Hanuman Ansh / ‘ହନୁମାନ ଅଂଶ’ ଗୀତରେ ଚମକିଲା ସୁନୀଲଙ୍କ ଭାଗ୍ୟ, ଏବେ ଦେଖିବେ ଦୁନିଆ

Key Points
‘ହନୁମାନଙ୍କ କୃପାରେ ସବୁ ହେଉଛି’
ଫିଲ୍ମ ‘ହନୁମାନ ଅଂଶ’ର ସଫଳତା ସହ ଏହାର ଷ୍ଟାରକାଷ୍ଟ ଓ ପୂରା ଟିମ୍ର ଭାଗ୍ୟ ମଧ୍ୟ ଚମକିଛି । ଫିଲ୍ମର ଗୀତଗୁଡ଼ିକ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି । ବିଶେଷ କରି ‘ମୁଁ ତୋରି ଭରସାରେ ହନୁମାନ…’ ଗୀତଟି ଖୁବ୍ ଭାଇରାଲ ହୋଇଛି ।
ଏହି ଭକ୍ତିମୟ ଗୀତକୁ ଗାଇଛନ୍ତି ବୁନ୍ଦେଲଖଣ୍ଡର ଗାୟକ ସୁନୀଲ ଲୋଧୀ । ଗୀତ ଭାଇରାଲ ହେବା ପରେ ସୁନୀଲ ମଧ୍ୟ ଚର୍ଚ୍ଚାରେ ଆସିଥିଲେ । କିନ୍ତୁ ଲୋକେ ଯେତେବେଳେ ଜାଣିଲେ ଯେ ସୁନୀଲ ଦେଖିପାରନ୍ତି ନାହିଁ, ସେତେବେଳେ ଅନେକଙ୍କ ମନକୁ ଛୁଇଁଥିଲା ତାଙ୍କ କାହାଣୀ । ଏବେ ସୁନୀଲଙ୍କ ଜୀବନରେ ଆସିଛି ଏକ ନୂଆ ଆଶା । ଫିଲ୍ମର ପ୍ରଯୋଜିକା ଅନୁପ୍ରିୟା ନାଗର ତାଙ୍କ ଆଖିର ଚିକିତ୍ସା କରାଇବା ନେଇ ଘୋଷଣା କରିଛନ୍ତି ।
‘ହନୁମାନଙ୍କ କୃପାରେ ସବୁ ହେଉଛି’
ଏକ ସାକ୍ଷାତକାରରେ ଅନୁପ୍ରିୟା କହିଛନ୍ତି ଯେ, ସୁନୀଲ ଲୋଧୀ ପୂର୍ବରୁ ଟ୍ରେନ୍ରେ ଗୀତ ଗାଉଥିଲେ। ତାଙ୍କ ସ୍ୱର ଭଗବାନଙ୍କ ଦିଆ ଉପହାର ଭଳି । ସେ କହିଥିଲେ, ଏହି ଗୀତଟି ସରଳ ଥିଲା ଏବଂ ଏଥିରେ ବହୁତ କମ୍ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ବ୍ୟବହାର ହୋଇଥିଲା । ତଥାପି ଗୀତରେ ଭକ୍ତିର ଭାବନା ଲୋକଙ୍କୁ ଛୁଇଁଥିଲା ।
ସୁନୀଲଙ୍କୁ ଯେତେବେଳେ କୁହାଗଲା ଯେ ସେ ଇଣ୍ଟରନେଟ୍ ସେନ୍ସେସନ୍ ହୋଇଯାଇଛନ୍ତି, ସେ ଏହାର ଶ୍ରେୟ ନିଜକୁ ନଦେଇ କହିଥିଲେ ଏହା ହନୁମାନଜୀଙ୍କ କୃପା ।
ସୁନୀଲ ଦେଖିପାରିବେ ଲୋକଙ୍କ ଭଲପାଇବା
ଅନୁପ୍ରିୟା କହିଛନ୍ତି ଯେ, ଅନେକ ଲୋକ ନିଜର ଅସୁବିଧାକୁ ନେଇ ଚିନ୍ତିତ ରୁହନ୍ତି, କିନ୍ତୁ ସୁନୀଲ ଲୋଧୀ ତାହାଠାରୁ ଅଲଗା । ଛୋଟବେଳୁ ତାଙ୍କ ଆଖିର ଆଲୋକ ନଥିଲେ ମଧ୍ୟ ତାଙ୍କ ଭକ୍ତି ଓ ଆତ୍ମବିଶ୍ୱାସ ଅଦ୍ଭୁତ । କିଛି ଦିନ ପୂର୍ବରୁ ସୁନୀଲ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଭେଟିଥିଲେ । ସେଠାରେ ତାଙ୍କ ଆଖିର ଚିକିତ୍ସା କରାଇବା ନେଇ ଆଶ୍ୱାସନ ମିଳିଥିଲା ।
ଅନୁପ୍ରିୟା କହିଛନ୍ତି ଯେ, ସେ ମଧ୍ୟ ସୁନୀଲଙ୍କୁ ଚିକିତ୍ସା ପାଇଁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ନିଆଯାଇଛି । ସୁନୀଲ ମୁମ୍ବାଇ ଫେରିଲେ ତାଙ୍କୁ ଭଲ ଡାକ୍ତରଙ୍କ ପାଖକୁ ନିଆଯିବ ।
ଅନୁପ୍ରିୟାଙ୍କ କହିବା ଅନୁସାରେ, ଲୋକଙ୍କ ଭଲପାଇବା ସୁନୀଲ ଅନୁଭବ କରିପାରୁଛନ୍ତି, କିନ୍ତୁ ଦେଖିପାରୁନାହାନ୍ତି । ସେ ଚାହୁଁଛନ୍ତି ଯେ ସୁନୀଲ ନିଜ ଆଖିରେ ଏହି ଭଲପାଇବାକୁ ଦେଖନ୍ତୁ ।
📱 Get Argus News App
✨Related Topics
Explore more stories