ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ ବିଷାକ୍ତ ହୋଇଗଲାଣି ବାୟୁ

ଅର୍ଗସ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ବିଷାକ୍ତ ହୋଇଗଲାଣି ବାୟୁ। ଚାରିଆଡେ ଢ଼ାଙ୍କି ହୋଇଗଲାଣି ଧୂଆଁର ମୋଟା ଚାଦର। ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା। ଆଜି ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଖସିଆସିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର AQI ଆଜି ୨୭୪ରେ ପହଞ୍ଚିଛି। ସେହିପରି ୧୩ଟି ହଟ୍ସ୍ପଟ୍ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି। ଦିଲ୍ଲୀର ମୁଣ୍ଡକାରେ ସବୁଠୁ ଖରାପ ରହିଛି ବାୟୁର ଗୁଣବତ୍ତା। ଏଠାରେ AQI ୩୭୨ ରହିଛି। ସେହିପରି ବବାନାରେ ୩୬୬, ଜାହାଙ୍ଗିରପୁରିରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ ନୋଏଡାରେ ୨୨୬ ଓ ଫରିଦାବାଦର AQI ୨୦୯ ରେକର୍ଡ ହୋଇଛି। ଦିଲ୍ଲୀର ଅକ୍ଷରଧାମ ଓ ଏହାର ଆଖପାଖ ଅଞ୍ଚଳରେ ଧୂଆଁର ଏକ ଚାଦାର ଛାଇଯାଇଛି, କାରଣ ଏହି ଅଞ୍ଚଳର AQI ବୃଦ୍ଧି ପାଇଁ ୩୩୪ରେ ପହଞ୍ଚି ଯାଇଛି। ସେହିପରି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି, ଅତ୍ୟଧିକ ପ୍ରଦୂଷଣ ଯୋଗୁ ଏ ସ୍ଥିତି ଉପୁଜିଛି ।