Sikkim Tunnel Accident / ସିକ୍କିମ୍ ଟନେଲ ଦୁର୍ଘଟଣାରେ ୨୦ ମୃତ, ଆହୁରି ୫ ଜଣ ଫସିଛନ୍ତି

Key Points
ଟନେଲ ଭିତରେ ଆଉ ୫ ଜଣ ଫସି ରହିଥିବା ସୂଚନା ।
ସିକ୍କିମର ନାମଚିରେ ନିର୍ମାଣାଧୀନ ସୁଡ଼ଙ୍ଗରେ ହୋଇଥିଲା ବିସ୍ଫୋରଣ ।
ମିଥେନ୍ ଗ୍ୟାସ୍ ନିର୍ଗତ ହୋଇ ଘଟିଥିଲା ବିସ୍ଫୋରଣ ।
୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଫସି ରହିଛନ୍ତି ।
ସିକ୍କିମରେ ନିର୍ମାଣାଧୀନ ସୁଡ଼ଙ୍ଗ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଟନେଲ ଭିତରେ ଆଉ ୫ ଜଣ ଫସି ରହିଥିବା ସୂଚନା ମିଳିଛି । ସିକ୍କିମର ନାମଚି ଜିଲ୍ଲାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ସନ୍ଦିଗ୍ଧ ମିଥେନ୍ ଗ୍ୟାସ୍ ହଠାତ୍ ନିର୍ଗତ ହୋଇ ବିସ୍ଫୋରଣ ଘଟିବା, ପ୍ରବଳ ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ବ୍ୟାପିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫ ଜଣ ଭିତରେ ଫସି ରହିଛନ୍ତି ।
NHPCର ସୂଚନା ଅନୁଯାୟୀ ୨୦ ତାରିଖ ଦିନ ୧ଟା ୪ ମିନିଟରେ ତିସ୍ତା ଷ୍ଟେଜ୍-VI ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ହେଡ୍ ରେସ୍ ଟନେଲ୍ ଭିତରେ ପଥର ମଧ୍ୟରେ ଜମା ହୋଇ ରହିଥିବା ମିଥେନ୍ ଗ୍ୟାସ୍ ହଠାତ୍ ବିସ୍ଫୋରଣ ଘଟାଇ ନିର୍ଗତ ହେବା ଫଳରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଯାହାଦ୍ୱାରା ପ୍ରବଳ ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥିଲା ।
NHPC କହିଛି ଯେ ଦୁର୍ଘଟଣା ସମୟରେ ୨୫ ଜଣ କର୍ମଚାରୀ ସୁଡ଼ଙ୍ଗ ଭିତରେ ଥିଲେ। ଜିଲ୍ଲା ପ୍ରଶାସନ, NDRF, SDRF, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଏଜେନ୍ସିଗୁଡ଼ିକ ସହ ମିଳିମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।
ମୃତଦେହକୁ ସିଙ୍ଗତାମ୍ ଜିଲ୍ଲା ହସ୍ପିଟାଲ୍, ଗ୍ୟାଙ୍ଗଟକ୍ର STNM ହସ୍ପିଟାଲ୍ ଏବଂ ନାମଚି ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି । ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ସିକ୍କିମ୍ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କଡ଼ା ନଜର ରଖିଛି । ବିଷାକ୍ତ ମିଥେନ୍ ଗ୍ୟାସ୍ ଲିକ୍ ଯୋଗୁଁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଥିବା ବେଳେ ଗ୍ୟାସ୍ ସ୍ତର ବୃଦ୍ଧି ଓ ଅମ୍ଳଜାନର ଅଭାବ ଯୋଗୁଁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ।
ରିପୋର୍ଟ ଅନୁଯାୟୀ ନାମଚି ଜିଲା ପ୍ରଶାସନ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ ସମୟରେ ଭୂସ୍ଖଳନ ବିଷୟରେ ସୂଚନା ପାଇଥିଲା। ଖବର ପାଇବା ପରେ, ପ୍ରଶାସନ ତୁରନ୍ତ NDRF, SDRF, ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ସେବାର ଦଳଗୁଡ଼ିକୁ ଘଟଣାସ୍ଥଳକୁ ପଠାଇଥିଲା। ଏହା ସହିତ, ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଜରୁରୀକାଳୀନ ପରିସ୍ଥିତିରେ ସହାୟତା କରିବା ପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଏକ ସ୍ବତନ୍ତ୍ର ଉଦ୍ଧାର ଦଳକୁ ଡକାଯାଇଥିଲା ।
📱 Get Argus News App
✨Related Topics
Explore more stories