Financial Tips / ହଠାତ୍ ୮ ଲକ୍ଷ ଟଙ୍କା ମିଳିଲେ କେଉଁଠି ଖର୍ଚ୍ଚ କରିବେ? ଖୁସିର ରହସ୍ୟ ଖୋଜିଛି ଗବେଷଣା

Key Points
ଆକାଉଣ୍ଟକୁ ଆସିଲା ୮ ଲକ୍ଷ ! ଲୋକେ କେଉଁଠି ଖର୍ଚ୍ଚ କଲେ ?
୮ ଲକ୍ଷ ମିଳିଲେ କ’ଣ କରିବେ ? ଏହି କାମରେ ମିଳେ ଅଧିକ ଖୁସି !
୮ ଲକ୍ଷ ମିଳିଲେ... କେଉଁଠି ଖର୍ଚ୍ଚ କରିବେ ?
ଭାବନ୍ତୁ ତ, ଦିନେ ସକାଳୁ ଉଠି ଜାଣିଲେ ଯେ ଆପଣଙ୍କ ବ୍ୟାଙ୍କ ଖାତାରେ ହଠାତ୍ ପ୍ରାୟ ୮ ଲକ୍ଷ ଟଙ୍କା ଆସିଯାଇଛି । ଏହି ଟଙ୍କା ମିଳିବା ପରେ ଆପଣ କ’ଣ କରିବେ ? ନୂଆ କାର୍ କିଣିବେ? ଦାମୀ ମୋବାଇଲ୍ ନେବେ? ଘରର ଜରୁରୀ କାମ କରିବେ ? ଋଣ ଶୁଝିବେ? ପରିବାର ସହ ବୁଲିବାକୁ ଯିବେ? ନିଜ ପାଠପଢ଼ାରେ ଖର୍ଚ୍ଚ କରିବେ? ନା ଜଣେ ଆବଶ୍ୟକତାଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ?
ପ୍ରଶ୍ନ କେବଳ ଏତିକି ନୁହେଁ ଯେ ହଠାତ୍ ମିଳିଥିବା ଟଙ୍କାରେ ଆପଣ କ’ଣ କିଣିବେ। ପ୍ରଶ୍ନ ହେଉଛି ଟଙ୍କାକୁ କେଉଁଠି ଖର୍ଚ୍ଚ କଲେ ଆମେ ଅଧିକ ଖୁସି ଅନୁଭବ କରିପାରିବା ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ହୋଇଥିବା ଏକ ଗବେଷଣାରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ।
୩୦୦ ଜଣଙ୍କୁ ନେଇ ହୋଇଥିଲା ଅଧ୍ୟୟନ
ହାର୍ଭାର୍ଡ T.H. ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ସହ ସମ୍ପୃକ୍ତ ଗବେଷଣାରେ ଇଣ୍ଡୋନେସିଆ, କେନିଆ, ବ୍ରାଜିଲ୍, ଆମେରିକା, ବ୍ରିଟେନ୍, କାନାଡା ଓ ଅଷ୍ଟ୍ରେଲିଆର ମୋଟ ୩୦୦ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ହଠାତ୍ ୧୦,୦୦୦ ଡଲାର ଟଙ୍କା ଦିଆଯାଇଥିଲା । ସେମାନଙ୍କୁ ତିନି ମାସ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲା । ଅନ୍ୟ ୧୦୦ ଜଣଙ୍କୁ କୌଣସି ଟଙ୍କା ଦିଆଯାଇନଥିଲା ଏବଂ ସେମାନଙ୍କୁ କଣ୍ଟ୍ରୋଲ୍ ଗ୍ରୁପ୍ ଭାବେ ଅଧ୍ୟୟନ କରାଯାଇଥିଲା ।
ଲୋକେ ଟଙ୍କା କେଉଁଠି ଖର୍ଚ୍ଚ କଲେ ?
ଯେଉଁ ୨୦୦ ଜଣଙ୍କୁ ଟଙ୍କା ମିଳିଥିଲା, ସେମାନଙ୍କୁ ପ୍ରତି ମାସରେ ପଚରାଯାଉଥିଲା ଟଙ୍କା କେଉଁଠି ଖର୍ଚ୍ଚ କଲେ ଏବଂ ସେହି ଖର୍ଚ୍ଚ ପରେ କେତେ ଖୁସି ଅନୁଭବ କଲେ ? ତିନି ମାସର ଖର୍ଚ୍ଚ ସମୟ ଶେଷ ପରେ ଏବଂ ତା’ପରେ ଆଉ ତିନି ମାସ ପର୍ଯ୍ୟନ୍ତ ମଧ୍ୟ ଗବେଷକମାନେ ସେମାନଙ୍କ ମାନସିକ ସୁସ୍ଥତା ଓ ଖୁସିର ସ୍ତରକୁ ଟ୍ରାକ୍ କରିଥିଲେ ।
ଏଥିରୁ ଏକ ରୋଚକ ପ୍ୟାଟର୍ନ ସାମ୍ନାକୁ ଆସିଥିଲା
ଅନୁଭୂତିମୂଳକ ଖର୍ଚ୍ଚ, ଶିକ୍ଷା ଏବଂ ବ୍ୟକ୍ତିଗତ ଯତ୍ନ ଭଳି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରିବା ସହ ଅଧିକ ଖୁସି ଅନୁଭବ କରିବାର ସମ୍ପର୍କ ଦେଖାଯାଇଥିଲା । ଅର୍ଥାତ୍ କେହି ବୁଲିବା କିମ୍ବା ଅନ୍ୟ ଅନୁଭୂତିରେ ଟଙ୍କା ଖର୍ଚ୍ଚ କରିଥିଲେ, କେହି ଶିକ୍ଷାରେ, କେହି ନିଜ ଯତ୍ନରେ ଏବଂ ଆଉ କିଛି ଲୋକ ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ । ଏହି କ୍ଷେତ୍ରଗୁଡ଼ିକରେ ଖର୍ଚ୍ଚ କରିଥିବା ଲୋକମାନେ ଅଧିକ ଖୁସି ଅନୁଭବ କରିଥିବା ରିପୋର୍ଟ ହୋଇଥିଲା ।
ସବୁ ଦେଶରେ ଟଙ୍କାରୁ ମିଳୁଥିବା ଖୁସି ସମାନ ନୁହେଁ
ଗବେଷଣାର ଆଉ ଏକ ରୋଚକ ଦିଗ ହେଉଛି ଟଙ୍କା ଖର୍ଚ୍ଚ ଓ ଖୁସି ମଧ୍ୟରେ ସମ୍ପର୍କ ପ୍ରତ୍ୟେକ ଦେଶରେ ସମାନ ନଥିଲା । ଅଧିକ ଆୟ ଥିବା ଦେଶର ଲୋକମାନେ ଉପହାର ଦେବା ଓ ସମୟ ବଞ୍ଚାଇବା ପାଇଁ କରାଯାଉଥିବା ଖର୍ଚ୍ଚରୁ ତୁଳନାମୂଳକ ଭାବେ ଅଧିକ ଖୁସି ଅନୁଭବ କରିଥିଲେ । ଅନ୍ୟପକ୍ଷରେ, ଅଧିକ ଆୟ ଥିବା ଦେଶଗୁଡ଼ିକରେ ଋଣ ପରିଶୋଧ ଓ ଘର ସମ୍ପର୍କିତ ଖର୍ଚ୍ଚରୁ ମିଳୁଥିବା ଖୁସି ତୁଳନାମୂଳକ ଭାବେ କମ୍ ଦେଖାଯାଇଥିଲା ।
ତେବେ ଏହାର ଅର୍ଥ ଏନୁହେଁ ଯେ ଋଣ ଶୁଝିବା କିମ୍ବା ଘରର ଆବଶ୍ୟକତା ପୂରଣ କଲେ ଖୁସି ମିଳେ ନାହିଁ । ବରଂ ଗବେଷଣା ଏହା ସୂଚାଉଛି ଯେ ଆର୍ଥିକ ଓ ସାମାଜିକ ପରିସ୍ଥିତି ଅନୁସାରେ ସମାନ ପ୍ରକାରର ଖର୍ଚ୍ଚର ପ୍ରଭାବ ଭିନ୍ନ ହୋଇପାରେ ।
ଟଙ୍କା ମିଳିଲେ ସମସ୍ତେ କ’ଣ ଖୁସି ହୋଇଗଲେ ?
