ଆତଙ୍କୀ ତେହେବୁର ରାଣାର ବଢ଼ିଲା ୧୨ଦିନ ରିମାଣ୍ଡ ଅବଧି

ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ତେହେବୁର ହୁସେନ ରାଣାର ବଢ଼ିଲା ରିମାଣ୍ଡ ଅବଧି । ପଟିଆଲା ହାଉସ୍ କୋର୍ଟ ରିମାଣ୍ଡ ଆବେଦନକୁ ୧୨ଦିନ ବୃଦ୍ଧି କରିଛନ୍ତି । ମୁମ୍ବାଇ ଆତଙ୍କବାଦୀ ହମଲା ବାବଦରେ ଅଧିକ ପଚରାଉଚରା ପାଇଁ ଏନଆଇଏ ରିମାଣ୍ଡକୁ ଆଉ ୧୮ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲା । ସୋମବାର ଏହାର ଶୁଣାଣି କରି ପଟିଆଲା ହାଉସ୍ କୋର୍ଟ ଏହାକୁ ୧୨ଦିନ ବଢ଼ାଇଛନ୍ତି । ବରିଷ୍ଠ ଆଇନଜୀବୀ ଦୟାନ କୀଷ୍ଣନ ଏବଂ ସ୍ବତନ୍ତ୍ର ସରକାରୀ ଅଧିବକ୍ତା ନରେନ୍ଦ୍ର ମାନ, ଚାମ୍ବର କାର୍ଯ୍ୟକୁ ପ୍ରତିନିଧିତ୍ବ କରିଥିଲେ । ସେପଟେ ଦିଲ୍ଲୀ ବିଧିକ ସେବା ପ୍ରାଧିକରଣର ଅଧିବକ୍ତା ପୀୟୂଷ ସଚଦେବା ଆତଙ୍କୀ ତହବ୍ବୁର ରାଣାର ପକ୍ଷ ରଖିଥିଲେ ।
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ତେହେବୁର ହୁସେନ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ନାମ। ତାକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିର ନିକଟତର ବୋଲି ବିବେଚନା କରାଯାଏ। ହେଡଲି ଏବଂ ରାଣା ସ୍କୁଲ ଦିନରୁ ବନ୍ଧୁ ଥିଲେ। ପରେ ହେଡଲି ସ୍ୱୀକାର କରିଥିଲା ଯେ ସେ ଲସ୍କର-ଏ-ତୋଏବା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା। ତେହେଓ୍ବୁର ହୁସେନ ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ସେ ୧୨ ଫେବୃଆରୀ ୧୯୬୧ ମସିହାରେ ପଞ୍ଜାବ (ପାକିସ୍ତାନ)ର ଚିଚାୱଟନୀରେ ଜନ୍ମଗ୍ରହଣ କରିଥିଲା। ସେ ପାକ୍ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲା। ଅବସର ପରେ ସେ ନିଜ ପତ୍ନୀଙ୍କ ସହ ଚିକାଗୋ (ଆମେରିକା) ରହୁଥିଲା ଓ ପରେ ସେ କାନାଡିୟ ନାଗରିକତା ହାସଲ କରିଥିଲା ।