୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ

Key Points
ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା
୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ
ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗ
ତିନି ମାସ ମଧ୍ୟରେ ନୂଆ ଚୟନ ପ୍ରକ୍ରିୟା ସମାପ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ
ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଟିଏମସି ସରକାର
ଦିଦିଙ୍କୁ ଜୋରଦାର ଝଟ୍କା । ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗରେ ପଶ୍ଚିମବଂଗରେ ହୋଇଥିବା ୨୫ ହଜାର ନିଯୁକ୍ତିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରାଯାଇ ୨୫ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଝଟକା ପରେ ମମତା ସରକାରଙ୍କୁ କଟାକ୍ଷ କରିଛି ବିଜେପି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ସୁପ୍ରିମକୋର୍ଟଙ୍କ ରାୟକୁ ମମତା ବାନାର୍ଜୀଙ୍କ ମୁଖା ଖୋଲି ଦେଇଥିବା କହିଛନ୍ତି ।
ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷା ବ୍ୟବସ୍ଥାରେ ନିଯୁକ୍ତି ନେଇ ହେରଫେର ଠାବ କରିବା ପରେ ପ୍ରାୟ ୨୫ ହଜାରରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ରଦ୍ଦ କରିଥିଲେ କୋଲକାତା ହାଇକୋର୍ଟ । ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ମମତା ସରକାର । ସର୍ବୋଚ୍ଚ କୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଏକ ନୂତନ ଚୟନ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ନୂତନ ପ୍ରକ୍ରିୟାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ୨୦୧୬ରେ ହୋଇଥିବା ନିଯୁକ୍ତି ଦ୍ବାରା ପାଇଥିବା ଦରମା ଫେରାଇବାକୁ ପଡ଼ିବ ନାହିଁ । କିନ୍ତୁ ଯେଉଁମାନେ ଏଥିରେ କୃତକାର୍ଯ୍ୟ ହେବେ ନାହିଁ, ସେମାନଙ୍କୁ ସମସ୍ତ ଦରମା ଫେରାଇବାକୁ ପଡିବ ।
୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଖାଲି ପଦବୀ ସଂଖ୍ୟା ୨୪ ହଜାର ୬୪୦ ଥିଲେ ବି ୨୫ ହଜାର ୭୫୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସୁପରନ୍ୟୁମେରିକ୍ ପଦବୀଗୁଡ଼ିକରେ ବେଆଇନ ନିଯୁକ୍ତିକୁ ନେଇ କାଠଗଡ଼ାକୁ ଆସିଥିଲେ ମମତା ସରକାର । ମାମଲାରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ସମେତ ଏକାଧିକ ବିଏମସି ନେତା ଜେଲ ଯାଇଛନ୍ତି ।