ଗବେଷକମାନେ ଟଙ୍କା ନମିଳିଥିବା ୧୦୦ ଜଣଙ୍କୁ ମଧ୍ୟ ଅଧ୍ୟୟନ କରିଥିଲେ । ଯେଉଁ ଲୋକମାନଙ୍କୁ ହଠାତ୍ ଟଙ୍କା ମିଳିଥିଲା, ସେମାନଙ୍କ ସାମଗ୍ରିକ well-being କଣ୍ଟ୍ରୋଲ୍ ଗ୍ରୁପ୍ ତୁଳନାରେ ଭଲ ଥିବା ଦେଖାଯାଇଥିଲା । କିନ୍ତୁ ଏଠାରେ ଆଉ ଏକ ମୁଖ୍ୟ କଥା ରହିଛି । ଟଙ୍କା ମିଳିବା ପରେ ଲୋକମାନେ ସେହି ଟଙ୍କାକୁ କେଉଁଠି ଓ କିପରି ଖର୍ଚ୍ଚ କଲେ, ସେଥିସହ ମଧ୍ୟ ସେମାନଙ୍କ well-beingର ସମ୍ପର୍କ ଥିଲା । ଅର୍ଥାତ୍ କେବଳ ଅଧିକ ଟଙ୍କା ଥିବା ହିଁ କଥା ନୁହେଁ; ଟଙ୍କାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ସେଥି ମଧ୍ୟ ଜୀବନର ସନ୍ତୁଷ୍ଟି ସହ ଜଡ଼ିତ ହୋଇପାରେ ।
ତେବେ ହଠାତ୍ ଟଙ୍କା ମିଳିଲେ କ’ଣ କରିବେ ?
ଏହି ଗବେଷଣା ଆଧାରରେ ସମସ୍ତଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମୁଲା ଦିଆଯାଇପାରିବ ନାହିଁ । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି, ଦାୟିତ୍ୱ, ଆବଶ୍ୟକତା ଓ ପ୍ରାଥମିକତା ଭିନ୍ନ । ତଥାପି ଗବେଷଣାର ଫଳାଫଳରୁ ଏହି ସଙ୍କେତ ମିଳୁଛି ଯେ, ଅତିରିକ୍ତ ଟଙ୍କା ମିଳିଲେ ତାହାର କିଛି ଅଂଶ ଅନୁଭୂତି, ଶିକ୍ଷା, ବ୍ୟକ୍ତିଗତ ଯତ୍ନ କିମ୍ବା ଅନ୍ୟମାନଙ୍କ ସହାୟତା ପାଇଁ ବ୍ୟବହାର କରିବା well-being ସହ ଜଡ଼ିତ ହୋଇପାରେ ।
ଶେଷରେ ପ୍ରଶ୍ନଟି ପୁଣି ସେଇଠିକୁ ଫେରେ- ଟଙ୍କା କେତେ ଅଛି, ଏହା ଯେତିକି ଗୁରୁତ୍ୱପୂର୍ଣ୍ଣ, ଟଙ୍କାକୁ ଆମେ କେଉଁଠି ଖର୍ଚ୍ଚ କରୁଛୁ, ସେତିକି ଗୁରୁତ୍ୱପୂର୍ଣ୍ଣ କି ?
ଗବେଷଣାର ସଙ୍କେତ ହେଉଛି- ହୋଇପାରେ, ଟଙ୍କାର ମୂଲ୍ୟ କେବଳ ତାହାର ପରିମାଣରେ ନୁହେଁ, ଏହାକୁ ଆମେ କିପରି ବ୍ୟବହାର କରୁଛୁ ସେଥିରେ ମଧ୍ୟ ରହିଛି ।
📱 Get Argus News App
✨Related Topics
Explore more stories