Videos
|
National

Real Hero / କର୍ତ୍ତବ୍ୟ ଆଗରେ ହାରିଗଲା ଜୀବନ…ଜଣେ ଚାଷୀଙ୍କୁ ଦେଇଦେଲେ ଜ୍ୟାକେଟ ଆଉ ନିଜେ ଭାସିଗଲେ

Ritu Das
Browse all articles by Ritu Das
·1 hour ago·2 min read
କର୍ତ୍ତବ୍ୟ ଆଗରେ ହାରିଗଲା ଜୀବନ…ଜଣେ ଚାଷୀଙ୍କୁ ଦେଇଦେଲେ ଜ୍ୟାକେଟ ଆଉ ନିଜେ ଭାସିଗଲେ
India

Key Points

ସତରେ କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ
ଏହାକୁ ପ୍ରମାଣ କରିଛନ୍ତି ଜଣେ ୩୬ବର୍ଷୀୟ ଯୁବକ
ସତରେ କର୍ତ୍ତବ୍ୟ ଆଗରେ ଜୀବନ ତୁଚ୍ଛ। ଏହାକୁ ପ୍ରମାଣ କରିଛନ୍ତି ଜଣେ ୩୬ବର୍ଷୀୟ ଯୁବକ। ଜଣେ ଚାଷୀଙ୍କ ଜୀବନ ବଞ୍ଚାଇବାକୁ ନିଜ ଲାଇଫ ଜ୍ୟାକେଟ ଦେଇଦେଲେ ଆଉ ନିଜେ ପାଣିର ପ୍ରଖର ସ୍ରୋତରେ ଭାସିଗଲେ। ସେ ଚାହିଁଥିଲେ ପ୍ରଥମେ ନିଜ ଜୀବନ ବଞ୍ଚାଇ ପାରିଥାଆନ୍ତେ।
ସାରା ଜୀବନ ଅନ୍ୟକୁ ପହଁରା ଶିଖାଉଥିଲେ। କିନ୍ତୁ ଜଣେ ବନ୍ୟା ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲାଇଫ ଜ୍ୟାକେଟ ଦେଇଦେଲେ ଆଉ ନିଜେ ଭାସିଗଲେ। ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଭଳି ହୃଦୟବିଦାରକ ଘଟଣା ଘଟିଛି କେରଳର କନ୍ନୁର ଜିଲ୍ଲାରେ।

ଏହାସହ ପଢ଼ନ୍ତୁ: ଆସାମରେ ଭୟଙ୍କର ବନ୍ୟା…ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି, ୧.୨୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ


ଅଗଷ୍ଟ ୧ରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଆକସ୍ମିକ ବନ୍ୟାରେ ଜଣେ ବୃଦ୍ଧ କୃଷକଙ୍କୁ ଉଦ୍ଧାର କରିବା ସମୟରେ ଆର. ରାଜେଶ ନିଜର ଲାଇଫ୍ ଜ୍ୟାକେଟ୍ ଖୋଲି ତାଙ୍କୁ ପିନ୍ଧାଇ ଦେଇଥିଲେ। ବୃଦ୍ଧ ଜଣକ ବଞ୍ଚିଯାଇଥିବା ବେଳେ ରାଜେଶ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି।

ଥିରୁଅନନ୍ତପୁରମର କଲ୍ଲିୟୁର ଅଞ୍ଚଳର ବାସିନ୍ଦା ରାଜେଶ, ମୀନଥୁଲ୍ଲୀ ଜଳପ୍ରପାତ ନିକଟରେ ଜଣେ 'ରାପେଲିଂ' ଏବଂ ସ୍ୱିମିଂ ଇନଷ୍ଟ୍ରକ୍ଟର ଭାବରେ କାର୍ଯ୍ୟ କରୁଥିଲେ। କନ୍ନୁରର ମୀନଥୁଲ୍ଲୀ ନିକଟରେ ୬୧ ବର୍ଷୀୟ କୃଷକ ବେନି ନିଜ କଫି ବଗିଚାକୁ ଯାଇଥିବା ବେଳେ ପାହାଡ଼ ଧସିବା ଯୋଗୁଁ ଆସିଥିବା ବନ୍ୟାରେ ଫସିଯାଇଥିଲେ।

ରାଜେଶ ନିଜ ସହଯୋଗୀ ଶିବିନ୍‌ ଏବଂ ଜିଥିନଙ୍କ ସହ ମିଶି କରିୟାଙ୍ଗୋଡ ନଦୀ ପାର ହୋଇ ବେନିଙ୍କ ପାଖରେ ପହଞ୍ଚିଥିଲେ। ଫେରିବା ବାଟରେ ବେନି ପାଣିରେ ନିଜ ସନ୍ତୁଳନ ହରାଉଥିବା ଦେଖି ରାଜେଶ ନିଜର ଲାଇଫ୍ ଜ୍ୟାକେଟ୍ ଖୋଲି ତାଙ୍କୁ ପିନ୍ଧାଇ ଦେଇଥିଲେ। ଦଉଡ଼ି ସାହାଯ୍ୟରେ କୂଳକୁ ଫେରୁଥିବା ସମୟରେ ରାଜେଶଙ୍କ ହାତରୁ ଦଉଡ଼ି ଖସିଯାଇଥିଲା ଏବଂ ସେ ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ତିନି ଦିନ ଖୋଜାଖୋଜି ପରେ ମଙ୍ଗଳବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ରାଜେଶ ଜଣେ କୁଶଳୀ ସନ୍ତରଣକାରୀ ଏବଂ 'ଆଡଭେଞ୍ଚର ଡିଜାଷ୍ଟର ସୋସାଇଟି'ର ପ୍ରମୁଖ ସଦସ୍ୟ ଥିଲେ। ସେ ପୂର୍ବରୁ ମଧ୍ୟ କେରଳର ପ୍ରମୁଖ ବିପତ୍ତି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଛନ୍ତି । ୨୦୧୮ କେରଳର ବନ୍ୟା ସମୟରେ ସେ ସକ୍ରିୟ ଉଦ୍ଧାରକାରୀ ସାଜିଥିଲେ। ସେହିଭଳି ୨୦୨୪ରେ ୱାୟନାଡ୍ ଭୂସ୍ଖଳନ ସମୟରେ ଉଦ୍ଧାର ଅଭିଯାନରେ ସାମିଲ ଥିଲେ ରାଜେଶ। କିନ୍ତୁ ୨୦୨୬ରେ କନ୍ନୁର ବନ୍ୟାରେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ସେ ଜୀବନ ହରାଇଛନ୍ତି।

ରାଜେଶଙ୍କ ଏହି ମହାନ ଆତ୍ମବଳିଦାନ ପାଇଁ ସାରା କେରଳରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନ୍ ଶୋକ ପ୍ରକାଶ କରି କହିଛନ୍ତି, ‘ରାଜେଶ ନିଜ ଲାଇଫ୍ ଜ୍ୟାକେଟ୍ ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କର ଏହି ଅତୁଳନୀୟ ତ୍ୟାଗ ଏବଂ ମାନବସେବା ସଦାସର୍ବଦା ସ୍ମରଣୀୟ ରହିବ।’ ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ତାଙ୍କୁ ଅସଲ ନାୟମ ଭାବରେ ଅଭିହିତ କରିଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories