ମହାକୁମ୍ଭ ସରିଛି ହେଲେ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ସ୍ନାନ ସରିନି

45 ଦିନ ଧରି ଚାଲିଥିବା ମହାକୁମ୍ଭର ସମାପନ ହୋଇଛି । ହେଲେ ବି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଏବେ ବି ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ଆଜି ତ୍ରିବେଣୀ ସଙ୍ଗମ ଘାଟରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅରେଲ ଘାଟରେ ସଫେଇ କର୍ମଚାରୀଙ୍କ ସହ ଝାଡୁ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ନଦୀ ଘାଟରେ ଜମା ହୋଇଥିବା ଅଳିଆ ସଫା କରିଛନ୍ତି । ଏହାପରେ ମା ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ନୌକାବିହାର କରିବା ସହ ପକ୍ଷୀଙ୍କୁ ଦାନା ଦେଇଥିଲେ ଯୋଗୀ ।
ଏହି ଅବସରରେ ଗଙ୍ଗା ପେଣ୍ଡାଲରେ ସଫେଇ କର୍ମଚାରୀଙ୍କୁ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରିଛନ୍ତି ଯୋଗୀ । ଉତ୍ତରପ୍ରଦେଶ ସରକାର ମହାକୁମ୍ଭ ଅବସରରେ ସବୁଠୁ ବଡ ସମନ୍ବିତ ସଫେଇ ଅଭିଯାନର ଗିନିଜ୍ ୱାର୍ଲଡ ରେକର୍ଡ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପ୍ରୟାଗରାଜ ସହ ଜଡିତ ସଫେଇ କର୍ମୀଙ୍କୁ ଅତିରିକ୍ତ ୧୦ ହଜାର ଟଙ୍କାର ବୋନସ୍ ଦେବେ ଉତ୍ତରପ୍ରଦେଶ ସରକାର। ରାଜ୍ୟରେ ଯେଉଁ ସ୍ବାସ୍ଥ୍ୟକର୍ମୀଙ୍କୁ ୮ରୁ ୧୧ ହଜାର ଟଙ୍କା ମିଳୁଥିଲା ସେମାନଙ୍କୁ ଏହ ଏପ୍ରିଲରୁ ଅତିକମରେ ୧୬ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
📱 Get Argus News App
✨ଏଥିସହ ସମସ୍ତ ସଫେଇ କର୍ମଚାରୀଙ୍କୁ ଆୟୁଷ୍ମାନ ଯୋଜନାରେ ଯୋଡ଼ାଯାଇଛି । ମହାକୁମ୍ଭରେ ରେକର୍ଡ ସଂଖ୍ୟକ ୬୬ କୋଟି ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ଯାହାକି ଆମେରିକାର ଜନସଂଖ୍ୟାର ଦୁଇ ଗୁଣା । କେବଳ ଚୀନ ଓ ଭାରତର ଜନସଂଖ୍ୟା ମହାକୁମ୍ଭକୁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାଠୁ ଅଧିକ । ଯୋଗୀ କହିଛନ୍ତି, ବିଶ୍ବରେ କୌଣସି ସ୍ଥାନରେ ଏତେ ସଂଖ୍ୟାକ ଲୋକଙ୍କ ସମାଗମ ହେବା ବିରଳ । ତେବେ ବିରୋଧୀ ବଦନାମ କରିବାକୁ ଯେଉଁ ଷଡ଼ଯନ୍ତ୍ର ରହିଥିଲେ ଜନତା ତାକୁ ଖାରଜ୍ କରିଦେଇଥିଲେ ବୋଲି କହିଛନ୍ତି ଯୋଗୀ।