WAQF:ବଦଳିଲାନି ଆଇନ, ବଦଳିଲା ଧାରା ଜାଣନ୍ତୁ କ'ଣ କ'ଣ ହେଲା ସ୍ଥଗିତ

Key Points
ୱାକଫକୁ ନେଇ ଆସିଲା ସୁପ୍ରିମ ରାୟ
ଅନେକ ଧାରାରେ ପରିବର୍ତ୍ତନ କଲେ ସର୍ବୋଚ୍ଚ ଅଦାଲତ
ୱାକଫରେ ଜିଲ୍ଲାପାଳ କ୍ଷମତା ସ୍ଥଗିତ
ୱାକଫକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ୩ଟି ମୁଦ୍ଦାକୁ ନେଇ ଆସିଲା ଫୈସଲା । ପୂରା କାନୁନ୍ ଉପରେ ରୋକ୍ ଲଗାଇନାହାନ୍ତି ସୁପ୍ରିମ କୋର୍ଟ । କେବଳ କିଛି ଧାରାରେ ଲାଗିଲା ରୋକ୍ । ବହୁ ବିବାଦୀୟ ୱାକଫ ଆଇନର ପ୍ରମୁଖ ବ୍ୟବସ୍ଥା ଗୁଡ଼ିକୁ ସ୍ଥଗିତ କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରସରକାରଙ୍କ ୱାକଫ ଅଧିନିୟମକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିଲା ମାମଲା ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି ଏଜି ମସିହଙ୍କ ଗଠିତ ଖଣ୍ଡପୀଠ ୨୨ମେ ରେ ଏହି ମାମଲା ଉପରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ପୂରା କାନୁନ୍ ଉପରେ ରୋକ୍ ଲଗାଇବାର କୌଣସି ମାମଲା ନାହିଁ । କେବଳ କିଛି ଧାରାରେ ରୋକ୍ ଲଗାଯାଇଛି ।
କୋର୍ଟ କହିଛନ୍ତି ୱାକଫ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ । ଏହାଛଡ଼ା ୱାକଫ ବୋର୍ଡରେ ୩ଜଣରୁ ଅଧିକ ଅଣ ମୁସଲିମ ରହିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ନୂତନ ଆଇନରେ ଜିଲ୍ଲା କଲେକ୍ଟରଙ୍କୁ ଦିଆଯାଇଥିବା ବ୍ୟାପକ କ୍ଷମତା ବିଷୟରେ କୋର୍ଟ କହିଛନ୍ତି ବ୍ୟକ୍ତିଗତ ନାଗରିକଙ୍କ ଅଧିକାରର ବିଚାର କରିବାକୁ କଲେକ୍ଟରଙ୍କୁ ଅନୁମତି ଦିଆଯାଇପାରିବ ନାହିଁ, ଏବଂ ଏହା କ୍ଷମତା ପୃଥକୀକରଣକୁ ଉଲ୍ଲଂଘନ କରିବ ।
📱 Get Argus News App
✨ଯେପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଦ୍ୱାରା ନିଷ୍ପତ୍ତି ନହୋଇଛି କଲେକ୍ଟରଙ୍କୁ ଏପରି କ୍ଷମତା ସହିତ ଜଡିତ ବ୍ୟବସ୍ଥା ସ୍ଥଗିତ ରହିବ । ସେହିପରି ଜଣେ ୫ ବର୍ଷ ଇସଲାମ ପାଳନ କରିଥିଲେ ହିଁ ୱାକଫକୁ ସମ୍ପତ୍ତି ଦେଇପାରିବା ପ୍ରାବଧାନ ଉପରେ ମଧ୍ୟ ରୋକ ଲଗାଇଛନ୍ତି କୋର୍ଟ । ସେହିପରି ଓ୍ବାକଫ୍ ଆଇନ୍ର ଅନୁଚ୍ଛେଦ ୩୭୪ ଉପରେ ବି ରୋକ୍ ଲଗାଇଛନ୍ତି । କୋର୍ଟ କହିଛନ୍ତି ଅନୁମାନ କରିବା ସବୁବେଳେ ଆଇନର ସାମ୍ବିଧାନକତା ସପକ୍ଷରେ ।
କେବଳ ବିରଳରୁ ବିରଳ ମାମଲାରେ ହିଁ ଏଥିରେ ହସ୍ତକ୍ଷେପ କରାଯିବା ଉଚିତ । ତେବେ କେନ୍ଦ୍ରସରକାର ଆଣିଥିବା ନୂତନ ୱକଫ ଆଇନରେ ୱାକଫ ସମ୍ପତ୍ତି ମାଲିକାନା ସହିତ ଜଡିତ ପ୍ରସଙ୍ଗରେ ଜିଲ୍ଲା କଲେକ୍ଟରଙ୍କୁ ଚୂଡ଼ାନ୍ତ ମଧ୍ୟସ୍ଥ ଭାବରେ କ୍ଷମତା ଦିଆଯାଇଥିଲା । ଯାହାକୁ ନେଇ ମୁସଲିମ ସଂଗଠନଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହାର ସୁପ୍ରିମ ରାୟ ପ୍ରକାଶ ପାଇଛି ।