ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଚାଇଲ୍ଡ ଫର୍ଣ୍ଣୋଗ୍ରାଫି ଦେଖିଲେ ଜେଲ୍

Key Points
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା ବଡ଼ ଅପରାଧ
ଅର୍ଗସ ବ୍ୟୁରୋ: ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ବଡ଼ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ବଡ଼ ଅପରାଧ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ବି ଅପରାଧ। ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ ।
ରାଜ୍ୟରେ ଓ ଦେଶରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅହେତୁକ ଭାବରେ ବୃଦ୍ଧି ପାଉଛି । ମାମଲା ଗମ୍ଭୀର ହେବାରୁ କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ । ଧାରା ୧୪ ଏବଂ ୧୫ ଅନୁଯାୟୀ ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି କିମ୍ବା ସେୟାର କରନ୍ତି..ଅଥବା ଦେଖନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ସହିତ ଉଭୟ ଜେଲଦଣ୍ଡ ଓ ଜୋରିମାନା ବି କରାଯାଇପାରେ । ଖାଲି ଏତିକି ନୁହେଁ ବରଂ ଯଦି ଜଣେ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ ରଖି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖନ୍ତି, ତାହାଲେ ଅତି କମ୍ରେ ତିନି ବର୍ଷ ଜେଲ ବା ଜୋରିମାନାର ବ୍ୟବସ୍ଥା ଅଛି । ଇଏ ତ ଗଲା ପ୍ରଥମ ଥର ପାଇଁ ଅପରାଧ କରିବାର ଦଣ୍ଡ । ଯଦି ସଂପୃକ୍ତ ବ୍ୟକ୍ତି ଜଣକ ଦ୍ୱିତୀୟ ଥର ପାଇଁ ଏମିତି କରନ୍ତି ତାହାଲେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ ।
କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ପର୍ଣ୍ଣଗ୍ରାଫିକୁ ନେଇ ଅନେକ ଗାଇଡ୍ଲାଇନ୍ ରହିଛି । ସୂଚନା ଅନୁସାରେ, ଭାରତରେ ଅନ୍ଲାଇନ୍ରେ ପର୍ଣ୍ଣ ଦେଖିବା ବେଆଇନ ନୁହେଁ । ହେଲେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଅନୁସାରେ ପର୍ଣ୍ଣ ଭିଡିଓ ତିଆରି ଓ ପ୍ରସାରଣ ଉପରେ ନିଷେଧାଦେଶ ରହିଛି । ଅଧିନିୟମ ୨୦୦୦ର ଧାରା ୧୭ ଏବଂ ୬୭A ରେ ମଧ୍ୟ ୩ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି । ଖାଲି ଏତିକି ନୁହେଁ ବରଂ ଆଇପିସିର ଧାରା ୨୯୨, ୨୯୩, ୫୦୦, ୫୦୬ ରେ ମଧ୍ୟ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା କରାଯାଇଛି । ଯଦି କେଉଁମାନେ ନିୟମ ଖିଲାପ କରନ୍ତି ତାହାଲେ ସେମାନଙ୍କ ବିରୋଧରେ ପସ୍କୋ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି । ତେବେ ପର୍ଣ୍ଣଗ୍ରାଫିକୁ ନେଇ ସୁପ୍ରିମକୋର୍ଟ ଯେଉଁ ଶୁଣାଣି କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
