Videos
|
National

Startup Story / ଚାକିରି ଛାଡ଼ି ନୂଆ ଜୀବନ... ପାହାଡ଼ରେ ହୋମ୍‌ଷ୍ଟେ କରି କମାଉଛନ୍ତି ଲକ୍ଷ ଲକ୍ଷ

Rashmita Mishra
Browse all articles by Rashmita Mishra
·37 mins ago·4 min read
ଚାକିରି ଛାଡ଼ି ନୂଆ ଜୀବନ... ପାହାଡ଼ରେ ହୋମ୍‌ଷ୍ଟେ କରି କମାଉଛନ୍ତି ଲକ୍ଷ ଲକ୍ଷ
Startup Story

Key Points

୭ ଲକ୍ଷ ଦରମା ଛାଡ଼ିଲେ ! ଏବେ ହୋମ୍‌ଷ୍ଟେରୁ ଲକ୍ଷ ଲକ୍ଷ ଆୟ ।
କର୍ପୋରେଟ୍ ଚାକିରିକୁ ବାଏ ବାଏ ପୈତୃକ ଘରରୁ ଆରମ୍ଭ ବ୍ୟବସାୟ ।
ଚାକିରି ଛାଡ଼ି ନୂଆ ଜୀବନ ପାହାଡ଼ରେ ହୋମ୍‌ଷ୍ଟେ କରି କମାଉଛନ୍ତି ଲକ୍ଷ ।

ଭଲ ଚାକିରି, ପ୍ରମୋସନ୍ ଏବଂ ବଢ଼ୁଥିବା ଦରମା ସଫଳ କ୍ୟାରିୟରର ଏହି ଚିତ୍ରକୁ ଅନେକ ଲୋକ ସ୍ୱପ୍ନ ଭାବେ ଦେଖନ୍ତି । କିନ୍ତୁ ତରାନା ଚୌହାନଙ୍କ କାହାଣୀ ଟିକେ ଭିନ୍ନ । ପ୍ରାୟ ୭ ବର୍ଷ କର୍ପୋରେଟ୍ ଜଗତରେ କାମ କରିବା ପରେ ସେ ଚାକିରି ଛାଡ଼ି ନିଜ ପରିବାରର ପୁରୁଣା ପୈତୃକ ଘରକୁ ହୋମ୍‌ଷ୍ଟେରେ ପରିଣତ କରି ନୂଆ ଜୀବନ ଆରମ୍ଭ କରିଛନ୍ତି ।

ତରାନା ପ୍ରଥମେ ଟାଟା କନସଲଟାନ୍ସି ସର୍ଭିସେସ୍‌ରେ ସିନିୟର ବିଜନେସ୍ ଆନାଲିଷ୍ଟ ଭାବେ କାମ କରୁଥିଲେ । ପରେ ସେ ଆନହେଉଜର-ବୁଶ୍ ଇନ୍‌ବେଭ୍‌ରେ ଯୋଗ ଦେଇ ଆନାଲିଟିକ୍ସ ଓ ବିଜନେସ୍ ରୋଲ୍‌ରେ କାମ କରିଥିଲେ । ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁସାରେ, ସେ ପଞ୍ଜାବ ୟୁନିଭର୍ସିଟିରୁ ଅର୍ଥନୀତିରେ ବିଏ ଏବଂ ଏମ୍‌ଏ ଡିଗ୍ରୀ ହାସଲ କରିଛନ୍ତି ।

୭ ଲକ୍ଷ ଟଙ୍କା ଦରମାରୁ ଆରମ୍ଭ ହୋଇଥିଲା କ୍ୟାରିୟର
ତରାନାଙ୍କ କ୍ୟାରିୟର ଆରମ୍ଭ ବାର୍ଷିକ ପ୍ରାୟ ୭ ଲକ୍ଷ ଟଙ୍କା ଆୟରୁ ହୋଇଥିଲା । ଚାକିରିରେ ପ୍ରମୋସନ୍ ଓ ଦରମା ବଢ଼ିବା ସହ କ୍ୟାରିୟର ମଧ୍ୟ ଭଲ ଭାବେ ଆଗକୁ ବଢ଼ୁଥିଲା । କିନ୍ତୁ ଗୋଟିଏ ସମୟରେ ସେ ନିଜକୁ ପ୍ରଶ୍ନ କରିବା ଆରମ୍ଭ କଲେ ଜୀବନରେ ସେ ପ୍ରକୃତରେ କ’ଣ ଚାହୁଁଛନ୍ତି ? ଏହି ପ୍ରଶ୍ନର ଉତ୍ତର ତାଙ୍କୁ ନିଜ ପାହାଡ଼ିଆ ଘରକୁ ଫେରାଇ ନେଇଥିଲା

କରୋନା ସମୟରେ ବଦଳିଗଲା ଜୀବନ
୨୦୨୦ ମସିହାରେ କରୋନା ମହାମାରୀ ସମୟରେ ତରାନା ହିମାଚଳ ପ୍ରଦେଶରେ ଥିବା ନିଜ ଘରକୁ ଫେରିଥିଲେ । ପାହାଡ଼କୁ ଫେରିବା ପରେ ସେ ସହରୀ ଜୀବନ, ଚାକିରି ଓ ନିଜ ଭବିଷ୍ୟତ ବିଷୟରେ ନୂଆ କରି ଚିନ୍ତା କରିବାର ସୁଯୋଗ ପାଇଥିଲେ । ଏହି ସମୟରେ ସେ ପରିବାରର ପ୍ରାୟ ୧୦୦ ବର୍ଷ ପୁରୁଣା ପୈତୃକ ଘରର ମରାମତି ଆରମ୍ଭ କରିଥିଲେ । ପରେ ଏହି ଘରକୁ ହୋମ୍‌ଷ୍ଟେରେ ପରିଣତ କରିବାକୁ ସେ ନିଷ୍ପତ୍ତି ନେଇଥିଲେ ।

ଚାକିରି ସହ ଆରମ୍ଭ କରିଥିଲେ ହୋମ୍‌ଷ୍ଟେ
ତରାନାଙ୍କ ବିଶେଷତା ହେଉଛି ସେ ହଠାତ୍ ଚାକିରି ଛାଡ଼ି ଏହି ବ୍ୟବସାୟ ଆରମ୍ଭ କରିନଥିଲେ । ପ୍ରଥମେ ଚାକିରି କରିବା ସହିତ ହୋମ୍‌ଷ୍ଟେ ବ୍ୟବସାୟକୁ ପାର୍ଟ-ଟାଇମ୍ ଭାବେ ଆଗକୁ ବଢ଼ାଇଥିଲେ । ସେ ପ୍ରଥମେ ଘରର ୩ଟି ରୁମ୍‌ର ମରାମତି କରିଥିଲେ। ପରେ ଆଉ ୨ଟି ରୁମ୍ ତିଆରି କରିଥିଲେ । ଏବେ ଘରର ଉପର ମହଲାରେ ଏକ ଯୋଗଶାଳା ମଧ୍ୟ ତିଆରି କରୁଛନ୍ତି ।

ପ୍ରାୟ ୨ ବର୍ଷ ଧରି ସେ ଫୁଲ୍-ଟାଇମ୍ କର୍ପୋରେଟ୍ ଚାକିରି ସହ ଏହି ବ୍ୟବସାୟ ଚଳାଇଥିଲେ । କାମକୁ ସୁସଂଗଠିତ କରିବା, କିଛି ପ୍ରକ୍ରିୟାକୁ ଅଟୋମେଟ୍ କରିବା ଏବଂ ହୋମ୍‌ଷ୍ଟେରୁ ଭବିଷ୍ୟତରେ ସ୍ଥିର ଆୟ ହୋଇପାରିବ କି ନାହିଁ, ତାହା ପରୀକ୍ଷା କରିଥିଲେ ।

ବ୍ୟବସାୟ ସ୍ଥିର ହେବା ପରେ ଛାଡ଼ିଲେ ଚାକିରି
ତରାନା ତାଙ୍କ ସାଇଡ୍ ବିଜନେସ୍ ସଫଳ ଓ ସ୍ଥିର ହେବା ପର୍ଯ୍ୟନ୍ତ କର୍ପୋରେଟ୍ ଚାକିରି ଛାଡ଼ିନଥିଲେ । ଯେତେବେଳେ ହୋମ୍‌ଷ୍ଟେ ଏତେ ସ୍ଥିର ହୋଇଗଲା ଯେ ଏହାକୁ ପୂରା ସମୟ ଦେଇ ଚଳାଇବା ସମ୍ଭବ, ସେତେବେଳେ ସେ ଚାକିରିରୁ ବିଦାୟ ନେଇଥିଲେ । ବର୍ତ୍ତମାନ ସେ ପ୍ରାୟ ୩ ବର୍ଷ ହେଲା ନିଜ ନିର୍ବାଣା ହୋମ୍ସ ହୋମ୍‌ଷ୍ଟେକୁ ଫୁଲ୍-ଟାଇମ୍ ଚଳାଉଛନ୍ତି ।

ମାସକୁ ୫ ଲକ୍ଷ ଆୟ, ପୁଣି କେବେ ୧ ଲକ୍ଷରୁ କମ୍
କର୍ପୋରେଟ୍ ଚାକିରିରେ ନିଶ୍ଚିତ ଦରମା ମିଳୁଥିବା ବେଳେ ବ୍ୟବସାୟରେ ଆୟ ସବୁବେଳେ ସମାନ ରହେ ନାହିଁ । ତରାନାଙ୍କ କହିବା ଅନୁସାରେ, କୌଣସି ମାସରେ ତାଙ୍କ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଏ, ଆଉ କେତେକ ମାସରେ ଏହା ୧ ଲକ୍ଷ ଟଙ୍କା ମଧ୍ୟ ହୋଇନଥାଏ । ତଥାପି ଏହି ଅନିଶ୍ଚିତତା ମଧ୍ୟରେ ସେ ଏବେ ନିଜ ସମୟ, ରହିବା ସ୍ଥାନ ଏବଂ କାମ କରିବାର ଶୈଳୀ ଉପରେ ଅଧିକ ନିୟନ୍ତ୍ରଣ ପାଇଥିବା କହିଛନ୍ତି ।

ପାହାଡ଼ର ଜୀବନ ଏତେ ସହଜ ନୁହେଁ
ସୋସିଆଲ୍ ମିଡିଆରେ ପାହାଡ଼ିଆ ଜୀବନ ଯେତେ ସୁନ୍ଦର ଓ ଶାନ୍ତ ଦେଖାଯାଏ, ବାସ୍ତବରେ ତାହା ସେତେ ସହଜ ନୁହେଁ ବୋଲି ତରାନା କହିଛନ୍ତି । ହୋମ୍‌ଷ୍ଟେ ଚଳାଇବା ଅର୍ଥ କେବଳ ପାହାଡ଼ର ସୁନ୍ଦର ଦୃଶ୍ୟ ଦେଖି କଫି ପିଇବା ନୁହେଁ । ଅସୁସ୍ଥ ଥିଲେ ମଧ୍ୟ ଅତିଥିଙ୍କ ଫୋନ୍ ଉଠାଇବା, ପାଇପ୍ ଲିକ୍ ହେଲେ ତାହା ଠିକ୍ କରିବା, ଡ୍ରେନ୍ ସଫା କରିବା, ଗ୍ୟାସ୍ ସିଲିଣ୍ଡରର ବ୍ୟବସ୍ଥା କରିବା ଓ ବିଜୁଳି କାଟ ଭଳି ସମସ୍ୟା ସମାଧାନ କରିବା ମଧ୍ୟ ତାଙ୍କ ଦାୟିତ୍ୱ । ତାଙ୍କ କହିବା ଅନୁସାରେ, ଏଠାରେ କୌଣସି ଅଲଗା ବିଭାଗ ନାହିଁ ସବୁ କାମ ତାଙ୍କୁ ନିଜେ କରିବାକୁ ପଡ଼େ ।

