ମହାକାଶରେ କ'ଣ କରିବେ, କେତେ ଦିନ ରହିବେ ଶୁଭାଂସୁ ? ଜାଣନ୍ତୁ...

Key Points
ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଗବେଷଣା ଏବଂ ଭବିଷ୍ୟତର ମହାକାଶ ମିଶନ ପାଇଁ ପ୍ରସ୍ତୁତି।
ମିଶନ ସମୟରେ, ମାନବ ସ୍ୱାସ୍ଥ୍ୟ, ମହାକାଶରେ ବିଶ୍ବବ୍ୟାପୀ ଜନସଂପର୍କ କାର୍ଯ୍ୟକ୍ରମ, ସ୍ପେସ ଟୁରିଜିମ୍, କମର୍ସିଆଲ ସ୍ପେସ ଷ୍ଟେସନ ନେଇ ଅଧିକ ଗବେଷଣା ।
ମହାକାଶରେ ମାନବ ସ୍ବାସ୍ଥ୍ୟ, ଜୀବନ ଏବଂ ପୃଥିବୀ ତତ୍ତ୍ଵ ଉପରେ ଗବେଷଣା କରାଯିବ ।
ମହାକାଶ ଅଭିମୁଖେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଲା । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତାକାଲି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ତାଙ୍କର ଯାତ୍ରା ଆରମ୍ଭ କରିବେ । ରାକେଶ ଶର୍ମାଙ୍କ ପରେ ୨ୟ ଭାରତୀୟ ଭାବରେ ମହାକାଶ ଯାତ୍ରା କରୁଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ ଯୋଗେ ତାଙ୍କର ମହାକାଶ ମିଶନ ଆରମ୍ଭ କରିବେ ।
ତାଙ୍କ ମହାକାଶ ଯାତ୍ରା ପୂର୍ବରୁ, ଲକ୍ଷ୍ନୌର ନିଧି ତ୍ରିବେଣୀ ନଗରରେ ତାଙ୍କ ବାସଭବନରେ ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ପୋଷ୍ଟର ଲଗାଯାଇଛି । ତାଙ୍କ ପିତା ମାତାଙ୍କ ସମେତ ପୁରା ଅଂଚଳରେ ଉତ୍ସାହର ମାହୋଲ ଦେଖାଦେଇଛି । ତ୍ରିବେଣୀ ନଗରର ପୁଅ ଦେଶର ଗର୍ବ ପାଲଟିଛି । କ୍ୟାପ୍ଟେନ୍ ଶୁଭାଂଶୁଙ୍କ ପିତା ମାତା ପୁଅର ଏତେ ବଡ଼ ସଫଳତାକୁ ନେଇ ବହୁତ ଆନନ୍ଦିତ ଏବଂ ଗର୍ବିତ ବୋଲି କହିଛନ୍ତି ।
ତେବେ ଏହି ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଗବେଷଣା ଏବଂ ଭବିଷ୍ୟତର ମହାକାଶ ମିଶନ ପାଇଁ ପ୍ରସ୍ତୁତି। ଏହି ମିଶନ ସମୟରେ, ମାନବ ସ୍ୱାସ୍ଥ୍ୟ, ମହାକାଶରେ ବିଶ୍ବବ୍ୟାପୀ ଜନସଂପର୍କ କାର୍ଯ୍ୟକ୍ରମ, ସ୍ପେସ ଟୁରିଜିମ୍, କମର୍ସିଆଲ ସ୍ପେସ ଷ୍ଟେସନ ନେଇ ଅଧିକ ଗବେଷଣା କରିବା ହେଉଛି ଏହି ମିଶନର ମୁଖ୍ୟ ଲକ୍ଷ । ଏତଦବ୍ୟତୀତ ମହାକାଶରେ ମାନବ ସ୍ବାସ୍ଥ୍ୟ, ଜୀବନ ଏବଂ ପୃଥିବୀ ତତ୍ତ୍ଵ ଉପରେ ଗବେଷଣା କରାଯିବ ।
ଶୁକ୍ଲା କହିଛନ୍ତି, ମୁଁ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରୁଛି ଯେ ମୁଁ ଏହି ବୃହତ ମିସନ୍ର ଅଂଶ ହେଉଛି । ୩୯ ବର୍ଷୀୟ ଶୁଭାଂଶୁ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଲକ୍ଷ୍ନୌ ବାସିନ୍ଦା ଏବଂ ନ୍ୟାସନାଲ ଡିଫେନ୍ସ ଏକାଡେମିରୁ କମ୍ପ୍ୟୁଟର ସାଇନ୍ସରେ ବିଏସ୍ ଡିଗ୍ରି ଓ ବେଙ୍ଗାଲୁରୁରୁ ଏମ୍ଟେକ୍ କରିଛନ୍ତି । ତାଙ୍କୁ ସ୍ପେସଏକ୍ସ ଓ ଅକ୍ସିୟମ ସ୍ପେସ୍ ଦ୍ୱାରା ବିଶେଷ ତାଲିମ ଦିଆଯାଇଛି । ୧୪ ଦିନିଆ ଏହି ମିଶନରେ ଶୁକ୍ଲା ଇସରୋ ଓ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ ୭ଟି ପରୀକ୍ଷଣ ସହ ନାସାର ୫ଟି ମାନବ ଗବେଷଣା ଅଧ୍ୟୟନରେ ଅଂଶଗ୍ରହଣ କରିବେ । ଏହି ମିଶନ ଭାରତର ଗଗନଯାନ ମିସନ ୨୦୨୭ ପାଇଁ ମଧ୍ୟ ଅଭିଜ୍ଞତା ଯୋଗାଇବ ।
ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ୍ ଆଇଏସ୍ଏସ୍ ଅଭିମୁଖେ ୨୯ ଘଣ୍ଟାର ଉଡ଼ାଣ ହେବ, ଯାହା ଜୁନ୍ ୧୧ ମଧ୍ୟାହ୍ନ ୧୨:୩୦ରେ ଡକିଂ କରିବ । ଶୁକ୍ଳା ଆଇଏସ୍ଏସ୍ରେ ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ହେବେ । ମିସନ୍ରେ ଶୁକ୍ଳା ପାଇଲଟ୍ ଭାବେ ଦାୟିତ୍ୱ ନେବେ, ଯେଉଁଥିରେ ନାଭିଗେସନ୍, ଡକିଂ ଓ ଜରୁରୀ ପରିସ୍ଥିତି ନିୟନ୍ତ୍ରଣ ଅନ୍ତର୍ଭୁକ୍ତ । ପୂର୍ବତନ ନାସା ଅନ୍ତରୀକ୍ଷ ଯାତ୍ରୀ ପେଗି ହ୍ୱିଟସନ୍ ମିସନର ନେତୃତ୍ୱ ନେବେ । ପୋଲାଣ୍ଡର ସ୍ଲାୱୋଜ ଉଜନାନ୍ସକି-ୱିସ୍ନିୱସ୍କି ଓ ହଙ୍ଗେରୀର ଟିବର କାପୁ ମିସନ ସ୍ପେଶାଲିଷ୍ଟ ଭାବେ ସାମିଲ ହେବେ । ଏହି ୪ ଜଣିଆ ଦଳ ଆଇଏସ୍ଏସ୍ରେ ୧୪ ଦିନ ବିତାଇବେ ।
ଶୁକ୍ଳା ଭାରତୀୟ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିକଳ୍ପିତ ସାତଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିବେ । ଏଥିରେ ମେଥି ଓ ମୁଗ ଜାତୀୟ ଶସ୍ୟର ଅଙ୍କୁରଣ, ମାଂସପେଶୀ ଅକ୍ଷମତା ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ଏବଂ ଅନ୍ତରୀକ୍ଷରେ କମ୍ପ୍ୟୁଟର ସ୍କ୍ରିନ୍ର ବ୍ୟବହାରର ଶାରୀରିକ ଓ ଜ୍ଞାନଗତ ପ୍ରଭାବ ଅଧ୍ୟୟନ ଅନ୍ତର୍ଭୁକ୍ତ । ଏହି ଗବେଷଣା ଅନ୍ତରୀକ୍ଷ କୃଷି, ବାୟୋଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ । ଶୁକ୍ଲା ଭାରତୀୟ ସଂସ୍କୃତିର ପ୍ରତୀକ ନେଇ ଯୋଗାଭ୍ୟାସ କରିବେ ଓ ତାଙ୍କ ଅଭିଜ୍ଞତାକୁ ଫଟୋ ଓ ଭିଡିଓରେ ରେକର୍ଡ କରି ଦେଶବାସୀଙ୍କ ସହ ବାଣ୍ଟିବେ । ଶୁକ୍ଳା କହିଛନ୍ତି, ଏହା କେବଳ ମୋର ଯାତ୍ରା ନୁହେଁ, ଏହା ୧.୪ ବିଲିୟନ୍ ଭାରତୀୟଙ୍କ ସ୍ୱପ୍ନର ଯାତ୍ରା । ଏହି ମିଶନ ଭାରତର ଅନ୍ତରୀକ୍ଷ ଅଭିଯାନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ।