Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରବିବାର ଛୁଟି ବନ୍ଦ !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·4 min read
ରବିବାର ଛୁଟି ବନ୍ଦ !

Key Points

ଅର୍ଗସ ବ୍ୟୁରୋ: କାଲି ରବିବାର ଛୁଟି, ଅଫିସ ନାହିଁ, କିଛି ଗୋଟେ ପ୍ଲାନ କରିବା, ମୁଭି ଦେଖିବାକୁ ଯିବା, ନହେଲେ ଫ୍ୟାମିଲି ସହ ମାର୍କେଟ ଯିବା । ନା ଥାଉ ସାଙ୍ଗମାନଙ୍କ ସହ ଇଭିନିଙ୍ଗରେ ଗୋଟେ ପାର୍ଟି କରିବା। ଦଶନ୍ଧି ଦଶନ୍ଧି ଚାଲି ଆସିଥିବା ଏଇ ଧାରା ଆଜିର ନୁହେଁ ଇଂରେଜ ଅମଳରୁ ଚାଲିଆସିଛି । ଓ୍ବିକେଣ୍ଡରେ ଟିକେ ରିଲାକ୍ସ କରିବା, ଫ୍ୟାମିଲି ଫ୍ରେଣ୍ଡସଙ୍କୁ ଟାଇମ ଦେବା। ଏ ତମାମ ପ୍ରତୀକ୍ଷା ଚାକିରିଆ ମାନଙ୍କ ରୁଟିନରେ ଏକ ରୁଚିକର ଆଶା । ହେଲେ କେହି ଯଦି ଜଣେ ହଠାତ ଆସି ଆପଣଙ୍କୁ କହିବେ , ଆପଣ ଆଉ ରବିବାର ଛୁଟିରେ ରହିବେ ନି । ରବିବାର ଅଫିସ ଆସି କାମ କରିବେ । ରବିବାର ଘରେ ରହି କଣ କରିବେ ? ତା ହେଲେ ଆପଣ କ'ଣ ପ୍ରତିକ୍ରିୟା ଦେବେ ? ହୁଏତ ଆପଣ କହିବେ ଏ ଅଜବ କଥା ବନ୍ଦ କର ।


ଲାରସେନ ଆଣ୍ଡ ଟୁବ୍ରୋ ବା ଏଲଆଣ୍ଡଟି ଇଣ୍ଡିଆ ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମ,ଏକ ଭିଡିଓ କନଫରେନ୍ସିଂରେ କର୍ମଚାରୀଙ୍କୁ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେ ରବିବାର ବି ଅଫିସ ଯାଆନ୍ତି ଆଉ ଅନ୍ୟମାନେ ଯାଆନ୍ତୁ ବୋଲି କହିଛନ୍ତି । ଆଉ ବି କହିଛନ୍ତି କେତେ ସମୟ ଆଉ ଘରେ ସ୍ତ୍ରୀ ମୁହଁକୁ ଚାହିଁ ରହିବେ। ରବିବାର ଅଫିସ ଆସ କାମ କର! ଯାହା ଶୋସିଆଲ ମିଡିଆରେ ଝଡ ହେଇଯାଇଛି । ସୁବ୍ରମଣ୍ୟମଙ୍କ ଆହ୍ବାନ ଛୁଟିଦିନ ରବିବାରକୁ ଦୋ ଛକିରେ ଛିଡା କରିଛି । କିଏ କହୁଛି ରବିବାର ଛୁଟି ଅର୍ଥନୈତିକ ବିକାଶରେ ବାଧା ତ ଅଧିକାଂଶ ଲୋକଙ୍କ ମତ ରବିବାର ଛୁଟି କର୍ମମୟ ଜୀବନ ସନ୍ତୁଳନରେ ଏକ ବଡ ଆବଶ୍ୟକତା। ଯାହାକୁ ଏଡାଇ ହବନି ।


ଛୁଟିଦିନ ପାଇଁ ରବିବାରକୁ କାହିଁକି ନିଆଗଲା?


ଭାରତରେ ବ୍ରିଟିଶ ଶାସନ ସମୟରେ ଶ୍ରମିକମାନଙ୍କୁ ସପ୍ତାହ ସାରା କାମ କରିବାକୁ ବାଧ୍ୟ କରାଯାଉଥିଲା। ରବିବାର ଫିରିଙ୍ଗିବାବୁ ମାନେ ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଉଥିଲେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଶ୍ରମିକ ମେଳିର ନେତା ଶ୍ରୀନାରାୟଣ ମେଘାଜୀ ଲଖୋଣ୍ଡେ । ସପ୍ତାହରେ ୬ ଦିନ କାର୍ଯ୍ୟ କରିବା ପରେ ଗୋଟିଏ ଦିନ ଛୁଟି ଦେବାକୁ ସେ ପ୍ରସ୍ତାବ ଦେଇଥିଲେ ଇଂରେଜ ସରକାରଙ୍କୁ। ବହୁ ବାଦବିବାଦ ସଂଘର୍ଷ ପରେ ଶେଷରେ ୧୦ ଜୁନ ୧୮୯୦ ରେ ରବିବାରକୁ ସାପ୍ତାହିକ ଛୁଟି ଭାବେ ଘୋଷଣା କରାଗଲା । ଲୋକକଥା ଅନୁସାରେ ପ୍ରାଚୀନ ସମୟରେ ସୂର୍ଯ୍ୟଙ୍କୁ ଉପାସନା କରାଯାଉଥିଲା । ପରେ ଯେବେ ଚର୍ଚ୍ଚ ଗଠନ ହେଲା ରବିବାର ଲୋକେ ଚର୍ଚ୍ଚକୁ ଗଲେ। ତେଣୁ ରବିବାରକୁ ଛୁଟିଦିନ ବୋଲି ମାନିନେଲେ ସମସ୍ତେ। ହେଲେ ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ଆଜି ବି ନାହିଁ


କେଉଁ ଦେଶରେ କେଉଁଦିନ ସାପ୍ତାହିକ ଛୁଟି ?


ବାଂଲାଦେଶ , ଇରାକ , ୟେମିନି, ସରିଆ, ଓମାନ, କତାର, ସାଉଦି, ମାଲେସିଆ, ମାଲଦିବିସ୍, ଯୋଡନରେ ଶୁକ୍ରବାର ଓ ଶନିବାର ଛୁଟି ରହିଥାଏ। ଆଫଗାନିସ୍ତାନରେ ଗୁରୁବାର ଶୁକ୍ରବାର ଛୁଟି। ଇରାନରେ ଶୁକ୍ରବାର, ନେପାଳରେ ଶନିବାର, ଆଉ ରବିବାର ଦିନ ଇଣ୍ଡିଆ, ମେକ୍ସିକୋ, କଲମ୍ବିଆ, ଫିଲିପିନ୍‌ଜରେ ଛୁଟିଦିନ ରହିଛି। ସାଧାରଣତଃ ଇସଲାମିକ ଦେଶ ଗୁଡିକରେ ଶୁକ୍ରବାର ଛୁଟି ରହିଥାଏ। ଏହି ଦେଶ ଗୁଡିକରେ ଶୁକ୍ରବାର ପ୍ରାର୍ଥନାର ଦିନ ଥିବାରୁ ଶୁକ୍ରବାର ଛୁଟି ରହେ। ସେପଟେ କାନାଡା, ଆମେରିକା ଭଳି ଦେଶମାନଙ୍କରେ ସାପ୍ତାହିକ ଛୁଟିରେ ପରିବର୍ତ୍ତନ ଦେଶର ବିକାଶକୁ ଆଗକୁ ନିଏ ବୋଲି ବିଚାର କରାଯାଏ


