Supermoon / ଆଜି ଦେଖାଦେବ ‘ସୁପରମୁନ୍’: ଜାଣନ୍ତୁ କ'ଣ ରହିଛି ପ୍ରଭାବ

Key Points
କାର୍ତ୍ତିକ ପୂର୍ଣ୍ଣିମାରେ ଦେଖାଯିବ ପୂର୍ଣ୍ଣ ଚନ୍ଦ୍ର
ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ
ଆକାଶ ମେଘ ମୁକ୍ତ ଥିଲେ ଦେଖିହେବ `ସୁପରମୁନ୍'
କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ
କାର୍ତ୍ତିକ ପୂର୍ଣ୍ଣିମାରେ `ସୁପରମୁନ୍' । ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ଣ୍ଣ ଚନ୍ଦ୍ର ବା “ସୁପରମୁନ" ଦେଖାଯିବ । ଏହା ଗୋଟିଏ ବିରଳ ତଥା ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ । “ସୁପରମୁନ “ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ ବୋଲି କହିଛନ୍ତି ବୈଜ୍ଞାନିକ ।
ଆଜି ପୂର୍ଣ୍ଣିମାରେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବ। ଫଳରେ ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ବଳ ଦେଖାଯିବ। ପୃଥିବୀ ଚାରିପାଖରେ ଚନ୍ଦ୍ରର କକ୍ଷପଥ ବୃତ୍ତାକାର ନୁହେଁ, ଅଣ୍ଡାକାର। ଯାହାର ଅର୍ଥ ପୃଥିବୀଠାରୁ ଏହାର ଦୂରତା ପ୍ରତିମାସରେ ସାମାନ୍ୟ ପରିବର୍ତ୍ତନ ହୁଏ। ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି ବୋଲି କୁହାଯାଏ। ଆଉ ଏହି ସମୟ ଯଦି ପୂର୍ଣ୍ଣମୀ ସମୟରେ ହୁଏ ତେବେ ଏହାକୁ ସୁପର ମୁନ୍ ବୋଲି କୁହାଯାଏ।
ସୁପରମୁନ୍ ସମୟରେ ପୂର୍ଣ୍ଣିମାଚନ୍ଦ୍ର ଅନ୍ୟ ସମୟ ଅପେକ୍ଷା ଉଲ୍ଲେଖନୀୟ ଭାବରେ ବଡ଼ ଓ ଅଧିକ ଉଜ୍ଜ୍ବଳ ଦେଖାଯାଏ। ଏହି ମହାଜାଗତିକ ଦୃଶ୍ୟ ଦେଖିବାପାଇଁ ଆପଣଙ୍କୁ ଟେଲିସ୍କୋପ୍ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ହେବ ନାହିଁ କେବଳ ସ୍ବଚ୍ଛ ଆକାଶ ଓ ଅନ୍ଧାରୁଆ ସ୍ଥାନ ଖୋଜି ସେଠାରୁ ଦେଖନ୍ତୁ ଆପଣ ଦେଖିପାରିବେ। ଆପଣଙ୍କ ନିଜ ଛାତ ଉପରେ କିମ୍ବା ଖୋଲା ପଡ଼ିଆରେ ମଧ୍ୟ ଏହି ମହାଜାଗତିକ ଦୃଶ୍ୟକୁ ଆପଣ ଦେଖିପାରିବେ। ଆସନ୍ତା କାଲି ସନ୍ଧ୍ୟା ୬ଟା୩୦ ପରଠାରୁ ଆପଣ ଏହି ଚମତ୍କାର ଦୃଶ୍ୟ ଦେଖିପାରିବେ।
୧୯୭୯ରେ ସୁପରମୁନ୍ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷୀ ରିଚାର୍ଡ ନଲ୍ ପ୍ରଚଳନ କରିଥିଲେ। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ଏକ ପୂର୍ଣ୍ଣିମା ପଡ଼ିଥାଏ । ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ଥାଏ। ଜ୍ୟୋତିଷୀ ରିଚାର୍ଡ ନଲ୍ଙ୍କ ପରିଭାଷାରେ ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ପୂର୍ଣ୍ଣିମା ପଡ଼ିଲେ ତାହାକୁ ‘ସୁପରମୁନ୍’ କୁହାଯାଏ।
ଅର୍ଥାତ୍ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ। ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏଭଳି ଘଟଣା ୨ ରୁ ୪ ଥର ଘଟିଥାଏ। ୨୦୨୫ରେ ମୋଟ୍ ୩ ସୁପରମୁନ ଦେଖାଯିବ। ପୂର୍ବରୁ ଥରେ ସୁପରମୁନ୍ ଦେଖାଯାଇଥିବାବେଳେ ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୫ ଓ ଶେଷ ସୁପରମୁନ୍ ଡିସେମ୍ବର ୪ରେ ଦେଖାଯିବ। ସେହିପରି ୨୦୨୬ରେ ମୋଟ୍ ୩ଟି ସୁପରମୁନ୍ ଯଥାକ୍ରମେ ଜାନୁଆରୀ ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ରେ ଦେଖାଯିବ ।
ଏଥିସହ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories