Videos
|
National

Divorce Order / 'ଶରିଆ କୋର୍ଟର ଆଦେଶ କାହାର ବିବାହକୁ ଭାଙ୍ଗିପାରିବ ନାହିଁ... ଛତିଶଗଡ଼ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Rashmita Mishra
Browse all articles by Rashmita Mishra
·26 mins ago·3 min read
'ଶରିଆ କୋର୍ଟର ଆଦେଶ କାହାର ବିବାହକୁ ଭାଙ୍ଗିପାରିବ ନାହିଁ... ଛତିଶଗଡ଼ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Divorce Order

Key Points

ଶରିଆ କୋର୍ଟକୁ ବଡ଼ ଝଟକା ଆଇନଗତ ମାନ୍ୟତା ନାହିଁ ।
‘ଶରିଆ କୋର୍ଟ’ ଉପରେ ହାଇକୋର୍ଟଙ୍କ ବଡ଼ ରାୟ ।
ତଲାକ ଦେଇପାରିବନି ‘ଶରିଆ କୋର୍ଟ’ ।
ବୈବାହିକ ସ୍ଥିତି ନିର୍ଦ୍ଧାରଣ କରିବ କେବଳ ସକ୍ଷମ ଅଦାଲତ । 

ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସମ୍ପର୍କିତ ଏକ ମାମଲାରେ ଛତିଶଗଡ଼ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୌଣସି ବେସରକାରୀ ଧାର୍ମିକ ସଂସ୍ଥା କିମ୍ବା ନିଜକୁ ‘ଶରିଆ କୋର୍ଟ’ ବୋଲି ପରିଚୟ ଦେଉଥିବା ସଂଗଠନର ଦେଶର ଆଇନ ଅନୁସାରେ ନ୍ୟାୟାଳୟର ମାନ୍ୟତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ହାଇକୋର୍ଟ କହିଛନ୍ତି, ଏଭଳି ବେସରକାରୀ ଧାର୍ମିକ ସଂସ୍ଥା କୌଣସି ମହିଳା କିମ୍ବା ପୁରୁଷଙ୍କ ବୈବାହିକ ସ୍ଥିତି ନିର୍ଦ୍ଧାରଣ କରିପାରିବ ନାହିଁ । ଏପରିକି ସେମାନଙ୍କ ଦ୍ୱାରା ଜାରି କୌଣସି ଆଦେଶ ମାଧ୍ୟମରେ ବିବାହ ବିଚ୍ଛେଦ ମଧ୍ୟ ଆଇନଗତ ଭାବେ ଘୋଷଣା କରାଯାଇପାରିବ ନାହିଁ ।

କ’ଣ ଥିଲା ମାମଲା ?
ଏହି ମାମଲା ରାୟପୁରର ଟିକରାପାରା ଅଞ୍ଚଳର ନିରୋଶ ଅବ୍ବାସୀଙ୍କ ସହ ଜଡ଼ିତ । ନିରୋଶଙ୍କ ପ୍ରଥମ ସ୍ୱାମୀଙ୍କ ୨୦୧୫ରେ ମୃତ୍ୟୁ ହୋଇଥିଲା । ଏହା ପରେ ୧୮ ଜୁଲାଇ ୨୦୨୦ରେ ତାଙ୍କ ବିବାହ ମହମ୍ମଦ ଆବିଦ ଖାନଙ୍କ ସହ ହୋଇଥିଲା । ବିବାହ ପରେ ପିଲାମାନଙ୍କୁ ନୂଆ ପରିବାରରେ ଖାପ ଖୁଆଇବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ବିବାଦ ବଢ଼ିବା ପରେ ସ୍ୱାମୀ ଓ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିବା ନିରୋଶ ଅଭିଯୋଗ କରିଥିଲେ । 

‘ୱାନ୍ ଷ୍ଟପ୍ ସଖୀ ସେଣ୍ଟର’ରେ କାଉନସେଲିଂ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା । ଏହା ପରେ ନିରୋଶ ୭ ଅକ୍ଟୋବର ୨୦୨୧ରେ SSPଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୧ ନଭେମ୍ବର ୨୦୨୧ରେ ରାୟପୁର ମହିଳା ଥାନାରେ ସ୍ୱାମୀ ଓ ଶାଶୁଘର ପରିବାର ବିରୋଧରେ IPC ଧାରା ୪୯୮-A ଏବଂ ୩୪ ଅନୁଯାୟୀ FIR ରୁଜୁ ହୋଇଥିଲା ।

