ଫାଶୀଦଣ୍ଡ ଭଲ ନା ଜେଲଦଣ୍ଡ

Key Points
କାଠଗଡାରେ ଏବେ ଫାଶୀ ବା ମୃତ୍ୟୁଦଣ୍ଡ
ଜେଲଦଣ୍ଡ ଦେଇ ତାର ଖାଇବା ପିଇବା ଓ ସୁରକ୍ଷାରେ ବିପୁଳ ଅର୍ଥଶ୍ରାଦ୍ଧ କରାଯିବ କାହିଁକି?
ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯିବା କେତେ ଠିକ ?
ଅର୍ଗସ ବ୍ୟୁରୋ: ଜନ୍ମ ଆଉ ମୃତ୍ୟୁ ଜୀବନ ଯାତ୍ରାର ଦୁଇଟି ପାର୍ଶ୍ବ । ତାରି ଭିତରେ ଦେବ ଦାନବର ମନ-ହୃଦୟ ନେଇ ବଞ୍ଚୁଥିବା ପ୍ରାଣୀ ଆମେ-ମଣିଷ । ଏଠି ସମସ୍ତଙ୍କର ଆଚାରବିଚାର, ନୀତିନିୟମ, ବିବେକ ବ୍ୟବହାର ସବୁ ଅଲଗା । ଆମେ ସୃଷ୍ଟିର ଏକମାତ୍ର ସାମାଜିକ ପ୍ରାଣୀଭାବେ ସ୍ବୀକୃତି ପାଇଛୁ ସତ କିନ୍ତୁ ବେଳେବେଳେ ମାନିବକତାର ମୂଲ୍ୟବୋଧରୁ ବାହାରି ଯାଇ ଅନେକ ଭୁଲଭଟକା କରୁ। କିଛି ଭୁଲ୍ କ୍ଷମଣୀୟ ଆଉ କିଛି ଅକ୍ଷମଣୀୟ। ଯେଉଁଠି କ୍ଷମା ନାହିଁ ସେଠି ଦଣ୍ଡର କଥା ତ ନିଶ୍ଚୟ ଆସିବ। ଆମ ନ୍ୟାୟ ବ୍ୟବସ୍ଥା କହୁଛି ଛୋଟ ଅପରାଧ ପାଇଁ କମ୍ ଦଣ୍ଡ ଆଉ ବଡ଼ ଅପରାଧ ପାଇଁ ଅଧିକ। ମାତ୍ରାଧିକ ବର୍ବୋରଚିତ ଅପରାଧ ଘଟାଉଥିବା ମଣିଷରୂପୀ ଦାନବମାନଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ଅଛି। ହେଲେ ଅନେକ ସମୟରେ ପ୍ରଶ୍ନ ଆସେ କାହାର ଜୀବନ ନେବାର ଅଧିକାର ରାଷ୍ଟ୍ରର ଅଛି ତ? ଏପଟେ ଯୁକ୍ତି ବି ଆସେ ଯିଏ ଅମଣିଷ ସେ ମଣିଷ ସମାଜରେ ବଞ୍ଚି ରହିବ କାହିଁକି ?ଏମିତି ଏକ ଦୋଛକିର କାଠଗଡାରେ ଏବେ ଫାଶୀ ବା ମୃତ୍ୟୁଦଣ୍ଡ।
କୋଲକତା ଆର୍ ଜି କର ମେଡିକାଲ କଲେଜ ଟ୍ରେନିଂ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀ ସଞ୍ଜୟ ରାୟକୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପରେ, ତାଙ୍କୁ କାହିଁକି ଫାଶୀ ଦଣ୍ଡ ଦିଆଗଲା ନାହିଁ ତାକୁ ନେଇ ପ୍ରବଳ ଚର୍ଚ୍ଚା ଓ ତମ୍ବିତୋଫାନ। ଘଟଣା ବିରଳତମ ବୋଲି ଦର୍ଶାଇ ସଞ୍ଜୟକୁ ଫାଶୀ ଦିଆଯାଉ ବୋଲି ସିବିଆଇ ଗତ ୨୨ ତାରିଖରେ କଲିକତା ହାଇକୋର୍ଟଙ୍କ ନିକଟରେ ଅପିଲ ବି କରିଛି। ଏପଟେ ମମତା ବାନାର୍ଜୀଙ୍କ ବୟାନ ନିଆଁରେ ଘିଅ ଢାଳିଛି। ରାଜ୍ୟ ପୋଲିସ ତଦନ୍ତ କରିଥିଲେ ସଞ୍ଜୟ ଫାଶୀ ଖୁଣ୍ଟରେ ଝୁଲିଥାନ୍ତା କହି ସେ ବିବାଦକୁ ଆହୁରି ବଢାଇଛନ୍ତି। ଫାଶୀ ଭଲ ନା ଜେଲ ଭଲ ତାକୁନେଇ ଦେଶରେ ଏବେ ପୁଣି ଚର୍ଚ୍ଚା ମୁଣ୍ଡ ଟେକିଛି।
