Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bangladesh Politics / ଦେଶକୁ ବ୍ୟାକ୍‌ କରିବେ ହସିନା, ଖେଳିପାରନ୍ତି ବଡ଼ ଚାଲ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ଦେଶକୁ ବ୍ୟାକ୍‌ କରିବେ ହସିନା, ଖେଳିପାରନ୍ତି ବଡ଼ ଚାଲ !

Key Points

ହସିନା ଏହି ବିବୃତ୍ତି ସେତେବେଳେ ଦେଇଛନ୍ତି, ଯେତେବେଳେ ବାଂଲାଦେଶରେ ଆୱାମୀ ଲିଗ ନଭେମ୍ବର ୧୩ ତାରିଖରେ ଏକ ବିଶାଳ ଧର୍ମଘଟର ଘୋଷଣା କରିଛି।

ବାଂଲାଦେଶରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଖୁବ୍‌ଶୀଘ୍ର ଦେଶରେ ହେବାକୁ ଯାଉଛି ନିର୍ବାଚନ । ଆଉ ଏହି ସମୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋର ଧରିଛି । ହେଲେ ହସିନା କହିଛନ୍ତି, ମୁଁ ସେତେବେଳେ ଦେଶକୁ ଯିବି ଯେତେବେଳେ ସେଠାରେ ଭାଗିଦାରୀ ପୂର୍ଣ୍ଣ ଲୋକତନ୍ତ୍ର ଚାଲିବ । ଏହାସହ ତାଙ୍କ ଦଳ ଆୱାମୀ ଲିଗରୁ ପ୍ରତିବନ୍ଧକ ହଟାଯିବ । ହସିନା ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ମଧ୍ୟ ଦାବି କରିଛନ୍ତି। ହସିନା ଏହି ବିବୃତ୍ତି ସେତେବେଳେ ଦେଇଛନ୍ତି, ଯେତେବେଳେ ବାଂଲାଦେଶରେ ଆୱାମୀ ଲିଗ ନଭେମ୍ବର ୧୩ ତାରିଖରେ ଏକ ବିଶାଳ ଧର୍ମଘଟର ଘୋଷଣା କରିଛି।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ଇମେଲ୍ ସାକ୍ଷାତକାର ଦେଇଛନ୍ତି ସେଖ ହସୀନା । ସେଥିରେ ସେ କହିଛନ୍ତି, ବାଂଲାଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସ, ଭାରତ ସହିତ ସମ୍ପର୍କ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଚରମପନ୍ଥୀ ତତ୍ୱମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍ତରୀଣ ସରକାରଙ୍କ ସହିତ ତାଙ୍କ ବୈଦେଶିକ ନୀତିକୁ ତୁଳନା କରି, ସେ କହିଛନ୍ତି ଯେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ଥିବା "ବିସ୍ତୃତ ଏବଂ ଗଭୀର" ସମ୍ପର୍କ, ୟୁନୁସଙ୍କ ମୂର୍ଖତା ପାଇଁ ବିଗିଡ଼ୁଛି । ତେଣୁ ଏହାକୁ ଦୃଢ଼ ଭାବରେ ପ୍ରତିହତ କରିବା ଉଚିତ।

ଅନ୍ୟପଟେ ହାସିନା, ଭାରତ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । କାରଣ ସେ ଯେତେବେଳେ ନିଜ ଦେଶରୁ ପଳାୟନ କରିଥିଲେ, ସେତେବେଳେ ଭାରତ ସରକାର ତାଙ୍କୁ ଶରଣ ଦେଇଥିଲେ । ଭାରତ ସରକାର ଏବଂ ଭାରତୀୟ ନାଗରିକ ତାଙ୍କୁ ଖୁବ୍‌ ଶ୍ରଦ୍ଧାର ସହ ସ୍ୱାଗତ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ସେ ଏହାକୁ କେବେ ଭୁଲି ପାରିବେ ନାହିଁ । ଅନ୍ୟପଟେ ସେ ସ୍ପଷ୍ଟ ଭାବେ କହିଛନ୍ତି, ବାଂଲାଦେଶ ଫେରିବା ପାଇଁ ତାଙ୍କର ପ୍ରାଥମିକ ସର୍ତ୍ତ ହେଉଛି ଗଣତନ୍ତ୍ରର ପୁନରୁଦ୍ଧାର, ଯାହାକି ପ୍ରତ୍ୟେକ ବାଂଲାଦେଶୀଙ୍କ ଇଚ୍ଛା । ଭାଗିଦାରୀପୂର୍ଣ୍ଣ ଗଣତନ୍ତ୍ର ସମସ୍ତେ ଚାହାନ୍ତି । ଏହାସହ ଆୱାମୀ ଲିଗ ଉପରୁ ପ୍ରତିବନ୍ଧକ ଉଠାଇବା ସହ ସ୍ୱତନ୍ତ୍ର, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ପାଇଁ ସେ ଦାବି କରିଛନ୍ତି ।