ସ୍ୱାମୀଙ୍କ ଦାବି କ’ଣ ଥିଲା ?
ଅନ୍ୟପଟେ, ନିରୋଶଙ୍କ ସ୍ୱାମୀଙ୍କ ଦାବି ଥିଲା ଯେ ସେ ‘ତଲାକ-ଏ-ହସନ’ ପ୍ରକ୍ରିୟା ଅନୁସାରେ ତିନୋଟି ପର୍ଯ୍ୟାୟରେ ତାଙ୍କୁ ତଲାକ ଦେଇସାରିଛନ୍ତି । ତାଙ୍କ ଅନୁସାରେ ୩୧ ଅଗଷ୍ଟ, ୩୦ ସେପ୍ଟେମ୍ବର ଏବଂ ୩୦ ଅକ୍ଟୋବର ୨୦୨୧ରେ ଡିଜିଟାଲ ମାଧ୍ୟମରେ ତଲାକ ଦିଆଯାଇଥିଲା ।
ଏହା ପରେ ରାୟପୁରର ‘ଇଦାରା-ଏ-ଶରିଆ ଇସ୍ଲାମିକ କୋର୍ଟ’ ୧୮ ଜାନୁଆରୀ ୨୦୨୨ରେ ଏକ ଆଦେଶ ଜାରି କରି ନିରୋଶଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ତଲାକଶୁଦା ବୋଲି ଘୋଷଣା କରିଥିଲା ।

‘ବେସରକାରୀ ଧାର୍ମିକ ମତ ବାଧ୍ୟତାମୂଳକ ନୁହେଁ’
ଇଦାରା-ଏ-ଶରିଆର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ଶୁଣାଣି କରି ଜଷ୍ଟିସ୍ ଅମିତେନ୍ଦ୍ର କିଶୋର ପ୍ରସାଦଙ୍କ ଖଣ୍ଡପୀଠ ଶରିଆ କୋର୍ଟର ଏହି ଆଦେଶକୁ ଆଇନଗତ ଅଧିକାର ବିହୀନ ବୋଲି ଘୋଷଣା କରିଛନ୍ତି । ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଐତିହାସିକ ‘ବିଶ୍ୱ ଲୋଚନ ମଦନ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ’ ମାମଲାର ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

କୋର୍ଟ କହିଛନ୍ତି, ଦାରୁଲ କଜା କିମ୍ବା ଫତୱା ଜାରି କରୁଥିବା ଏଭଳି ବେସରକାରୀ ସଂସ୍ଥା ଦେଶର ଆଇନ ଅନୁଯାୟୀ ସ୍ଥାପିତ ନ୍ୟାୟାଳୟ ନୁହନ୍ତି । ସେମାନେ କେବଳ ଧାର୍ମିକ ମତ ଦେଇପାରନ୍ତି । କିନ୍ତୁ ସେହି ମତ କୌଣସି ବ୍ୟକ୍ତିଙ୍କ ଆଇନଗତ ଅଧିକାର, ବୈବାହିକ ସ୍ଥିତି କିମ୍ବା ଦାୟିତ୍ୱକୁ ପରିବର୍ତ୍ତନ କରିପାରିବ ନାହିଁ ।

ବୈବାହିକ ସ୍ଥିତି ନିର୍ଦ୍ଧାରଣ କରିବ ସକ୍ଷମ ଅଦାଲତ

ହାଇକୋର୍ଟ ଯାଚିକାକୁ ଆଂଶିକ ଭାବେ ଗ୍ରହଣ କରି ଇଦାରା-ଏ-ଶରିଆ ପକ୍ଷରୁ ଜାରି ହୋଇଥିବା ଆଦେଶକୁ ରଦ୍ଦ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବିବାହ ବିଚ୍ଛେଦ କିମ୍ବା କୌଣସି ବ୍ୟକ୍ତିଙ୍କ ବୈବାହିକ ଅଧିକାର ଓ ସ୍ଥିତିର ଆଇନଗତ ନିର୍ଦ୍ଧାରଣ କେବଳ ଦେଶର ସକ୍ଷମ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ହୋଇପାରିବ ।
ତେବେ ଏହି ରାୟ ସମୟରେ ହାଇକୋର୍ଟ ‘ତଲାକ-ଏ-ହସନ’ର ସାମ୍ବିଧାନିକ ବୈଧତା ଉପରେ କୌଣସି ମତ ଦେଇନାହାନ୍ତି କିମ୍ବା ଏହାକୁ ନେଇ କୌଣସି ନିଷ୍ପତ୍ତି ଶୁଣାଇନାହାନ୍ତି । ଏହି ରାୟର ମୁଖ୍ୟ ସାର ହେଉଛି ବେସରକାରୀ ଧାର୍ମିକ ସଂସ୍ଥାର ଆଦେଶ ଆଇନଗତ ଅଦାଲତର ରାୟର ବିକଳ୍ପ ହୋଇପାରିବ ନାହିଁ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: