ସୁପ୍ରିମକୋର୍ଟରେ ବୁଲା କୁକୁର ରାୟ ସଂରକ୍ଷିତ; ସରକାରଙ୍କ ଯୁକ୍ତି 'ଚିକେନ୍ ଖାଇ ହେଉଛନ୍ତି ପଶୁପ୍ରେମୀ'

Key Points
ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍.ବି ଅଞ୍ଜରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅନ୍ତରୀଣ ରହିତାଦେଶ ନେଇ ହୋଇଥିବା ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍.ବି ଅଞ୍ଜରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅନ୍ତରୀଣ ରହିତାଦେଶ ନେଇ ହୋଇଥିବା ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।
ଅର୍ଥାତ ଖଣ୍ଡପୀଠ ନିଷ୍ପତ୍ତି ନେବ ଦିଲ୍ଲୀ-ଏନସିଆରରୁ ସମସ୍ତ ବୁଲା କୁକୁରଙ୍କୁ ହଟାଇବା ନେଇ ୨ ଜଣିଆ ବେଞ୍ଚ ଦେଇଥିବା ନିଷ୍ପତ୍ତି କାଏମ ରହିବ ନା ବଦଳିବ । ଗୁରୁବାର ଶୁଣାଣି ବେଳେ ଜଷ୍ଟିସ୍ ନାଥ କହିଛନ୍ତି, ସଂସଦରେ ଆଇନ୍ ଓ ନିୟମ ପ୍ରସ୍ତୁତ ହେଉଛି କିନ୍ତୁ ସେ ସବୁର ପାଳନ ହେଉ ନାହିଁ । ଗୋଟିଏ ପଟେ ମଣିଷ ଅସୁବିଧାରେ ପଡ଼ୁଛି ଅନ୍ୟପଟେ ପଶୁପ୍ରେମୀ । ସମସ୍ତ ପକ୍ଷଙ୍କୁ ସତ୍ୟପାଠ ଦାଖଲ ସହ ପ୍ରମାଣ ଦେବାକୁ କୋର୍ଟ କହିଛନ୍ତି ।
ସରକାରଙ୍କ ପକ୍ଷ ରଖି ସଲିସିଟର ଜେନରାଲ ଦୁଷ୍ୟନ୍ତ ଦେବ କହିଛନ୍ତି, କିଛି ଲୋକ ଚିକେନ୍, ଅଣ୍ଡା ଆଦି ଖାଇବା ଦେଖନ୍ତି ଓ ନିଜକୁ ପଶୁପ୍ରେମୀ ବୋଲି ଦାବି କରନ୍ତି । ତେବେ ବୁଲା କୁକୁରଙ୍କ ଯୋଗୁଁ ଲୋକେ ଆହତ ହେଉଛନ୍ତି, ଛୁଆଙ୍କ ଜୀବନ ଯାଉଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ, କୁକୁର କାମୁଡ଼ାରେ ବାର୍ଷିକ ୩୦୫ ଜଣଙ୍କ ମୃତ୍ୟୁ ହେଉଛି । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୫ ବର୍ଷରୁ କମ୍ । କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ । କୁକୁରଙ୍କୁ ମାରି ଦିଆଯିବ ନାହିଁ, ସେମାନଙ୍କୁ କେବଳ ଅଲଗା କରାଯିବ ।
📱 Get Argus News App
✨
କ'ଣ ଥିଲା ୨ ଜଣିଆ ଖଣ୍ଡପୀଠର ନିଷ୍ପତ୍ତି ?
ଏହା ପୂର୍ବରୁ ସୋମବାର ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର ସମସ୍ତ ଅଞ୍ଚଳରୁ ବୁଲା କୁକୁରଙ୍କୁ ଡଗ୍ ସେଲ୍ଟରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କୁକୁର ଯେପରି ପୁଣି ସଡ଼କ, ଗଳି ଆଦିକୁ ନ ଆସିବେ ସୁନିଶ୍ଚିତ କରିବାକୁ କହିଥିଲେ । ଜଷ୍ଟିସ୍ ଜେବ ପାରଦିବାଲା ଓ ଆର୍. ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୧ରେ ନିର୍ଦ୍ଦେଶ ପାରିତ କରିଥିଲେ ।
ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପଶୁପ୍ରେମୀ ଓ ସମାଜର ଅନେକ ବର୍ଗ ନିରାଶ ହେବା ସହ ନିଷ୍ପତ୍ତିର ପୁନର୍ବିଚାର ଦାବି କରିଥିଲେ । ବୁଧବାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ସହ ତତ୍କାଳ ଶୁଣାଣି ଦାବି କରିଥିଲେ ।