Adani Group: ମହାକୁମ୍ଭରୁ ଫେରିଲା ପରେ ଅଦାନୀଙ୍କୁ ମିଳିଲା ଖୁସି ଖବର !

ଅର୍ଗସ ବ୍ୟୁରୋ: ୨୦୨୫ ଆଦାନୀ ଗ୍ରୁପ୍ ପାଇଁ ଏକ ପ୍ରକାର ବରଦାନ ସାବ୍ୟସ୍ତ ହେବାକୁ ଯାଉଛି। କାରଣ ବର୍ଷ ଆରମ୍ଭରୁ ହିଁ ତାଙ୍କ ଶତ୍ରୁ ତଥା ଆମେରିକୀୟ ସର୍ଟ ସେଲିଙ୍ଗ୍ କମ୍ପାନୀ ହିଣ୍ଡେନବର୍ଗ ବନ୍ଦ ହୋଇଯିବାର ଖବର ଆସିଲା । ତାପରେ ପଡ଼ୋଶୀ ଦେଶରେ ଆରମ୍ଭ ହେବାକୁ ଥିବା ତାଙ୍କର ଏକ ବଡ଼ ପ୍ରକଳ୍ପ ଉପରେ ମାଡ଼ି ବସିଥିବା ଏକ କଳାବାଦଲ ହଟିଲା ଭଳି ମନେହେଉଛି । କାରଣ ଏହା ପୂର୍ବରୁ ପରିସ୍ଥିତି ଏମିତି ଥିଲା ଯେ, ଶ୍ରୀଲଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଆଦାନୀ ଗ୍ରୁପ୍ ହାତରୁ ଚାଲିଯିବ ବୋଲି ମନେ ହେଉଥିଲା । କିନ୍ତୁ ଏବେ ସେଠାକାର ସରକାର ପୁଣି ଥରେ ଏହା ପ୍ରକଳ୍ପ ଉପରେ ଆଲୋଚନା କରିବାକୁ ଆଗ୍ରହ ଦେଖାଇଛନ୍ତି ।
ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ନଲିନ୍ଦା ଜୟତିସା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ୪୮୪ ମେଗାୱାଟ୍ କ୍ଷମତା ସମ୍ପନ୍ନ ଉଇଣ୍ଡ ଏନର୍ଜି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ମୂଲ୍ୟ ହ୍ରାସ କରିବା ପାଇଁ ଆଦାନୀ ଗ୍ରୀନ୍ ଏନର୍ଜି ସହିତ ବିଦ୍ୟୁତ କ୍ରୟ ଚୁକ୍ତିନାମା ନେଇ ପୁଣି ଆଲୋଚନା କରିବେ । ପ୍ରକଳ୍ପର ମୂଲ୍ୟ ପ୍ରତି ୟୁନିଟ୍କୁ ୦.୦୬ ଆମେରିକୀୟ ଡଲାରରୁ କମ୍ କରିବା ପାଇଁ ସରକାର ଆଦାନୀ ଗ୍ରୁପ୍ କମ୍ପାନୀ ସହିତ ଏକ ନୂଆ ଧାରାରେ ଆଲୋଚନା କରିବାକୁ ପ୍ରସ୍ତୁତି କରୁଛନ୍ତି । ସେ ଆହୁରି କହିଛନ୍ତି, ଆମେ ଚାହୁଁଛୁ ଏହା ଛଅ ଆମେରିକୀୟ ସେଣ୍ଟରୁ କମ୍ ହେଉ।
୨୦ ବର୍ଷ ପାଇଁ ହୋଇଥିଲା ଚୁକ୍ତିନାମା
ଶ୍ରୀଲଙ୍କାର ପୂର୍ବ ସରକାର ୮.୨ ସେଣ୍ଟ ମୂଲ୍ୟରେ ୪୮୪ ମେଗାୱାଟ ଉଇଣ୍ଡ ଏନର୍ଜି ପ୍ରକଳ୍ପ ପାଇଁ ଆଦାନୀ ଗ୍ରୀନ୍ ଏନର୍ଜି ସହିତ ୨୦ ବର୍ଷର ବିଦ୍ୟୁତ୍ କ୍ରୟ ଚୁକ୍ତି (PPA) କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ ସ୍ଥାନୀୟ ବିଡରମାନଙ୍କ ସହ ବିବାଦ ହୋଇଥିଲା । କାରଣ ସେମାନେ ଏହାଠାରୁ କମ୍ ମୂଲ୍ୟରେ ବିଦ୍ୟୁତ ଦେବେ ବୋଲି ଉଲ୍ଲେଖ କରିଥିଲେ । ଏହାର ଚାପରେ ପଡ଼ି, ଜୟତିସାଙ୍କ ଦଳ ନ୍ୟାସନାଲ ପିପୁଲ୍ସ ପାୱାର (NPP) ପୂର୍ବରୁ ଆଦାନୀ ଗ୍ରୀନ୍ ଏନର୍ଜି ପ୍ରକଳ୍ପକୁ ବାତିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ନୂଆ ସରକାର ଏହି ପ୍ରକଳ୍ପକୁ ବିରୋଧୀ କରୁଥିଲେ
ପୂର୍ବ ସରକାର ଦ୍ୱାରା ହୋଇଥିବା ଚୁକ୍ତିନାମାରେ ଦସ୍ତଖତ କରିବାକୁ ମନାକରିଥିଲେ ନୂଆ ସରକାର । ଆଦାନୀ ଗ୍ରୁପ ପକ୍ଷରୁ ଦିଆଯାଇଥିବା ବିକ୍ରୟ ମୂଲ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ନୂଆ ସରକାର ପକ୍ଷରୁ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣରୂପେ ରଦ୍ଦ କରାଯାଇନଥିଲା । କିନ୍ତୁ ଏହାକୁ ନେଇ ପୁଣି ଆଲୋଚନା ପାଇଁ ଚିନ୍ତା କରାଯାଇଥିଲା । କାରଣ ବର୍ତ୍ତମାନ ସରକାର ଏହା ଜାଣିବାକୁ ଚାହୁଁଥିଲେ ଯେ, ଅଡାନୀ ଗ୍ରୁପ ସହ ଯେଉଁ ଚୁକ୍ତି କରିଛନ୍ତି ପୂର୍ବ ସରକାର, ତାହା ବର୍ତ୍ତମାନ ପରିସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ହୋଇଛି ନା ନାହିଁ । ତେଣୁ ସେନେଇ ନିଶ୍ଚିତ ହେବାକୁ ପୁଣି ଥରେ ଆଲୋଚନା ପାଇଁ ଆଦାନୀ ଗ୍ରୁପ୍କୁ କୁହାଯାଇଛି । ତେବେ ଖବର ଅନୁସାରେ ଆଦାନୀ ଗ୍ରୁପ ଏହି ପ୍ରକଳ୍ପରେ ପ୍ରାୟ ୮୬୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୂଚନା ରହିଛି ।
ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଆଦାନୀ ମହାକୁମ୍ଭ ମେଳାରୁ ଫେରିଥିଲେ । ତେଣୁ ଏହାକୁ ନେଇ ଏବେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି ।