Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Telangana Tunnel Collapse: ଲିକ୍‌ ସଜାଡ଼ିବାକୁ ଯାଇଥିଲେ ଇଞ୍ଜିନିୟର, ଭୁଶୁଡ଼ିଗଲା ଟନେଲ ଛାତ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Telangana Tunnel Collapse: ଲିକ୍‌ ସଜାଡ଼ିବାକୁ ଯାଇଥିଲେ ଇଞ୍ଜିନିୟର, ଭୁଶୁଡ଼ିଗଲା ଟନେଲ ଛାତ !

ତେଲେଙ୍ଗାନାର ନାଗରକୁଲନୂଲ ଜିଲ୍ଲାରେ ବଡ଼ ଟନେଲ ଦୁର୍ଘଟଣା । ଟନେଲର ଏକ ଅଂଶ ଧସିବା ଫଳରେ ୮ ଜଣ ଶ୍ରମିକ ମାଟି ତଳେ ଫସି ରହିଛନ୍ତି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଟନେଲ ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୮ ଜଣ ଶ୍ରମିକ ସେହି ଭିତରେ ହିଁ ମାଟି ତଳେ ଫସିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି। ଭାରତୀୟ ସେନା ଓ ଏନ୍‌ଡିଆରଏଫ୍‌ର ମଧ୍ୟ ସହାୟତା ନିଆଯାଉଛି।

ଏହି ସୁଡ଼ଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା। ୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା। ଏକ ଲିକ୍‌କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଭିତରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିଲେ। ୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି। ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ସୂଚନା ମିଳିଛି।

ଖବର ପାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ମାମଲାରେ ଏକ ବୟାନ ଜାରି କରାଯାଇଛି । ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଜିଲ୍ଲା କଲେକ୍ଟର, ପୋଲିସ ଅଧିକ୍ଷକ ଓ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀମାନେ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ଖୋଜିବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ଜୀ କିଶନ ରେଡ୍ଡୀ ଚିନ୍ତାବ୍ୟକ୍ତ କରି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Telangana tunnel collapse: Rescue operations underway to save eight persons trapped inside SLBC tunnel | Argus News