ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂ-କମ୍ପର ଝଟକା: ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୧

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ଉତ୍ତର ସୁଲାୱେସି ପ୍ରଦେଶ ନିକଟସ୍ଥ ଉପକୂଳରେ ଥିଲା। USGS ଏଜେନ୍ସି ଅନୁଯାୟୀ, ଭୂମିକମ୍ପଟି ବୁଧବାର ସକାଳ ୬.୫୫ରେ ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଆସିଥିଲା। ଆଶ୍ୱସ୍ତିର କଥା ହେଉଛି ଏହା ଦ୍ୱାରା ସୁନାମିର କୌଣସି ବିପଦ ନାହିଁ। ରାଜ୍ୟ ଭୂତତ୍ତ୍ୱ ସର୍ଭେ କହିଛି ଯେ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ରିପୋର୍ଟ ମିଳିନାହିଁ। ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୧ରେ ସୁଲାୱେସିରେ ହୋଇଥିବା ୬.୨ ତୀବ୍ରତାର ଭୂମିକମ୍ପରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ବାସହୀନ ହୋଇଯାଇଥିଲେ।
ପୂର୍ବରୁ ୨୦୧୮ ମସିହାରେ ସୁଲାୱେସିର ପାଲୁରେ ୭.୫ ତୀବ୍ରତାର ଭୂମିକମ୍ପ ଏବଂ ପରବର୍ତ୍ତୀ ସୁନାମିରେ ୨,୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୦୪ ମସିହାରେ, ଆଚେ ପ୍ରଦେଶରେ ୯.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ଆସିଥିଲା ଏବଂ ଇଣ୍ଡୋନେସିଆରେ ୧୭୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।