ଆମ ଦେଶରେ ଛୁଟି ପାଇଁ କ'ଣ ନିୟମ ଅଛି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମଦେଶରେ ଛୁଟି ସହ ସପ୍ତାହକୁ ଜଣେ ବ୍ୟକ୍ତି କେତେଘଣ୍ଟା କାମ କରିବ ତା ଆଇନରେ ଲେଖା ହେଇଛି। ଭାରତୀୟ ଖାରଖାନା ଅଧିନିୟମ ଅନୁସାରେ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ଅଧିନିୟମ ରହିଛି। ଅଧିକରୁ ଅଧିକ ୯ ଘଣ୍ଟା କାମ କରିବାର ପ୍ରାବଧାନ ଅଛି। ସେହିଭଳି ଲଗାତାର ୫ ଘଣ୍ଟା କାମ କରିବା ପରେ ଅଧଘଣ୍ଟାଏ ବିଶ୍ରାମ କରିବା ପାଇଁ ଆଇନ୍ କହୁଛି। ସପ୍ତାହକୁ ୪୮ ଘଣ୍ଟା ପରେ କାର୍ଯ୍ୟକଲେ ଏହାକୁ ଓଭରଟାଇମ୍ ଭାବେ ହିସାବ କରାଯିବ। ଏଥିପାଇଁ ଅତିରିକ୍ତ ଭାବେ ପାରିଶ୍ରମିକ ଦେବେ ପ୍ରତିଷ୍ଠାନ। ଆମ ଦେଶରେ ପ୍ରଚଳିତ ଏଚଆର ପଲିସି ବି ସମାନ କଥା କହେ ୫ ଘଣ୍ଟା ବ୍ୟବଧାନରେ ଅଧଘଣ୍ଟା ବିଶ୍ରାମକୁ ମିଶାଇ ସର୍ବାଧିକ ୧୦ ଘଣ୍ଟା ୫ ମିନିଟରୁ ଅଧିକ ହୋଇପାରିବ ନାହିଁ। ସପ୍ତାହରେ ଗୋଟିଏ ଦିନ ଛୁଟି ଦେବା ବାଧ୍ୟତାମୂଳକ। ବିଭିନ୍ନ ଜରୁରୀକାଳୀନ ବୃତ୍ତି, ମିଡିଆ, ପୋଲିସ, ଡକ୍ଟର ଭଳି ଚାକିରିରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଆଧାରରେ ସପ୍ତାହରେ ଭିନ୍ନ ଭିନ୍ନ ଦିନ ଛୁଟି ଦିଆଯାଏ। ଯେମିତି କି ଟିକେ ବୁଲାବୁଲି କରିବା, ମନୋରଞ୍ଜନ କରିବା, ପରିବାର ସହ ସମୟ କାଟିହେବ। ଏମିତି ନହେଲ ମାନସିକ ଚାପ ବୃତ୍ତିରେ ବ୍ୟତିକ୍ରମ ଆଣିପାରେ




ଯଦି ଆମେରିକାରେ ସପ୍ତାହକୁ ୪୦ଘଣ୍ଟା, ୟୁକେରେ ୪୮ଘଣ୍ଟା, ଅଷ୍ଟ୍ରେଲିଆରେ ୩୮ଘଣ୍ଟା, ଫ୍ରାନ୍ସରେ ୩୬, ନେଦରଲ୍ୟାଣ୍ଡରେ ସପ୍ତାହକୁ ୨୯ଘଣ୍ଟା କାମ କରନ୍ତି କର୍ମଚାରୀ । ଯଦି ଏତେ କମ ସମୟ କାମ କରି ଏହି ଦେଶମାନେ ଭାରତଠାରୁ ବିକଶିତ ତାହେଲ ଭାରତୀୟମାନେ ସପ୍ତାହକୁ ୪୮ ଘଣ୍ଟା କାମ କରି କାହିଁକି ଦେଶକୁ ପ୍ରଗତିର ଶିଖରରେ ପହଞ୍ଚାଇ ପାରିବେନି।


