କୋଲକାତା ଲଜ୍ଜା ଘଟଣା ନେଇ କାଠଗଡ଼ାରେ ମମତା ସରକାର

ନୂଆଦିଲ୍ଲୀ: କୋଲକାତା ଲଜ୍ଜା ଘଟଣାକୁ ନେଇ ଆକ୍ସନ ମୋଡରେ ସିବିଆଇ । ଖୁବଶୀଘ୍ର ଆରଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସହ ଅନ୍ୟ 4 ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବାକୁ ଯାଉଛି । ସିଆଲହଦ ସ୍ବତନ୍ତ୍ର ଅଦାଲତ, ଅଭିଯୁକ୍ତ ସଂଜୟ ରୟକୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏପଟେ ସିବିଆଇକୁ ଭେଟି ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି ସହ ଡାକ୍ତର ସୁରକ୍ଷା ବୃଦ୍ଧି ନେଇ ଦାବିପତ୍ର ଦେଇଛନ୍ତି ଡାକ୍ତରଙ୍କ 10 ଜଣିଆ ପ୍ରତିନିଧି ମଣ୍ଡଳ ।
କୋଲକାତା ଲଜ୍ଜା ଘଟଣାକୁ ବିତିଛି 14 ଦିନ । ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଅଭିଯୋଗ ହେଉଥିଲେ ବି ଏଯାଏ ମାତ୍ର ଜଣକ ପାଖରେ ପହଞ୍ଚିଛି ଆଇନର ଫନ୍ଦା। ଏବେ ବି ବାହାରେ ବୁଲୁଛନ୍ତି ଜଘନ୍ୟ, ବର୍ବର କାଣ୍ଡର ଅପରାଧୀ। ପ୍ରଥମରୁ SIT ଦ୍ବାରା ଆରମ୍ଭ ହୋଇଥିବା ତଦନ୍ତରେ ଟାଳଟୁଳ ନୀତି ଓ ପ୍ରମାଣ ନଷ୍ଟ କରିବାକୁ ଷଡ଼ଯନ୍ତ୍ର ଯୋଗୁଁ ଅନ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ଅଭିଯୋଗ ହେଉଛି । କୋଲକାତା ସିଆଲଦାର ସ୍ବତନ୍ତ୍ର ଅଦାଲତ, ଅଭିଯୁକ୍ତ ସଂଜୟ ରାୟକୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଆଜି ସଞ୍ଜୟକୁ କଡ଼ା ସୁରକ୍ଷା ବଳୟ ଭିତରେ ସିଆଲଦା ସିଭିଲ ଓ କ୍ରିମିନାଲ କୋର୍ଟରେ ହାଜର କରିଥିଲା ସିବିଆଇ । କୋର୍ଟ ନିକଟରେ ପହଞ୍ଚି ବିକ୍ଷୋଭ କରିଥିଲେ ବହୁ ସଂଖ୍ୟାରେ ଆନ୍ଦୋଳନକାରୀ। ଏପଟେ ଆକ୍ସନ ମୋଡରେ ଥିବା ସିବିଆଇ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଅଭିଯୁକ୍ତ ସନ୍ଦୀପ ଘୋଷଙ୍କ ସହ ଅନ୍ୟ 4 ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିବ । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ସହ ଡାକ୍ତରଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଆନ୍ଦୋଳନ ଜାରି ରଖିଥିବା ଡାକ୍ତର ସଂଘର 10 ଜଣିଆ ପ୍ରତିନିଧି ସିବିଆଇକୁ ଭେଟି ଦାବିପତ୍ର ଦେଇଛନ୍ତି ।
ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶ ହୁଲସ୍ତୁଲ ହୋଇଥିଲେ ବି ଚେଇଁ ଶୋଇଥିଲେ ମମତା ସରକାର । ପ୍ରଥମରୁ ଦାବି ହୋଇଥିଲେ ବି କାହିକି ମମତା ସରକାର, ମାମଲାକୁ ସିବିଆଇକୁ ହସ୍ତାନ୍ତର ନକରିନଥିଲେ, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଆରଜି କର ମେଡିକାଲର ଡାକ୍ତର । ଘଟଣାରେ ସଂପୃକ୍ତ ସବୁ ଅଭିଯୁକ୍ତ ଗିରଫ ନ ହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ସେପଟେ ସାମ୍ନାକୁ ଆସିଛି ଗିରଫ ଅଭିଯୁକ୍ତ ସଂଜୟର ମାଆଙ୍କ ବୟାନ। ଗୁରୁବାର ଘଟଣାକୁ ଲଜ୍ଜାଜନକ କହିବା ସହ ଅବହେଳାକୁ ନେଇ ମମତା ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ଏବେବି ମମତା ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ 14 ଦିନ ହେଲା ଡାକ୍ତର ସଂଘର ଆନ୍ଦୋଳନ ଜାରି ରହିଛି । ଇମରଜେନ୍ସି ୱାର୍ଡକୁ ବାଦ୍ ଦେଲେ ଅନ୍ୟ ସବୁ ବିଭାଗରେ ଠପ୍ ହୋଇଯାଇଛି ସ୍ବାସ୍ଥ୍ୟସେବା ।
ଅଧିକ ପଢନ୍ତୁ ଭାରତ ଖବର