ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି

ଆହ୍ଲାବାଦ ହାଇକୋର୍ଟ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ରଖିଥିବା ଟିପ୍ପଣୀକୁ ନାପସନ୍ଦ କଲେ ସୁପ୍ରିମକୋର୍ଟ। ଏହା ସହ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଆର ଗଓ୍ବାଇ ଓ ଜଷ୍ଟିସ ଏଜି ମାସିହଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣୀ କରି କହିଛନ୍ତି ହାଇକୋର୍ଟ ଦେଇଥିବା ଟିପ୍ପଣୀ ଅସମ୍ବେଦନଶୀଳ ଓ ଅମାନବୀୟ ଭଳି ମନେ ହେଉଛି। ଯେଉଁ ବିଚାରପତି ଏମିତି କହିଛନ୍ତି ତାଙ୍କ ପାଖରେ ସମ୍ବେଦନଶୀଳତାର ଅଭାବ ପରିଲକ୍ଷିତ ହେଉଛି। ସେପଟେ ସଲିସିଟର ଜେନେରାଲ ତୁଷାର ମେହେତା ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
ସୂଚନାଯୋଗ୍ୟ : ଗତକାଲି ମାମଲାରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟର ବିଚାରପତିଙ୍କ ବିଚାର ଉପରେ କ୍ଷୁବ୍ଧ ହୋଇ ନିଜଆଡୁ ମାମଲାର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାମ ମନୋହର ନାରାୟଣ ଏକ ମାମଲାରେ ଶୁଣାଣୀ କରି ଏକ ଟିପ୍ପଣୀ ରଖିବା ସହ ଦୁଇ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଧାରାକୁ ବଦଳାଇଥିଲେ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିରୋଧ କରାଯାଇଥିଲା।
📱 Get Argus News App
✨ଏହି ମାମଲାଟି ୩ ବର୍ଷ ତଳର ଥିଲା। ୨୦୨୨ ରେ ଜଣେ ମହିଳା ଏକ ମାମଲା ଦାୟର କରିଥିଲେ। ସେ କହିଛନ୍ତି ୨୦୨୧ ନଭେମ୍ବରରେ ୧୦ରେ ସେ ସାନ ଯା ଘରକୁ ଯାଇଥିଲେ। ସେହିଦିନ ସନ୍ଧ୍ୟାରେ ସେ ନିଜ ଘରକୁ ଫେରୁଥିଲେ ରାସ୍ତାରେ ତାଙ୍କ ଗାଁର ଦୁଇଜଣ ଯୁବକଙ୍କ ସହ ଦେଖା ହୋଇଥିଲା। ଜଣେ ଯୁବକ କହିଥିଲା ବାଇକରେ ତାଙ୍କୁ ଘରେ ଛାଡିଦେବେ ବୋଲି। ଏଥିରେ ଭରଷା କରି ମା ନାବାଳିକା ଝିଅକୁ ତାଙ୍କ ସହ ଛାଡିଥିଲେ। ରାସ୍ତାରେ ସେଇ ଯୁବକ ଦୁଇଜଣ ନାବାଳିକା ଝିଅର ସମ୍ବେଦନଶୀଳ ଅଙ୍ଗକୁ ଜବରଦସ୍ତ ସ୍ପର୍ଶ କରିଥିଲେ।
ଯାହାକୁ ନେଇ ମା ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାମ ମନୋହର ନାରାୟଣ ଟିପ୍ପଣୀ ରଖିଥିଲେ, ଏବଂ ବହୁ ଅଶୋଭନୀୟ କଥା କହିଥିଲେ। ଛାତିକୁ ଛୁଇଁବା ଓ ଡ୍ରେସ ସୂତାକୁ ଟାଣିବାରେ ଦୁଷ୍କର୍ମ ଦଫା ଲାଗି ପାରିବ ନାହିଁ ବୋଲି କହିବା ସହିତ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଧାରାକୁ କୋହଳ କରିଥିଲେ। ଯାହାକୁ ସାଧାରଣରେ ସମାଲୋଚନା କରାଯାଉଥିଲା।