ସପ୍ତାହରେ ୪ ଦିନ କାମ କରିବେ କର୍ମଚାରୀ


ବ୍ରିଟେନରେ ଗତ କିଛି ବର୍ଷ ତଳେ ୬୦ ଟି ବଡବଡ କମ୍ପାନୀ ଏକ ନିୟମ ଆଣିଥିଲେ , ସପ୍ତାହରେ ୪ ଦିନ କାମ କରିବେ କର୍ମଚାରୀ, ବାକି ୩ ଦିନ ଓ୍ବିକ ଅଫ୍। ଏହି କନେସପ୍ଟକୁ ବ୍ରିଟେନରେ ଫୋର ଡେ ଓ୍ବାର୍କ ଓ୍ବିକ୍ ବା ଓ୍ବାର୍କ ଲାଇଫ ବାଲାନ୍ସ ବୋଲି କୁହାଯାଏ । ଯାହାର ମୁଖ୍ୟ ଉଦେଶ୍ୟ ହେଉଛି ଅଧିକ ରିଲାକ୍ସ ହେଲେ ଜଣେ ଅଧିକ ପ୍ରଡକ୍ଟ ଦେଇପାରିବ। ୨୦୨୧ ମସିହାରେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ବି ବ୍ରିଟେନର ୩ ଦିନିଆ ଛୁଟିକୁ ନେଇ ବିଚାର ବିମର୍ଶ କରୁଥିଲା । ଏମିତି ହେଲେ କର୍ମଚାରୀଙ୍କ ଓ୍ବାର୍କ ଟାଇମ ବଢିବା ସହ ବେତନରେ ହ୍ରାସ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଇ କନସେପ୍ଟ ଉପରେ ଅର୍ଥନୀତି ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହିଛି। ଓ୍ବିକ ଅଫ୍ ଯେତେଦିନ ବଢିବ ଲୋକ ସେତେ ବୁଲାବୁଲି କରିବେ, ସପିଂ କରିବେ ଖର୍ଚ୍ଚ କରିବେ । ଯାହାଦ୍ବାରା ଦେଶର ଅର୍ଥବ୍ୟବସ୍ଥା ସୁଦୃଢ ହେବ


ସପ୍ତାହକୁ ୫୫ ଘଣ୍ଟାରୁ ଅଧିକ କାମ କଲେ ବ୍ରେନଷ୍ଟ୍ରୋକ ହେବ


ଆମେ ସମସ୍ତେ ଜାଣିଛୁ ପ୍ରକୃତିଗତ ଭାବେ ମଣିଷ ସବୁଠୁ ସୁବିଧାବାଦୀ। ନିଜ ସୁବିଧା ଅନୁସାରେ ନିଜକୁ ପରିଚାଳନା କରେ। ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ନିର୍ଦ୍ଧିଷ୍ଟ ବ୍ୟବଧାନରେ କାମରୁ ବିରତି ନନେଲେ ମଣିଷର ମାନସିକ ଅଶାନ୍ତି ବଢେ। ମାନସିକ ଚିନ୍ତା କେବଳ ନିଜ ଜୀବନକୁ ପ୍ରଭାବିତ କରେ ତାନୁହେଁ ଆମ କାମ, ସମ୍ପର୍କୀୟଙ୍କ ସହିତ ସମ୍ପର୍କ , ଜୀବନଧାରାକୁ ବଦଳାଇଦିଏ। ଡବ୍ଲୁଏଚଓ ରିପୋର୍ଟ ଅନୁସାରେ ଅବସାଦ ଏବଂ ଚିନ୍ତା କାରଣରୁ ବିଶ୍ୱ ଅର୍ଥନୀତି ପ୍ରତିବର୍ଷ ୧ ଟ୍ରିଲିୟନ ଡଲାର କ୍ଷତି ସହୁଛି। ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ 'ହୁ'ର ପରାମର୍ଶ ୫୫ ଘଣ୍ଟାରୁ ଅଧିକ ସମୟ କାମକଲେ ହୃଦରୋଗ ଓ ବ୍ରେନଷ୍ଟ୍ରୋକ ଆଶଙ୍କା ବଢିଯାଏ। ଶେଷରେ ଆମେ ଏତିକି କହି ପାରିବା ଭଲ କାମ ପାଇଁ ଅଧିକ ସମୟ ନୁହେଁ ସୁସ୍ଥ ମାନସିକତା ଦରକାର । ଯାହା କାର୍ଯ୍ୟରେ କ୍ବାଲିଟି ସହ କ୍ବାଣ୍ଟିଟି ବଢାଇପାରେ। ବିଶ୍ବର ବିକଶିତ ଦେଶମାନେ ଏ କନସେପ୍ଟକୁ ଆପଣେଇ କିଛି ମାତ୍ରାରେ ସଫଳତା ବି ପାଇସାରିଛନ୍ତି।

Sponsored
Sunday off! | Argus News