ରାଧିକାଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା !

Key Points
ଝିଅର ରିଲ୍ସ ନିଶା, ଲୋକଙ୍କ ଟାହିଟାପରା ଓ ଲଭ୍ ଏଙ୍ଗେଲକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।
ପ୍ରାଥମିକ ତଦନ୍ତ ଅନୁସାରେ ହତ୍ୟାକାଣ୍ଡରେ କୌଣସି ଲଭ୍ ଏଙ୍ଗେଲ ନଥିବା କହିଛନ୍ତି SHO ।
ଟେନିସ୍ ଖେଳାଳି ହତ୍ୟା ମାମଲାରେ ବଡ଼ ଖୁଲାସା । ରିଲ୍ସ ନିଶା ଓ ଲୋକଙ୍କ ଟାହିଟାପରା ସହି ପାରିଲେନି ବାପା । ଦିନିକିଆ ରିମାଣ୍ଡରେ ଅଭିଯୁକ୍ତ ବାପା ଦୀପକ ଯାଦବକୁ ନେଇ ପଚରାଉଚରା ଆରମ୍ଭ କରିଛି ହରିୟାଣା ପୋଲିସ । ଲଭ୍ ଏଙ୍ଗେଲକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାଧିକାଙ୍କ ରୋଜଗାରରେ ଚଳୁଥିଲା ପରିବାର । ବାପା ଦୀପକ ଯାବଦଙ୍କ ସ୍ପେୟାର ପାର୍ଟ୍ସ ଦୋକାନ ବନ୍ଦ ହେବା ପରେ ବଢ଼ିଥିଲା ପରିବାରର ଆର୍ଥିକ ଅନଟନ । ପରିବାରର ଏପରି ସ୍ଥିତିରେ ନିଜ ଝିଅକୁ ବାପା ହତ୍ୟା କରିବା ଘଟଣାକୁ ନେଇ ଦେଶବ୍ୟାପୀ ଜାରି ରହିଛି ଚର୍ଚ୍ଚା । ଅଭିଯୁକ୍ତ ଦୀପକ ଯାଦବଙ୍କୁ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ହରିୟାଣା ପୋଲିସ । ହତ୍ୟାକାଣ୍ଡ ପରେ ପୋଲିସ ଗୁରୁବାର ଅଭିଯୁକ୍ତ ବାପା ଦୀପକ ଯାଦବଙ୍କୁ ଗିରଫ କରିଥିଲା । ଝିଅର ରିଲ୍ସ ନିଶା, ଲୋକଙ୍କ ଟାହିଟାପରା ଓ ଲଭ୍ ଏଙ୍ଗେଲକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ତଦନ୍ତ ଅନୁସାରେ ହତ୍ୟାକାଣ୍ଡରେ କୌଣସି ଲଭ୍ ଏଙ୍ଗେଲ ନଥିବା କହିଛନ୍ତି SHO ।
ହାରିବା ପରେ ବି ହାରିନଥିଲେ ୨୫ ବର୍ଷୀୟା ଟେନିସ ଖେଳାଳି । ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ ତମ ସ୍ଥାନରେ ଥିଲେ । ଆହତ କାରଣରୁ ଟିମରୁ ବାଦ୍ ପଡ଼ିବା ପରେ ବି ନିଜ ସ୍ୱପ୍ନ ପୂରା କରିବାକୁ ଉଡାଣ ଜାରି ରଖିଥିଲେ ରାଧିକା । ଘର ନିକଟରେ ଏକାଡେମୀ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇ ଅନେକ ନୂଆ ଖେଳାଳି ଗଢ଼ିଥିଲେ ।
ପରିବାରର ଦୁଃସ୍ଥିତିରେ ନିଜେ ରୋଜଗାର କରି ପରିବାରର ମଙ୍ଗ ଧରିଥିଲେ । ନିଜ ଖୁସି ପାଇଁ ପୁରୁଷ ବନ୍ଧୁଙ୍କ ସହ ବନାଉଥିଲେ ରିଲ୍ସ । କିନ୍ତୁ ଧୀରେଧୀରେ ଏହି ରିଲ୍ସ ନିଶା ବଢ଼ିଥିଲା । ଭିନ୍ନ ସଂପ୍ରଦାୟର ପୁରୁଷ ବନ୍ଧୁଙ୍କ ସହ ରିଲ୍ସ ବନାଇବାକୁ ନେଇ ପଡୋଶୀ ବାପା ଦୀପକଙ୍କୁ ମାରୁଥିଲେ ତାନା । ବଜାରକୁ ଯିବାବେଳେ କେହି ଝିଅ ରୋଜଗାରରେ ଚଳୁଛି କହି ଟାହିଟାପରା କରୁଥିଲେ ତ କେହି ଝିଅକୁ ନେଇ ଦେଉଥିଲେ ଆପତ୍ତିଜନକ ଟିପ୍ପଣୀ । ଏକାଡେମୀ ବନ୍ଦ କରିବାକୁ ଝିଅକୁ କହିବା ପରେ ବି ଝିଅ ନମାନିବାରୁ କ୍ରୋଧିତ ହୋଇଥିଲେ ଦୀପକ । ଅସହ୍ୟ ହୋଇଥିଲା ଲୋକଙ୍କ ଟାହିଟାପରା । ଶେଷରେ ଦୀପକ ନେଇଥିଲେ ଚୁଡ଼ାନ୍ତ ନିଷ୍ପତ୍ତି ।
ଲୋକଙ୍କ ମୁହଁ ବନ୍ଦ କରିପାରିଲେନି, ଶେଷରେ ନିଜ ଝିଅର ଜୀବନ ନେଲେ ଦୀପକ ଯାଦବ । ଗୁରୁବାର ଗୁରୁଗ୍ରାମ ସେକ୍ଟର ୫୭ରେ ନିଜ ଘରେ ଝିଅ ରୋଷେଇ କରୁଥିବା ବେଳେ ଲାଇସେନ୍ସ ପ୍ରାପ୍ତ ରିଭଲଭରରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଦୀପକ । ଗଳାରେ ଗୋଟିଏ ରାଉଣ୍ଡ ଓ ପିଠିରେ ୨ ରାଉଣ୍ଡ ଗୁଳି ଲାଗିବା ପରେ ଟଳିପଡିଥିଲେ ରାଧିକା । ତଳ ମହଲାରେ ରହୁଥିବା ରାଧିକାଙ୍କ ସାନ ଭାଇ କୁଳଦୀପ ଘଟଣା ନେଇ ପୋଲିସକୁ ଜଣାଇଥିଲେ । ହରିୟାଣାର ଉଦୀୟମାନ ଟେନିସ୍ ଖେଳାଳିଙ୍କ ଜୀବନର ଅନ୍ତକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏପରି ଘଟଣା ଯୁବପିଢ଼ିଙ୍କ ରିଲ୍ସ ନିଶା ଓ ସାମାଜିକ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି ।