Subhman Gill / ରୋହିତଙ୍କୁ ଆଉ ଖେଳାଇ ନପାରନ୍ତି ଗିଲ !

Key Points
ସିରିଜ୍ ହାରିବା ପରେ ଦଳରେ ବଡ଼ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି ଅଧିନାୟକ ଗିଲ୍ ।
ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ନ୍ୟୁଜିଲାଣ୍ଡଠାରୁ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ ଖୁବ୍ ଟ୍ରୋଲ କରାଯାଇଛି । ତାପରେ କିଛି ଖେଳାଳିଙ୍କ ପାଇଁ ଦଳ ହାରିଲା ବୋଲି ଅନେକ କ୍ରିକେଟ ଫ୍ୟାନ୍ ଖୋଲିଖୋଲି ସମାଲୋଚନା କରିଛନ୍ତି । କେବଳ କ୍ରିକେଟ୍ ଫ୍ୟାନ୍ ନୁହନ୍ତି, କିଛି କ୍ରୀଡ଼ା ବିଶେଷଜ୍ଞ ମଧ୍ୟ ଖେଳାଳିଙ୍କ ତ୍ରୁଟିକୁ ଚିହ୍ନଟ କରିଛନ୍ତି । ଆଉ ଯଥାଶୀଘ୍ର ଦଳରେ ଏହି ସବୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ତେବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ଭିତରେ ଗିଲ୍ ମଧ୍ୟ ଦେଇଛନ୍ତି ବଡ଼ ସଂକେତ । ସେ ସିଧା ସିଧା କହିଛନ୍ତି ଦଳରେ ଅନେକ କିଛି ସୁଧାରିବାକୁ ପଡ଼ିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ।
ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ହାରିଛି ଭାରତ । କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଘରୋଇ ମାଟିରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଗିଲଙ୍କୁ କପ୍ତାନୀ ଆସେ ନାହିଁ ବୋଲି ମଧ୍ୟ ଅନେକ ମତ ପ୍ରକାଶ ପାଇଛି । ତେବେ ସିରିଜ୍ ହାରିବା ପରେ ଦଳରେ ବଡ଼ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି ଅଧିନାୟକ ଗିଲ୍ ।
ମ୍ୟାଚ୍ ପରେ ଗିଲ୍ କହିଛନ୍ତି ଯେ ଖେଳାଳିମାନେ ଯେପରି ଭାବେ ପ୍ରଦର୍ଶନ କରିଛନ୍ତି ତାହା ନୈରାଶ୍ୟଜନକ । ଅନେକ କିଛି ସୁଧାରିବାକୁ ପଡିବ । ବହୁତ କିଛି ଦିଗରେ ଦଳ ଫେଲ୍ ମାରିଛି । ବିରାଟ କୋହଲି ସବୁବେଳେ ଭଲ ଖେଳି ଆସୁଛନ୍ତି । ହର୍ଷିତ ରାଣା ମଧ୍ୟ ୮ ନମ୍ବରରେ ଯେପରି ବ୍ୟାଟିଂ କଲେ ତାହା ସମସ୍ତଙ୍କୁ ଚକିତ କରିଛି ।
କୁହାଯାଉଛି, ଭାରତ ସିରିଜ୍ ହାରିବାରେ ମୁଖ୍ୟ ଖଳନାୟକ ଥିଲେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା । ସିରିଜରେ ରୋହିତଙ୍କ ବ୍ୟାଟରୁ ରନ୍ ବାହାରି ନଥିଲା । କୌଣସି ମ୍ୟାଚରେ ସେ ବଡ଼ ସ୍କୋର କରିପାରିନଥିଲେ । ତୃତୀୟ ଦିନିକିଆରେ ଭାରତ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା । କିନ୍ତୁ ରୋହିତ ଓପନିଂରେ ଆସି ଜଲଦି ଆଉଟ୍ ହୋଇଥିଲେ । ଯାହାର ଚାପ ଅନ୍ୟ ବ୍ୟାଟରଙ୍କ ଉପରେ ପଡ଼ିଥିଲା । ତେଣୁ ରୋହିତଙ୍କୁ ବ୍ରେକ୍ ଦେବାକୁ ଗିଲ୍ ଚିନ୍ତା କରୁଥାଇ ପାରନ୍ତି ।
ସିରିଜରେ ଜାଡେଜା ସେତେଟା ପ୍ରଭାବି ହୋଇ ପାରିନଥିଲେ । ବ୍ୟାଟିଂ କିମ୍ବା ବୋଲିଂରେ ତାଙ୍କ ମ୍ୟାଜିକ୍ ଦେଖିବାକୁ ମିଳି ନଥିଲା । ଶେଷ ଦିନିକିଆରେ ସେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ରନ୍ ଗତି କମାଇ ପାରିନଥିଲେ । ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଥିଲେ ଜାଡେଜା । ଏପରିକି ତାଙ୍କ ଫିଲ୍ଡିଂ ମଧ୍ୟ ଆଗ ଭଳି ଦେଖିବାକୁ ମିଳିନଥିଲା । ତେଣୁ ତାଙ୍କୁ ମଧ୍ୟ ଆଗାମୀ ଦିନରେ ଟିମ୍ରୁ ବହାରେ ରଖିପାରନ୍ତି ଗିଲ୍ ।
ବିଶ୍ୱକପ୍ ପାଇଁ ପ୍ଲାନ୍ କରୁଛି ମ୍ୟାନେଜମେଣ୍ଟ
୨୦୨୭ରେ ଭାରତ ବିଶ୍ୱକପ୍ ଖେଳିବ । ତେଣୁ ଏବେଠୁ ଏକ ଶକ୍ତିଶାଳୀ ଦଳ ଗଠନ କରିବା ପାଇଁ ଗିଲ୍ ଚିନ୍ତା କରୁଛନ୍ତି । ସେ ନୀତିଶ କୁମାର ରେଡ୍ଡିଙ୍କୁ ଅଧିକ ସୁଯୋଗ ଦେବେ ବୋଲି କୁହାଯାଉଛି । ଏନେଇ ସେ ନିଜେ ମଧ୍ୟ କହିସାରିଛନ୍ତି । ସେହିପରି ରୋହିତଙ୍କ ଜାଗାରେ ଜୟଶ୍ୱାଲ କିମ୍ବା ଋତୁରାଜ ଗାଏକଓ୍ୱାଡ଼ଙ୍କୁ ସୁଯୋଗ ମିଳିପାରେ । ବୋଲିଂ ଏବଂ ଫିଲ୍ଡିଂରେ ଦଳ କିପରି ଭଲ ହେବ ସେନେଇ ମଧ୍ୟ ମ୍ୟାନେଜେମେଣ୍ଟ୍ ଧ୍ୟାନ ଦେବେ । ଏସବୁକୁ ଶୀଘ୍ର ସୁଧାରି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଭାରତୀୟ ଟିମ୍ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।
📱 Get Argus News App
✨Related Topics
Explore more stories