୍କକୁ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଅବଶ୍ୟ ଶରଦ ନାଁରେ ଆସିଥିବା ଅଭିଯୋଗ ନେଇ ସେ ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି କି ତାଙ୍କ ଦଳ ବି ପ୍ରତିକ୍ରିୟା ରଖିନି । ହେଲେ ଅଭିଯୋଗକୁ ନେଇ ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ଦାବି ଜୋର ଧରିଲାଣି ।