ଅତିଥିଙ୍କୁ ସ୍ୱାଗତ କରିବାଠାରୁ ଆରମ୍ଭ କରି ରିସେପ୍ସନ୍, ସଫାସୁତୁରା, ଅତିଥିଙ୍କ ସହାୟତା, ସାମଗ୍ରୀ କିଣିବା ଏବଂ ଘରର ରକ୍ଷଣାବେକ୍ଷଣ ସବୁ କାମ ସେ ନିଜେ ସମ୍ଭାଳନ୍ତି । ଆବଶ୍ୟକ ପଡ଼ିଲେ ପ୍ଲମ୍ବର ଓ ଇଲେକ୍ଟ୍ରିସିଆନ୍‌ଙ୍କ କାମ ମଧ୍ୟ କରିବାକୁ ପଡ଼େ ।

ଗୁଗୁଲ୍ ମ୍ୟାପ୍‌ରେ ଠିକଣା ଯୋଡ଼ିବାକୁ ଲାଗିଲା ଏକ ମାସ
ବ୍ୟବସାୟ ଆରମ୍ଭ କରିବା ସମୟରେ ତାଙ୍କୁ ଆଉ ଏକ ଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ହୋମ୍‌ଷ୍ଟେକୁ ଗୁଗୁଲ୍ ମ୍ୟାପ୍‌ରେ ଯୋଡ଼ିବାକୁ ଚେଷ୍ଟା କରିବା ସମୟରେ ସେହି ସ୍ଥାନ ବିଷୟରେ କୌଣସି ତଥ୍ୟ ଉପଲବ୍ଧ ନଥିଲା । ସ୍ଥାନର ପରିଚୟ ନିଶ୍ଚିତ କରାଇ ଏହାକୁ ଅନୁମୋଦନ କରାଇବାକୁ ପ୍ରାୟ ଏକ ମାସ ସମୟ ଲାଗିଥିଲା । ତରାନାଙ୍କ ଅନୁଭବରୁ ତାଙ୍କ ଶିକ୍ଷା ହେଉଛି କୌଣସି ବ୍ୟବସାୟକୁ ଶୂନରୁ ଆରମ୍ଭ କଲେ ସମସ୍ୟା ସମାଧାନ କରିବା ପାଇଁ ଅନ୍ୟ କେହି ଥାଆନ୍ତି ନାହିଁ । ସମସ୍ତ ଦାୟିତ୍ୱ ନିଜେ ନେବାକୁ ପଡ଼େ ।

ତଥାପି ଏହି ଚ୍ୟାଲେଞ୍ଜ୍‌ଗୁଡ଼ିକ ତାଙ୍କୁ ନିଜ ପସନ୍ଦର ଜୀବନ ଗଢ଼ିବାରୁ ରୋକିପାରିନାହିଁ। କର୍ପୋରେଟ୍ ଚାକିରିର ସ୍ଥିରତା ଛାଡ଼ି ନିଜ ପୈତୃକ ଘରକୁ ନୂଆ ରୂପ ଦେଇ ହୋମ୍‌ଷ୍ଟେ ବ୍ୟବସାୟ ଆରମ୍ଭ କରିବାର ତାଙ୍କ ନିଷ୍ପତ୍ତି ଏବେ ଅନେକଙ୍କ ପାଇଁ ଏକ ଭିନ୍ନ କ୍ୟାରିୟର୍ ପଥର ଉଦାହରଣ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Startup Story | Quit Corporate Job, Started Homestay In Mountains And Earns Lakhs: Tarana Chauhan's Inspiring Journey | Argus News