ଅନେକ କହୁଛନ୍ତି ଆମ ସଭ୍ୟତା ମୃତ୍ୟୁଦଣ୍ଡକୁ ସହଜରେ ସ୍ବିକାର କରେ ନାହିଁ। ମାରିଦେଲେ ତ ତରିଯିବ, ସେ ଯେଉଁ ଅପରାଧ କରିଛି ତାକୁ ଥରକରେ ନୁହେଁ ତିଳତିଳ କରି ମରିବାକୁ ଛାଡିଦିଆଯାଉ। ଫାଶୀ ନୁହେଁ ଜେଲର କାଳ କୋଠରୀରେ ଅପରାଧୀ ବଞ୍ଚିରହୁ, ସାରା ଜୀବନ କଷ୍ଟପାଉ। ଅନୁତାପର ନିଆଁରେ ଜଳୁଥାଉ।
ଏପଟେ ଆଉ ଗୋଟିଏ ମତ, ପିଶାଚ ପରି ବ୍ୟବହାର କରୁଥିବା ଏ ମଣିଷରୂପୀ ଜହ୍ଲାଦମାନଙ୍କୁ ଫାଶୀ ଦେବାହିଁ ଠିକ୍। ଯାହାର ବୃତ୍ତି ଆଉ ପ୍ରବୃତ୍ତି ରାକ୍ଷସ ପରି, ଯିଏ ଛାତିଥରା ଲୋମଟାଙ୍କୁରା ଅପରାଧ ଘଟାଇବାକୁ ପଛାଏ ନାହିଁ ସେ ବଞ୍ଚିରହିବ କାହିଁକି? ଜେଲଦଣ୍ଡ ଦେଇ ତାର ଖାଇବା ପିଇବା ଓ ସୁରକ୍ଷାରେ ବିପୁଳ ଅର୍ଥଶ୍ରାଦ୍ଧ କରାଯିବ କାହିଁକି?
ଆମଦେଶରେ ଜିଲ୍ଲା ଓ ଦୌରାଜଜ୍ ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିପାରିବେ, ହେଲେ ହାଇକୋର୍ଟଙ୍କ ବିନା ଅନୁମତିରେ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଆବଶ୍ୟକତା ଅନୁଭବ କଲେ ଉଚ୍ଚ ନ୍ୟାୟଳୟ ଏହାକୁ ଆଜୀବନ କାରାଦଣ୍ଡକୁ କୋହଳ ପରିପାରିବେ। ଆମ ବ୍ୟବସ୍ଥା ଅନୁସାରେ ସୁପ୍ରିମକୋର୍ଟରୁ ଫାଶୀ ଦଣ୍ଡାଦେଶ ପାଇଥିବା ଅପରାଧିର ଦଣ୍ଡକୁ କ୍ଷମା କରିବାର କ୍ଷମତା ବି ରାଷ୍ଟ୍ରପତିଙ୍କର ରହିଛି। ୨୦୧୭ ମସିହାରେ ସୁପ୍ରିକୋର୍ଟରେ ଓକିଲ ଋଷି ମାଲହୋତ୍ରା ଏକ ପିଟିସନରେ ଦର୍ଶାଇଥିଲେ ଫାଶୀ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବା ଖୁବ୍ ଯନ୍ତ୍ରଣାଦାୟକ। ତେଣୁ ଅପରାଧୀକୁ ମୃତ୍ୟୁଦଣ୍ଡ ପାଇଁ ଅନ୍ୟ ସରଳ ଉପାୟ ଅଣାଯାଉ। ଆଇନର ଏହି ବ୍ୟବସ୍ଥାକୁ ନେଇ ୨୦୨୦ ମସିହାରେ ଚିନ୍ତାପ୍ରକଟ କରିଥିଲା ଜାତିସଂଘ। ୨୦୨୦ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜାତିସଂଘ ସଚିବଙ୍କ ମୁଖପାତ୍ର କହିଥିଲେ ସମସ୍ତ ଦେଶ ଫାଶୀଦଣ୍ଡ ବନ୍ଦ କରନ୍ତୁ। ଜାତି ସଂଘର ଏହି ଆହ୍ବାନରେ ୧୪୦ ଟି ଦେଶ ବର୍ତ୍ତମାନ ସୁଦ୍ଧା ଫାଶୀଦଣ୍ଡ ବନ୍ଦ କରି ସାରିଲେଣି। ଆମଦେଶରେ ଶେଷଥର ପାଇଁ ୨୦୨୦ରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଫାଶୀ ଦିଆଯାଇଥିଲା। ହେଲେ ଫାଶୀଦଣ୍ଡ କାର୍ଯ୍ୟକାରୀ ହେଲାପରେ ଅନେକ ସମୟ ଧରି ଆସାମୀ ବଞ୍ଚି ରହିବାର ନଜିର ବି ଅଛି।
