Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେଦିନ ବି ଥିଲା ପ୍ରେମ ଦିବସ, ହେଲେ ୪୦ ବୀର ପୁଅଙ୍କୁ ହରାଇ ବୁକୁ ଫଟାଇ କାନ୍ଦୁଥିଲା ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ସେଦିନ ବି ଥିଲା ପ୍ରେମ ଦିବସ, ହେଲେ ୪୦ ବୀର ପୁଅଙ୍କୁ ହରାଇ ବୁକୁ ଫଟାଇ କାନ୍ଦୁଥିଲା ଭାରତ

 ୧୯ପୁଲଓ୍ୱାମା ଆକ୍ରମଣକୁ ବିତିଲା ୬ ବର୍ଷ । ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥରା ଲୋମହର୍ଷଣକାରୀ ଘଟଣା। ୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ହଠାତ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲଓ୍ୱାମା । ଆଉ ନିମିଷେକେ ସହିଦ ହୋଇଯାଇଥିଲେ ୪୦ ଭାରତୀୟ ଯାବାନ । ଯାହାକି ପୂରା ଦେଶକୁ ଦୋହଲାଇ ଦେଇଥିଲା। ଯବାନଙ୍କ ପ୍ରାଣବଳୀରେ କାନ୍ଦି ଉଠିଥିଲା ସାରାଦେଶ।

ସମୟ ଥିଲା ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଯବାନଙ୍କ ଗାଡ଼ି ସହ ଧକ୍କା କରିଥିଲା । ଯାହାଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଆଉ ଏକା ଥରେ ନିଜର ୪୦ ବୀର ପୁଅଙ୍କୁ ହରାଇ ବୁକୁ ଫଟାଇ ଚିତ୍କାର କରିଥିଲା ଭାରତ।

ଏଥିରେ କିଏ ନିଜ ସ୍ୱାମୀକୁ ହରାଇଥିଲା ତ କିଏ ବାପାକୁ ହରେଇଥିଲା ଆଉ କିଏ ନିଜ ଯବାନ ପୁଅକୁ ହରାଇ ବେସାହାରା ହୋଇପଡ଼ିଥିଲା। ସେହିପରି କିଏ ନିଜ ବିବାହର ପ୍ରସ୍ତୁତି କରି ଚାକିରିକୁ ଯାଇଥିଲା ବେଳେ କଫିନରେ ନିଜ ଗାଁକୁ ଫେରିଥିଲେ। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି, ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି ।

ସାରା ଦେଶ ସେଦିନ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହରରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍‌ରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍‌ପିଏଫ୍‌ର ଯବାନମାନେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।

ଏତିକିରେ ସରିନଥିଲା ନରରାକ୍ଷସଙ୍କ ଉତ୍ପାତ । କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରକୁ କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ସାଥି ଯବାନମାନେ କ’ଣ ହେଲା ବୋଲି ଦେଖିବା କ୍ଷଣି ହିଁ ଆତଙ୍କବାଦୀଙ୍କ ଗୁଳିବର୍ଷଣ ଆରମ୍ଭ ହୋଇଥିଲା । ତାପରେ ଯବାନଙ୍କ କାଉଣ୍ଟର ଆଟାକ୍‌ରେ ଆତଙ୍କୀମାନେ ସେଠାରୁ ଚାଲିଯାଇଥିଲେ ।

ଧମାକା ଏତେ ଅଧିକ ଥିଲା ଯେ ଉକ୍ତ ସ୍ଥାନ କିଛି ସମୟ ପାଇଁ ଧୂଆଁମୟ ହୋଇଗଲା । ଧୂଆଁ ହଟିଲା ପରେ ସେଠାକାର ଦୃଶ୍ୟ ଏତେ ଭୟାବହ ଥିଲା ଯେ ସମ୍ପୁର୍ଣ୍ଣ ଦେଶବାସୀଙ୍କ ଆଖିରେ ପୁଲୱାମା ଆକ୍ରମଣର ପ୍ରଭାବ ଦେଖିବାକୁ ମିଳିଲା । ଯବାନ ନିଜ ସାଥିଙ୍କୁ ପାଗଳଙ୍କ ଭଳି ଖୋଜିବାକୁ ଲାଗିଲେ । ଆଉ ୪୦ ବୀରଙ୍କ ସହିଦ୍ ହେବାର ଖବର ଟେଲିଭିଜନ୍ ପରଦାରେ ବାଜି ଉଠିଲା ।

ଏହି ଘଟଣା ଦେଶର ହୃଦୟକୁ ଏଭଳି ଭାବେ ଦୋହଲାଇଥିଲା ଯେ ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିଥିଲା । ଟିଭି, ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସରକାର ମଧ୍ୟ ଏହାର ପାଲଟା ଜବାବ୍ ଦେବାକୁ ଅଣ୍ଟା ଭିଡିଥିଲେ । ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଅର୍ଥାତ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକ୍ ସ୍ଥିତ ବାଲାକୋଟ୍‌ରେ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ତେବେ ୨୦୧୯ ଆଜିର ଦିନରେ ପୁଲୱାମାରେ ହୋଇଥିବା ଘଟଣାକୁ କେହି ଭୁଲିନାହାନ୍ତି କି ଭୁଲିପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special Report: Marking Six Years Of Heart-Wrenching Pulwama Attack With Honoring The 40 Martyrs | Argus News