'ରାଜ୍ୟପାଳ ପଠାଇଥିବା ବିଲ୍ ଉପରେ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି'

ରାଜ୍ୟପାଳ ପଠାଇଥିବା କୌଣସି ବଲ୍ ଉପରେ ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଷ୍ପତ୍ତି ନେବେ । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବିଧାନସଭାରେ ପାରିତ କୌଣସି ବିଲ୍ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ତା ଉପରେ ୩ ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ୍ । ଆଉ ଏଭଳି ନ ହେଲେ ରାଜ୍ୟ ସରକାର କୋର୍ଟଙ୍କ ଦ୍ଵାରସ୍ଥ ହୋଇ ପାରିବେ ।
ତାମିଲନାଡ଼ୁ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ସହ ଜଡ଼ିତ ଏକ ମାମଲାର ଶୁଣାଣି ବେଳେ ଏ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ରାଜ୍ୟପାଳ ପଠାଇଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ଅଟେ ।
ସୂଚନା ଅନୁସାରେ, ଏପ୍ରିଲ୍ ୮ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଜେ ବି ପାରଡିୱାଲା ଓ ଆର୍ ମହାଦେବନଙ୍କ ବେଞ୍ଚ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଖରେ ବହୁ ଦିନରୁ ପଡ଼ି ରହିଥିବା ତାମିଲନାଡ଼ୁର ୧୦ ବିଧେୟକଙ୍କୁ ମଞ୍ଜୁରୀ ଦେଇଥିଲେ । ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୦୦ର ଅବତାରଣ କରି କହିଥିଲେ, ବିଧାନସଭାରେ ପାରିତ ବିଲ୍କୁ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅଟକାଇ ରଖି ପାରିବେ ନାହିଁ ।
📱 Get Argus News App
✨
କୋର୍ଟ କହିଥିଲେ, ଯଦି ରାଜ୍ୟପାଳ କୌଣସି ବିଲ୍କୁ ରାଷ୍ଟ୍ରପତିଙ୍କ ପଠାଇବାକୁ ଚାହାନ୍ତି ତ ମାସକ ମଧ୍ୟରେ ପଠାଇବାକୁ ପଡ଼ିବ । ଯଦି ସେହି ବିଲ୍କୁ ପୁଣି ଥରେ ବିଚାର ଲାଗି ବିଧାନସଭାକୁ ପଠାଇବା ଆବଶ୍ୟକ ତାହେଲେ ସର୍ବାଧିକ ୩ ମାସ ମଧ୍ୟରେ ଆଣିବା ଦରକାର । ଯଦି ବିଧାନସଭାରେ ବିଲ୍ ପୂର୍ବ ପ୍ରକାରେ ପାରିତ ହୁଏ ତ ରାଜ୍ୟପାଳଙ୍କ ନିକଟରେ ବିଧେୟକକୁ ମଞ୍ଜୁରୀ ଦେବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ।
ମାମଲାର ଲିଖିତ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତିଙ୍କ ସମୟ ସୀମା ନେଇ ଚର୍ଚ୍ଚା ହେଉଛି । ତେବେ ସମ୍ବିଧାନର ଅନୁଚ୍ଛେଦ ୨୦୧ରେ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ କୌଣସି ସମୟ ସୀମା ଦିଆଯାଇ ନାହିଁ । କିନ୍ତୁ ସୁପ୍ରିମକୋର୍ଟଙ୍କ ଅନୁସାରେ, ରାଜ୍ୟ ସରକାରଙ୍କ କୌଣସି ବିଧେୟକ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଦୀର୍ଘସମୟଧରି ପଡ଼ି ରହିବା ସଂଘୀୟ ବ୍ୟବସ୍ଥା ପାଇଁ ଠିକ୍ ନୁହେଁ । ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ୍ ।