📱 Get Argus News App
✨ତିହାର ଜେଲରେ ୧୯୮୨ ଜାନୁୟାରୀ ୩୧ରେ ଦୁର୍ଦ୍ଦାନ୍ତ ଅପରାଧୀ ରଙ୍ଗା ବିଲ୍ଲା ଫାଶୀ ଘଟଣା ସମସ୍ତଙ୍କ ତାଜୁବ କରେ । ଫାଶୀର ଦୁଇଘଣ୍ଟା ପରେ ବି ରଙ୍ଗା ଜୀବିତ ଥିବା ଡାକ୍ତର ଓ ଜେଲ କତ୍ତୃପକ୍ଷଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ବିଭିନ୍ନ ଦେଶରେ ଭିନ୍ନଭିନ୍ନ ଉପାୟରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଏ। ଆମଦେଶରେ ଜଘନ୍ୟକାଣ୍ଡ ପାଇଁ ଫାଶୀ ଖୁଣ୍ଟ ଅଛି। ହେଲେ ଇସଲାମିକ୍ ଦେଶ ଇରାନରେ ଦୁର୍ଷ୍ମମକାରୀକୁ ସର୍ବସମ୍ମୁଖରେ ଖୁଣ୍ଟରେ ବାନ୍ଧି ଗୁଳିକରି ମାରିଦିଆଯାଏ। ସାଉଦିଆରବରେ ମୁଣ୍ଡ କଟାଯାଏ ନହେଲେ ମୁଣ୍ଡକୁ ପଥର ଫିଙ୍ଗାଯାଏ। ଚୀନରେ ବିଷ ଇଞ୍ଜେକ୍ସନ ଦିଆଯାଏ, ବ୍ରାଜିଲ ଓ ଇଣ୍ଡୋନେସିଆରେ ଗୁଳିମାଡ କରି ହତ୍ୟା କରାଯାଏ। ଆମେରିକାରେ ଗ୍ୟାସଚାମ୍ବର, ଫିଲିପାଇନସରେ ଇଲେକ୍ଟ୍ରିକ କରେଣ୍ଟ ମାଧ୍ୟମରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। ପୂର୍ବରୁ ସ୍ବିଜରଲ୍ୟାଣ୍ଡସ ଜର୍ମାନୀ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସ୍କଟଲ୍ୟାଣ୍ଡ ଓ ସ୍ପେନରେ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିର ଦେହରେ ନିଆଁ ଲଗାଇ ତାକୁ ହତ୍ୟା କରାଯାଉଥିଲା।
ମୃତ୍ୟୁଦଣ୍ଡକୁ ଜଘନ୍ୟ ଦର୍ଶାଇ ବିଶ୍ବର ୯୭ ଟି ଦେଶ ଏହାକୁ ଉଠାଇ ଦେଇଛନ୍ତି। ସରକାରୀ ତଥ୍ୟ କହୁଛି ସ୍ବାଧୀନତା ପରଠାରୁ ଦେଶରେ ୫୭ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି। କିନ୍ତୁ ନ୍ୟାସନାଲ ଲ ୟୁନିଭର୍ସିଟି ଓ ଅନ୍ୟକିଛି ତଥ୍ୟ ସହ ଏହାର ତାଳମେଳ ରହୁନାହିଁ। ଆମଦେଶରେ ଦେଶଦ୍ରୋହ, ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଭଳି ଗୁରୁତର ମାମଲା ପାଇଁ ତିହାର ଜେଲରେ ଫାଶୀ ଦିଆଯାଏ। ଓଡ଼ିଶାରେ ପୂର୍ବରୁ ବଲାଙ୍ଗୀର ଓ ବ୍ରହ୍ମପୁର ଜେଲ୍ ପରିସରରେ ଫାଶୀଦଣ୍ଡ କାର୍ଯ୍ୟକାରୀ କରିବା ବ୍ୟବସ୍ଥା ରହିଥିଲା। ହେଲ ଏବେ କେବଳ ବ୍ରହ୍ମପୁର ଜେଲରେ ହିଁ ଏ ବ୍ୟବସ୍ଥା ରହିଛି। ୧୯୪୩ ମସିହାରେ ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଏଠାରେ ଫାଶୀ ଦିଆଯାଇଥିଲା। ଶେଷଥର ପାଇଁ ୧୯୯୪ରେ ସମାନ ଲକ୍ଷ୍ମଣ ନାୟକ ନାମଧାରୀ ଜଣେ ଅପରାଧୀକୁ ବ୍ରହ୍ମପୁର ସର୍କଲ ଜେଲରେ ଫାଶୀ ଦିଆଯାଇଥିଲା। ମୟୁରଭଞ୍ଜର ଏ ବ୍ୟକ୍ତି ମଦ୍ୟପାନକରି ନିଜ ୯ ବର୍ଷର ଝିଆରୀକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଏହାକୁ ରେଆରେଷ୍ଟ ଅଫ୍ ରେଆର ବା ବିରଳତମ ଅପରାଧ ଦର୍ଶାଇ ସେତେବେଳେ କୋର୍ଟ ଲକ୍ଷ୍ମଣକୁ ଫାଶୀ ପାଇଁ ଆଦେଶ ଦେଇଥିଲେ।
ସେପଟେ ମୁମ୍ବାଇ ଆକ୍ରମଣରେ ଧରା ପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଦେବା ପର୍ଯ୍ୟନ୍ତ ଭାରତ ସରକାର ତାପିଛା ୨୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ ସିଂହଭାଗ ଥିଲା ତାର ସୁରକ୍ଷା ବାବଦରେ ଖର୍ଚ୍ଚ। ସାରାଦେଶରେ ଚର୍ଚ୍ଚା ହୋଇଥିଲା ଏକ କୁଖ୍ୟାତ ଆତଙ୍କୀକୁ ଫାଶୀ ଯାଏ ବଞ୍ଚାଇ ରଖିବା ପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯିବା କେତେ ଠିକ ?
କିଛି ସଂଗଠନ ଦାବି କରୁଛନ୍ତି ମୃତ୍ୟୁଦଣ୍ଡ ମାନବ ଅଧିକାରର ଉଲ୍ଲଘଂନ। ଏପଟେ ନ୍ୟାୟ ବ୍ୟବସ୍ଥା ସହ ଜଡିତ କିଛି ବ୍ୟକ୍ତିଙ୍କ ମତ ମୃତ୍ୟୁଦଣ୍ଡର ଭୟ ଅପରାଧୀକୁ ଅପରାଧ ଭିଆଇବା ପୂର୍ବରୁ ଅଟକାଇଥାଏ। ଏଣୁ ଅପରାଧରେ ବ୍ରେକ ଲଗାଇବା ପାଇଁ ମୃତ୍ୟୁଦଣ୍ଡର ଆବଶ୍ୟକତା ଅଛି।
ଶେଷରେ ଏତିକି କହିବା ଆଧୁନିକତାର ପାହାଚ ଚଢି ଚାଲିଥିବା ମଣିଷ ସମାଜ ୨୦୨୫ର ଛାତି ଉପରେ ଠିଆ ହୋଇ ଅଧିକ ତର୍ଜମା କରୁ ଯେ କେଉଁଟା ଭଲ ଜେଲ ନା କିଲ୍। ଅଧିକ ବିଶ୍ଲେଷଣ ହେଉ ମୃତ୍ୟୁଦଣ୍ଡ ଭଲ ନା ଭେଲ? କେବଳ ବ୍ୟବସ୍ଥା ଉପରେ ଅଙ୍ଗୁଳି ନଉଠାଇ ବିଚାରପତି ଆଇନଜୀବୀ ବୁଦ୍ଧିଜୀବୀ ନାଗରିକ ସମାଜ ଆଇନ୍ ପ୍ରଣୟନକାରୀ ସମସ୍ତେ ମାନସ ମନ୍ଥନ କରନ୍ତୁ ଦେଶପାଇଁ ଦେଶର ଭଲପାଇଁ ଆମ ବିଚାର ବ୍ୟବସ୍ଥାପାଇଁ ଆଉ ଏକ ସୁସ୍ଥ ସମାଜପାଇଁ ଫାଶୀଦଣ୍ଡ ରହିବା ଉଚିତ୍ କି ନୁହେଁ। ଆମେତ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବୁ ଅପରାଧ ହିଁ ନହେଉ, ଅପରାଧୀ ସୃଷ୍ଟି ନହୁଅନ୍ତୁ, କି ଫାଶୀ ଜେଲର ବିତର୍କ ନଆସୁ।