ସ୍ବାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ୨ରୁ ୩ ଥର ସଙ୍ଗମ ଜଳରେ ବୁଡ଼ାଇଲେ: ଭିଡିଓ ଭାଇରାଲ

ପ୍ରୟାଗରାଜରେ ଦେଢ଼ ମାସ ଧରି ଚାଲିଥିବା ମହାକୁମ୍ଭ ମେଳା ବୁଧବାର ମହାଶିବରାତ୍ରି ଅବସରରେ ଶେଷ ହୋଇଛି। ଏହି ମେଳାରେ ଦେଶ ବିଦେଶରୁ ବହୁ ଶଦ୍ଧାଳୁ ଯୋଗଦେବା ସହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ପବିତ୍ର ସ୍ନାନ କରିଥିଲେ। ଏହାରି ମଧ୍ୟରେ ମଙ୍ଗଳବାର ସଙ୍ଗମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ସ୍ବାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ହାତରେ ଧରିଥିବା ମୋବାଇଲକୁ ସଙ୍ଗମ ଜଳରେ ବୁଡ଼ାଇଥିଲେ। ଶିଳ୍ପା ଚୌହାନ ନାମ୍ନୀ ଜଣେ ମହିଳା ନିଜ ସ୍ବାମୀଙ୍କ ବିନା ମହାକୁମ୍ଭ ମେଳାକୁ ଆସିଥିଲେ।
📱 Get Argus News App
✨ସଙ୍ଗମରେ ନିଜେ ବୁଡ଼ ପକାଇବା ପୂର୍ବରୁ ସେ ତାଙ୍କ ସ୍ବାମୀ ଆଦିତ୍ୟ ଚୌହାନଙ୍କୁ ଭିଡିଓ କଲ୍ କରିଥିଲେ। ସ୍ବାମୀ ନିଜ ବେଡ୍ ଉପରେ ବସି ଭିଡିଓ କଲ୍ ଜରିଆରେ ସଙ୍ଗମର ପରିବେଶକୁ ଉପଭୋଗ କରିଥିଲେ। ସ୍ବାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ଶିଳ୍ପା ତାଙ୍କ ମୋବାଇଲକୁ ୨ରୁ ୩ ଥର ସଙ୍ଗମ ଜଳରେ ବୁଡ଼ାଇ ଥିଲେ। ଏହି ସମୟରେ ଭିଡିଓ କଲ୍ରେ ଥିବା ଶିଳ୍ପାଙ୍କ ସ୍ବାମୀ ହାତ ଯୋଡ଼ି ନିଜ ମୋବାଇଲକୁ ଚାହିଁ ରହିଥିଲେ। ସଙ୍ଗମରେ ବୁଡ଼ ପକାଉଥିବାର ଭିଡିଓକୁ ଶିଳ୍ପା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଗୋଟିଏ ଭିଡିଓରେ ସେ ତାଙ୍କ ମୋବାଇଲ ଫୋନ୍କୁ ସଙ୍ଗମ ଜଳରେ ବୁଡ଼ାଇ ସ୍ବାମୀଙ୍କୁ ଭର୍ଚୁଆଲ ସ୍ନାନ କରାଇଥିବାବେଳେ ଅନ୍ୟ ଏକ ଭିଡିଓରେ ସେ ସଙ୍ଗମ କୂଳରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ସେହିପରି ଶିଳ୍ପା ନିଜେ ସଙ୍ଗମରେ ବୁଡ଼ ପକାଉଥିବା ନେଇ ଆଉ ଏକ ଭିଡିଓ ମଧ୍ୟ ଅପ୍ଲୋଡ୍ କରିଛନ୍ତି। ତେବେ ସ୍ବାମୀଙ୍କୁ ଭର୍ଚୁଆଲ ସ୍ନାନ କରାଉଥିବାର ଶିଳ୍ପାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ବହୁ ଲୋକ ଲାଇକ୍ କରିଥିବାବେଳେ ବହୁ ଲୋକ ଇନଷ୍ଟାରେ କମେଣ୍ଟ ମଧ୍ୟ କରିଛନ୍ତି। କିଛି ୟୁଜର୍ସ ଏହି ପୋଷ୍ଟରେ ବିଭିନ୍ନ ମଜାଳିଆ କମେଣ୍ଟ କରିବା ସହ ଶିଳ୍ପାଙ୍କୁ ସମାଲୋଚନା କରିଛନ୍ତି। ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ଯଦି ଶିଳ୍ପାଙ୍କ ହାତରୁ ମୋବାଇଲଟି ଖସିଯାଇଥାନ୍ତା ତେବେ ବୋଧହୁଏ ତାଙ୍କ ସ୍ବାମୀଙ୍କର ତୁରନ୍ତ ମୋକ୍ଷପ୍ରାପ୍ତି ହୋଇଯାଇଥାନ୍ତା। ସେହିପରି ଜଣେ ୟୁଜର କମେଣ୍ଟ କରି ପ୍ରଶ୍ନ କରିଛନ୍ତି, ଫୋନ୍ ଖରାପ ହୋଇନାହିଁ ତ। ଆଉ ଜଣେ ୟୁଜର ଶିଳ୍ପାଙ୍କୁ ସମାଲୋଚନା କରି ଲେଖିଛନ୍ତି, କଳିଯୁଗରେ ମୂର୍ଖଙ୍କର ସଂଖ୍ୟା କମ୍ ନୁହେଁ। ଅନ୍ୟ କେତେଜଣ ଲେଖିଛନ୍ତି ସ୍ବାମୀଙ୍କ ପାପ ଧୋଇବା ପାଇଁ ମୋବାଇଲକୁ ବଳି ପକାଇଲେ ସ୍ତ୍ରୀ। ଲୋକେ ଭକ୍ତି ଏବଂ ଆସ୍ଥା ନାଁରେ କିଛି ବି କରୁଛନ୍ତି। ଏହା କେତେଦୂର ଯଥାର୍ଥ କୁହନ୍ତୁ ତ?