ବାଂଲାଦେଶର ସବୁଠାରୁ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ହେଉଛନ୍ତି ସେଖ୍ ହସିନା । ହେଲେ ସପ୍ତାହ ଧରି ଚାଲିଥିବା ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ପରେ ୫ ଅଗଷ୍ଟ ୨୦୨୪ ରେ ସେ ଦେଶ ଛାଡିଥିଲେ। ଏହି ବିଶାଳ ଆନ୍ଦୋଳନ ଚାପରେ, ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ଶେଷରେ ଭାରତରେ ଶରଣ ପଶିବାକୁ ବାଧ୍ୟ ହୋଇଥିଲେ । ଯାହା ଫଳରେ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠନ ହୋଇପାରିଥିଲା। ଯେତେବେଳେ ପଚରାଗଲା ଯେ ତାଙ୍କ ସରକାର ପ୍ରତିବାଦଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ପାରିଲା ନାହିଁ କି ? ସେତେବେଳେ ୭୮ ବର୍ଷୀୟ ନେତା କହିଥିଲେ, "ପରିସ୍ଥିତି ନିଶ୍ଚିତ ଭାବରେ ଆମ ନିୟନ୍ତ୍ରଣରେ ନଥିଲା, ଏବଂ ଏହା ଦୁଃଖଦ।"

ସେ ଜୋର ଦେଇ କହିଛନ୍ତି ଯେ ଏଭଳି ଭୟାବହ ଘଟଣାରୁ ଅନେକ ଶିକ୍ଷା ମିଳିଛି, କିନ୍ତୁ କିଛି ଦାୟିତ୍ୱ ସେହି ତଥାକଥିତ ଛାତ୍ର ନେତାଙ୍କର ମଧ୍ୟ ଅଛି ଯେଉଁମାନେ ଭିଡ଼କୁ ଉସୁକାଇଥିଲେ। ହସିନା ଆସନ୍ତା ଫେବୃଆରୀରେ ହେବାକୁ ଥିବା ନିର୍ବାଚନ ବର୍ଜନ କରିବାକୁ ଆହ୍ୱାନ ଦେଇଥିବା ଚର୍ଚ୍ଚାକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି। ସେ ଓଲଟା କହିଛନ୍ତି ଯେ ଆୱାମୀ ଲିଗ୍ ବିନା, କୌଣସି ନିର୍ବାଚନ ବୈଧ ହେବ ନାହିଁ।

ସେ ବିଶ୍ୱାସ କରନ୍ତି ଯେ ଲକ୍ଷ ଲକ୍ଷ ବାଂଲାଦେଶ ବାସୀ ତାଙ୍କୁ ସମର୍ଥନ କରନ୍ତି । ଏହା ଦେଶ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ନିର୍ବାଚନରେ ଭାଗ ନନେବା ଏକ ପ୍ରକାର ସୁଯୋଗ ହରାଇବା ଭଳି ହେବ । ବାଂଲାଦେଶରେ ଏବେ ସଚ୍ଚୋଟତାର ସହ ଦେଶ ଚଳାଇବା ଭଳି ସରକାର, ସମସ୍ତଙ୍କର ଦରକାର । ସେ ଆହୁରି କହିଛନ୍ତି, 'ମୁଁ ନିଶ୍ଚିତ ଯେ ଆଓ୍ୱାମି ଲିଗ୍‌ ଉପରୁ ଏହି ମୂର୍ଖତାପୂର୍ଣ୍ଣ ନିଷେଧ ଉଠାଇ ନିଆଯିବ। କ୍ଷମତାରେ ଥାଉ କିମ୍ବା ନଥାଉ, ଆୱାମୀ ଲିଗ୍ ବାଂଲାଦେଶର ରାଜନୈତିକ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ।

ହସିନା କହିଛନ୍ତି ଯେ ଭାରତ ସର୍ବଦା ବାଂଲାଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ଅଂଶୀଦାର ହୋଇଆସିଛି। ସେ ୟୁନୁସ୍ ସରକାରକୁ "ମୂର୍ଖତାପୂର୍ଣ୍ଣ ଏବଂ ଆତ୍ମ-ଘାତୀ" କୂଟନୈତିକ ଭୁଲ କରି ନୂଆଦିଲ୍ଲୀ ସହିତ ସମ୍ପର୍କକୁ ବିପଦରେ ପକାଇବାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ୟୁନୁସଙ୍କ ଭାରତ ବିରୋଧୀ ନୀତି ମୂର୍ଖତାପୂର୍ଣ୍ଣ ଏବଂ ନିଜକୁ କ୍ଷତିରେ ପକାଇବା ଭଳି ନିଷ୍ପତ୍ତି । ଏଭଳି ନୀତି ତାଙ୍କୁ ଜଣେ ଦୁର୍ବଳ ଶାସକ ଭାବରେ ଚିତ୍ରଣ କରିଛି । ଯିଏ କି ଅନିର୍ବାଚିତ, ଅସଂଗଠିତ ଏବଂ ଉଗ୍ରବାଦୀଙ୍କ ଉପରେ ନିର୍ଭରଶୀଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh Politics | Sheikh Hasina Says Her Return To Bangladesh Hinges On These 3 Factors | Argus News