ଜଣେ କି ଦୁଇ ଜଣ ନୁହେଁ ଡଜନେରୁ ଅଧିକ ବରଙ୍କୁ ଫିଲ୍ମ ଷ୍ଟାଇଲରେ ଲୁଟ କରିଛି ଡାକୁ ଦୁଲହନ ! ପଢନ୍ତୁ...

Key Points
୨୧ ବର୍ଷ ବୟସରେ ଡଜନେରୁ ଅଧିକ ବାହାଘର
ଗୁଜୁରାଟରେ କାଜଲ, ହରିୟାଣାରେ ସୀମା, ବିହାରରେ ନେହା ଏବଂ ଉତ୍ତର ପ୍ରଦେଶରେ ସ୍ୱିଟି । ମାତ୍ର ୨୧ ବର୍ଷ ବୟସରେ ସେ ଅତିକମରେ ୧୨ ଥର ବିବାହ କରିସାରିଛି | କିନ୍ତୁ କୌଣସି ବି ବିବାହ ତାର କିଛି ଘଣ୍ଟାରୁ ଅଧିକ ଚାଲିନି | ଯେତେବେଳେ ସେ ବଧୁ ବେଶରେ ସଜେଇ ହୋଇ ଆସେ, ସେତେବେଳେ ମାତ୍ର କିଛି ସମୟ ପାଇଁ ପୁଅ ଘର ଲୋକ ଭାରି ଖୁସି ହୋଇଥାନ୍ତି । ଆଉ ତାପରେ ଏମିତି ଏକ ଦୁଃଖଦ ଘଟଣା ଘଟିଯାଏ, ଯେଉଁଥିପାଇଁ ବିବାହ କାର୍ଯ୍ୟକ୍ରମ ସେଇଠି ଅଟକି ଯାଏ | କାରଣ ଠିକ ସମୟରେ ପ୍ରତ୍ୟେକ ଥର ବିବାହ ମଣ୍ଡପରୁ ତାର ଅପହରଣ ହୋଇଯାଏ | ଏହାସହ ସମସ୍ତ ଦାମୀ ସୁନା ଗହଣା ଚୋରି ହୋଇଯାଏ |
୨୧ ବର୍ଷ ବୟସରେ ଡଜନେରୁ ଅଧିକ ବାହାଘର
ବିବାହ ଉତ୍ସବରେ ଏହି ଝିଅ ସହ ଯେଉଁ ଘଟଣା ଘଟେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ | ତେଣୁ ପୁଅ ଘର ଲୋକ ଆଉ ସେଇ ଝିଅ ପ୍ରତି ଫେରିକି ଚାହିଁବାର ସାହସ ବି କରନ୍ତି ନାହିଁ | ତାପରେ ଏହି ୨୧ ବର୍ଷୀୟା ଝିଅ ପୁଣି ମାଟ୍ରିମୋନିଆଲ ସାଇଟ ଓ ସୋଶଲ ମିଡିଆରେ ନୂଆ ପୁଅ ଖୋଜିବା ଆରମ୍ଭ କରେ |
ଆଜ୍ଞା ହଁ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ଆମେ କହୁଛୁ ସେଇ ଡାକୁ ଦୁଲହନ କଥା, ଯିଏ ପୁଅ ମାନଙ୍କୁ ବିବାହ ପ୍ରଲୋଭନ ଦେଖାଇ ମଣ୍ଡପ ସଜାଡ଼େ, ତାପରେ ସବୁ ଆୟୋଜନ ମଧ୍ୟ କରାଯାଏ, ଆଉ ଏତିକି ବେଳେ ଡାକୁ ଦୁଲହନ ନିଜର ଅସଲି ରୂପ ଦେଖାଏ | ପୁଅ ଘର ତରଫରୁ ଅଣାଯାଇଥିବା ସବୁ ସୁନା ଗହଣା, ଟଙ୍କା ଓ ଦାମୀ ଜିନିଷ ନେଇ ଫେରାର ହୋଇଯାଏ |
‘ଡାକୁ ଦୁଲହନ’ ଧରାପଡ଼ିଲା କେମିତି ?
ଏହି 'ଡାକୁ ଦୁଲହନ'ର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ପୋଲିସ ତାକୁ ତାଙ୍କ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କ ସହିତ ଗିରଫ କରିଥିଲା। ପଚରାଉଚରା ସମୟରେ ଜଣାପଡିଲା ଯେ ତା ନାଁ ଗୁଲଶନ। ସେ ସଜବାଜ ହୋଇ ବଧୁ ବେଶରେ ବିବାହ ମଣ୍ଡପରେ ପହଞ୍ଚିଥାଏ | ଆଉ ତାପରେ ପ୍ରତ୍ୟେକ ଥର ଏମିତି କିଛି ଘଟିଥାଏ, ଯାହାଫଳରେ ସେ ଅଳଙ୍କାର, ଟଙ୍କା ଏବଂ ମୂଲ୍ୟବାନ ଜିନିଷପତ୍ର ସବୁ ନେଇ ଉଭାନ ହୋଇଯାଏ । ଆଉ ବର ବେଶରେ ଆସିଥିବା ପୁଅ କିଛି ବୁଝିପାରେ ନାହିଁ | ଏମିତିକି ବରଯାତ୍ରୀମାନେ କେବେ କିଛି ଜାଣିପାରନ୍ତି ନାହିଁ କଣ ସବୁ ଘଟିଗଲା | ଆଉ ତାପରେ ଗୁଲଶନ ପୁଣି ବିଭିନ୍ନ ୱେବସାଇଟ୍ ଏବଂ ସୋସିଆଲ ମିଡିଆରେ ପୁଅ ଖୋଜିବା ଆରମ୍ଭ କରେ ।
କାହାଣୀଟି ଖୁବ ଆଶ୍ଚର୍ଯ୍ୟଜନକ
'ଡାକୁ ଦୁଲହନ' ଗୁଲଶନର କାହାଣୀ ଖୁବ ଆଶ୍ଚର୍ଯ୍ୟଜନକ। ସେ ବାରଣାଶୀ ପାଖ ପୂର୍ବ ଉତ୍ତର ପ୍ରଦେଶର ଜୌନପୁରର ବାସିନ୍ଦା । ଅସଲ ଜୀବନରେ, ସେ ରିୟାଜ ଖାନ ନାମକ ଜଣେ ଦର୍ଜୀଙ୍କୁ ବିବାହ କରିଛନ୍ତି। ରିଆଜ ଗୁଲଶନର ସମସ୍ତ କାର୍ଯ୍ୟକଳାପ ବିଷୟରେ ଜାଣିଛି । ସେ ଗୁଲଶନର ରୋଜଗାରର ୫ ପ୍ରତିଶତ ଭାଗ ନେଉଥିଲା, ତେଣୁ ଏହି କାମରେ ସେ ବି ଖୁସି ଥିଲା । ଗୁଲଶନକୁ ଚଳିତ ମାସ ଆରମ୍ଭରେ ଲକ୍ଷ୍ନୌରୁ ଗିରଫ କରାଯାଇଛି ।
📱 Get Argus News App
✨
ଫିଲ୍ମ ସ୍ଟାଇଲରେ ଧରିଲା ପୋଲିସ
ପୋଲିସ କହିବାନୁସରେ ଡାକୁ ଦୁଲହନକୁ ଗିରଫ କରାଯିବା ସମୟରେ ତା ସହିତ ଗ୍ୟାଙ୍ଗର ଆହୁରି ଆଠ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି | ପୋଲିସ ତାଙ୍କଠାରୁ ନଗଦ ୭୨ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଗୋଟିଏ ସୁନା ମଙ୍ଗଳସୂତ୍ର, ୧୧ଟି ମୋବାଇଲ୍ ଫୋନ୍ ଏବଂ ତିନୋଟି ନକଲି ଆଧାର କାର୍ଡ ଜବତ କରିଛି। ଆମ୍ବେଦକର ନଗର ଏସପି କେଶବ କୁମାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ବିବାହ ନାମରେ ଲୋକଙ୍କୁ ଠକୁଥିଲା। ଏହି ଗ୍ୟାଙ୍ଗରେ ପାଞ୍ଚ ଜଣ ମହିଳା ଏବଂ ଚାରି ଜଣ ପୁରୁଷ ସାମିଲ ଥିଲେ। ସେ ଅନେକ ରାଜ୍ୟରେ ଲୋକମାନଙ୍କୁ ନିଜର ଶିକାର କରିଛନ୍ତି ।
ବିଭିନ୍ନ ସହରରେ କରିଛନ୍ତି କାଣ୍ଡ
ନିକଟ ଅତୀତରେ ଡାକୁ ଦୁଲହନ ଟିମ ହରିୟାଣାର ରୋହତକର ବାସିନ୍ଦା ସୋନୁଙ୍କୁ ଠକିଥିଲା। ଗୁଲଶନ ବିବାହ ପାଇଁ 80,000 ଟଙ୍କା ମାଗିଥିଲା । ଏସପି କହିଛନ୍ତି ଯେ ବିବାହ ଦିନ, ରୀତିନୀତି ପରେ ଡାକୁ ଦୁଲହନର ଗ୍ୟାଙ୍ଗ ଦୁଲହନକୁ ଲୋକ ଦେଖାଣିଆ ଅପହରଣ କରିନେଲେ | ଗ୍ୟାଙ୍ଗର ଅନ୍ୟ ଲୋକମାନେ ସମସ୍ତ ମୂଲ୍ୟବାନ ଜିନିଷପତ୍ର ସୁନା ଗହଣା ଟଙ୍କା ନେଇ ସେଠାରୁ ଫେରାର ହୋଇଗଲେ | ତେବେ ଏନେଇ ତୁରନ୍ତ ୟୁପି ପୋଲିସକୁ ଜଣାଇଥିଲା ସୋନୁ |
ପୋଲିସ କହିଲା କେମିତି ଧରାପଡ଼ିଲା ପୁରା ଗ୍ୟାଙ୍ଗ
ଏସପି କେଶବ କୁମାର କହିଛନ୍ତି ଯେ ଅଭିଯୋଗ ପାଇବା ମାତ୍ରେ ଆମେ ତୁରନ୍ତ ସମସ୍ତ ରୁଟ୍ ବନ୍ଦ କରିଦେଲୁ ଏବଂ ସବୁ ଷ୍ଟେସନକୁ ଆଲର୍ଟ କରିଥିଲୁ । ଏହା ପରେ, ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସତ କହିବା ପରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରାଗଲା | ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ସମାନ ଉପାୟରେ ଅତି କମରେ 12 ଜଣଙ୍କୁ ଠକିଛନ୍ତି। ପୋଲିସର କହିବା ଅନୁଯାୟୀ, ଗୁଲଶନ ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ମାଟ୍ରିମୋନିଆଲ ସାଇଟରେ ପ୍ରୋଫାଇଲ୍ ତିଆରି କରୁଥିଲେ। ସେମାନେ ପୂର୍ବରୁ ଧନୀ ପରିବାରକୁ ଟାର୍ଗେଟ କରୁଥିଲେ। ଏମିତିକି ଯେଉଁମାନଙ୍କୁ ଝିଅ ମିଳୁନଥିଲା ବା ବିବାହ ହୋଇପାରୁ ନଥିଲା ସେମାନଙ୍କୁ ଶିକାର କରୁଥିଲେ | ବିବାହ ବାହାନାରେ ସେମାନେ ସେମାନଙ୍କଠାରୁ ଟଙ୍କା ଏବଂ ଅଳଙ୍କାର ଲୁଟ କରୁଥିଲେ। ତା’ପରେ ସେମାନେ ଫେରାର ହୋଇଯାଉଥିଲେ |