ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱ ସାମ୍ନାରେ ଖୋଲିବ ଆତଙ୍କିସ୍ତାନର ପୋଲ୍

Key Points
ଏଥର ପାକିସ୍ତାନ ଉପରେ ହେବ ଡିପ୍ଲୋମାଟିକ୍ ଷ୍ଟ୍ରାଇକ୍
ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ବ ସାମ୍ନାରେ ଖୋଲିବ ଆତଙ୍କିସ୍ତାନର ପୋଲ୍
ବିଭିନ୍ନ ଦେଶ ଗସ୍ତ କରିବେ ଭାରତୀୟ ସାଂସଦଙ୍କ ନେତୃତ୍ବାଧୀନ 7ଟି ସର୍ବଦଳୀୟ ଟିମ୍
ନେତୃତ୍ବ ନେବେ ବିଜେପି, କଂଗ୍ରେସ ସମେତ ବିଭିନ୍ନ ଦଳର 7 ଜଣ ବରିଷ୍ଠ ସାଂସଦ
ବିଜେପିରୁ ରବିଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, କଂଗ୍ରେସରୁ ଶଶି ଥରୁର ନେବେ ନେତୃତ୍ବ
ବିଶ୍ବରେ ପହଞ୍ଚାଇବେ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା
ଏଥର ସାରା ବିଶ୍ବ ଆଗରେ ଖୋଲିବ ପାକିସ୍ତାନର ଅସଲ ମୁଖା। ଆତଙ୍କବାଦ ପ୍ରସଙ୍ଗରେ ବେନକାବ ହେବ ଆତଙ୍କିସ୍ତାନ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର କରିବାକୁ ବଡ଼ ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି ସରକାର। ଏ ନେଇ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛି ସଂସଦୀୟ କାର୍ଯ୍ୟ ମନ୍ତ୍ରାଳୟ । ଏଥିରେ କୁହାଯାଇଛି ଅପରେସନ ସିନ୍ଦୂର ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଗାତାର ଲଢ଼େଇ ସମ୍ପର୍କରେ 7ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ଗୁଡ଼ିକ ସମେତ ଭାରତର ପ୍ରମୁଖ ସହଯୋଗୀ ଦେଶ ଗସ୍ତ କରିବେ। ଏହି ପ୍ରତିନିଧିମଣ୍ଡଳୀ ଆତଙ୍କବାଦର ସମସ୍ତ ରୂପ ସହ ଲଢ଼େଇ କରିବା ପାଇଁ ଭାରତର ରାଷ୍ଟ୍ରୀୟ ସହମତି ଏବଂ ଦୃଢ଼ ଦୃଷ୍ଟିକୋଣ ରଖିବେ ।
ଏହି ଟିମ୍ ବିଶ୍ବ ଆଗରେ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ଉପସ୍ଥାପନ କରିବେ। ପ୍ରତ୍ୟେକ ପ୍ରତିନିଧିମଣ୍ଡଳୀରେ ରହିବେ ବିଭିନ୍ନ ଦଳର ସାଂସଦ, ପ୍ରମୁଖ ରାଜନୈତିକ ବ୍ୟକ୍ତି ଏବଂ ପ୍ରତିଷ୍ଠିତ କୂଟନୀତିଜ୍ଞ । ଯେଉଁ 7 ଜଣ ସାଂସଦ ବିଦେଶ ଗସ୍ତରେ ଯିବାକୁ ଥିବା ପ୍ରତିନିଧିମଣ୍ଡଳୀର ନେତୃତ୍ବ ନେବେ ସେମାନଙ୍କ ମଧ୍ୟରୁ 4 ଜଣ କ୍ଷମତାସୀନ NDAର 4 ଜଣ ଏବଂ 3 ଜଣ ବିରୋଧୀ ଦଳରୁ ଅଛନ୍ତି। ଏହି ସାଂସଦମାନେ ହେଲେ ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର। ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝି କରୁଣାନିଧି, ଏନସିପି ଶରଦ ପାୱାରର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେ । ପ୍ରତ୍ୟେକ ପ୍ରତିନିଧି ମଣ୍ଡଳୀ ପ୍ରାୟ 5ଟି ଦେଶ ଗସ୍ତ କରିପାରନ୍ତି। ଏହି ଗସ୍ତ ମେ 23ରୁ ଆରମ୍ଭ ହୋଇ 10 ଦିନ ଯାଏଁ ଚାଲିବ। ମିଳିଥିବା ଖବର ଅନୁସାରେ ଶଶି ଥରୁର ଆମେରିକା ଯିବାକୁ ଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ବ ନେଇପାରନ୍ତି । ରବିଶଙ୍କର ପ୍ରସାଦଙ୍କ ନେତୃତ୍ବାଧୀନ ଟିମ୍ ସାଉଦି ଆରବ, କୁଏତ, ବାହାରିନ ଓ ଆଲଜେରିଆ ଯିବ ।
ସେହିପରି ସୁପ୍ରିୟା ସୁଲେଙ୍କ ନେତୃତ୍ବାଧୀନ ଟିମ୍ ଓମାନ, କେନିଆ, ଦକ୍ଷିଣ ଆଫ୍ରିକା ଓ ମିଶର ଗସ୍ତ କରିବ। ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ପ୍ରତିନିଧିମଣ୍ଡଳୀ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିଆ ଓ ଇଣ୍ଡୋନେସିଆ ଗସ୍ତ କରିବାର ସମ୍ଭାବନା ରହିଛି। ଅନୁରାଗ ଠାକୁର, ଅପରାଜିତା ଷଡ଼ଙ୍ଗୀ, ମନୀଷ ତିୱାରୀ, ଅସଦୁଦ୍ଦିନ ଓୱେସୀ, ଅମର ସିଂହ, ରାଜୀବ ପ୍ରତାପ ରୁଡ୍ଡୀ, ସମିକ ଭଟ୍ଟାଚାର୍ଯ୍ୟ, ବ୍ରିଜ୍ ଲାଲ୍, ସରଫରାଜ ଅହମ୍ମଦ, ପ୍ରିୟଙ୍କୀ ଚତୁର୍ବେଦୀ, ବିକ୍ରମଜିତ୍ ସାହନୀ, ସସ୍ମିତ ପାତ୍ର ଓ ଭୁବନେଶ୍ବର କଲିତାଙ୍କ ସମେତ ବିଭିନ୍ନ ଦଳର ସାଂସଦ ଏହି ପ୍ରତିନିଧିମଣ୍ଡଳୀର ଅଂଶ ରହିବେ। ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ପ୍ରତିନିଧିମଣ୍ଡଳୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କୁ ବି ସାମିଲ କରାଯାଇଛି, ଯିଏ ସାଂସଦ ନାହାନ୍ତି । ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ବି ଏହି ଗସ୍ତରେ ସାମିଲ ହେବାକୁ କହିଥିଲେ, କିନ୍ତୁ ସେ ସ୍ବାସ୍ଥ୍ୟ ଜନିତ କାରଣରୁ ମନା କରିଦେଲେ।
ଏମିତି ପ୍ରଥମ ଥର ହେଉଛି ଯେ ଭାରତ ସରକାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବିଶ୍ବ ସାମ୍ନାରେ ଉପସ୍ଥାପନ କରିବା ପାଇଁ ବିଭିନ୍ନ ଦଳର ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ପଠାଉଛି। ଏହି ଟିମ୍ ଅପରେସନ ସିନ୍ଦୂର ପ୍ରସଙ୍ଗରେ ବି ବିଭିନ୍ନ ରାଷ୍ଟ୍ରଙ୍କୁ ସୂଚନା ଦେବେ।