ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ

Key Points
ମନ କି ବାତ କାର୍ଯ୍ୟକ୍ରମରେ ଅପରେସନ ସିନ୍ଦୂର
ମୋଦି କହିଲେ, ଆତଙ୍କବାଦ ଶେଷ କରିବାକୁ ସଂକଳ୍ପ ନେଇଛି ଭାରତ
ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ
ଅପରେସନ୍ ସିନ୍ଦୂର ଆତ୍ମନିର୍ଭର ଭାରତ, ସାହସ ଓ ସଂକଳ୍ପର ପ୍ରତୀକ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ମୋଦି ଯାହା କହିଲେ ତାହା ପ୍ରେରଣାଦାୟୀ
ମନ କି ବାତ କାର୍ଯ୍ୟକ୍ରମରେ ସାରା ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେଶନ୍ ସିନ୍ଦୂର କେବଳ ଗୋଟିଏ ସୈନ୍ୟ ଅଭିଯାନ ନୁହେଁ, ଏହା ଆମ ସଂକଳ୍ପ, ସାହସ ଏବଂ ପରିବର୍ତ୍ତିତ ହେଉଥିବା ଭାରତର ଛବି । ଏହି ଛବି ସାରା ଦେଶକୁ ଦେଶ-ଭକ୍ତିର ଭାବନାରେ ଭରି ଦେଇଛି । ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ଦେଇଛି । ଆତଙ୍କବାଦ ବିରୋଧରେ ହୋଇଥିବା ଲଢେଇରେ ଆତଙ୍କବାଦ ଶେଷ କରିବାକୁ ଭାରତ ସଂକଳ୍ପ ନେଇଛି ବୋଲି ସେ କହିଛନ୍ତି । ମେଦି କହିଛନ୍ତି, ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଅପରେଶନ୍ ସିନ୍ଦୂରରେ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ସେନାବାହିନୀ ସୀମା ସେପଟେ ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହ ଦେଇଛି।
ମୋଦି କହିଛନ୍ତି, ଦେଶର ଅନେକ ସହରରେ, ଗାଁମାନଙ୍କରେ, ଛୋଟ ଛୋଟ ଇଲାକାରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ହଜାର ହଜାର ଲୋକେ ହାତରେ ତ୍ରିରଙ୍ଗା ଧରି ଦେଶର ସେନାବାହିନୀ ପ୍ରତି ସମ୍ମାନ ଏବଂ ଅଭିନନ୍ଦନ ପ୍ରଦର୍ଶନ ପାଇଁ ବାହାରିପଡ଼ିଲେ । ସାମାଜିକ ଗଣମାଧ୍ୟମରେ କବିତା ରଚନା ହେଉଥିଲା, ସଂକଳ୍ପ ସଙ୍ଗୀତ ଗାନ କରାଯାଉଥିଲା । ଛୋଟ ଛୋଟ ପିଲାମାନେ ଚିତ୍ର ଆଙ୍କିଥିଲେ, ଯାହା ପଛରେ ରହିଥିଲା ବଡ଼ ବଡ଼ ବାର୍ତ୍ତା । ବିହାରର କଟିହାରରେ, ୟୁପିର କୁଶିନଗରରେ, ଆହୁରି ଅନେକ ସହରରେ ସେହି ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁମାନଙ୍କ ନାଁ ସିନ୍ଦୂର ରଖାଯାଇଛି ।
ମୋଦି କହିଛନ୍ତି, ଯବାନମାନେ ଆତଙ୍କବାଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କଲେ। ଏହା ତାଙ୍କର ଅଦମ୍ୟ ସାହସ ଥିଲା । ଆଉ ଏହା ସହିତ ସମ୍ମିଳିତ ଥିଲା ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଜ୍ଞାନକୌଶଳର ଶକ୍ତି । ସେଥିରେ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ଥିଲା । ଏହି ଅଭିଯାନ ପରେ ସାରା ଦେଶରେ ଭୋକାଲ୍ ଫର୍ ଲୋକାଲକୁ ନେଇ ଗୋଟିଏ ନୂତନ ଶକ୍ତି ସାମନାକୁ ଆସିଛି ।
ମନ କି ବାତରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ମୋଦି ଯାହା କହିଲେ ତାହା ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେନାର ପରାକ୍ରମ, ଆତଙ୍କବାଦ ବିରୋଧରେ ଦେଶର ସାମୁହିକ ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ଭାରତର ଯେଉଁ ଛବି ଉପସ୍ଥାପନ କରିଛନ୍ତି, ତାହା ଦେଶର ନିର୍ଣ୍ଣାୟକ ବିକାଶରେ ସହାୟକ ହେବ ।
ସେପଟେ ପୁରା ବିଶ୍ବ ଆଗରେ ପାକିସ୍ତାନର ମୁଖା ଖୋଲୁଛି ଭାରତ । ଆଜି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦଙ୍କ ନେତୃତ୍ବରେ ଫ୍ରାନ୍ସ ଗସ୍ତ କରିଛନ୍ତି ଏକ ସର୍ବଦଳୀୟ ପ୍ରତିନିଧି ଦଳ । ସେଠାରେ ପହଁଚି ପହଲଗାମରେ ଆତଙ୍କୀ ହମଲା ବିଷୟରେ ବଖାଣିବା ସହ ବିଶ୍ବ ଆଗରେ ଆତଙ୍କୀଗଡ଼ର ଅସଲ ଚେହେରାକୁ ପଦାରେ ପକାଇବେ।
ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ମୋଟ ୭ଟି ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ର ୭ ଜଣ ପ୍ରମୁଖ ନେତା ନେତୃତ୍ବ ନେଉଛନ୍ତି ।