ପୁଅକୁ ହରାଇ କାନ୍ଦୁଛି ପରିବାର, ଝୁରୁଛି ଜନ୍ମମାଟି... ପୂରା ଅଞ୍ଚଳରେ ଶୋକର ଛାୟା

କାଶ୍ମୀର ଆତଙ୍କୀ ହମ୍ଲାରେ ଓଡ଼ିଆ ଯୁବକ ମୃତ । କାଶ୍ମୀର ବୁଲିବାକୁ ଯାଇଥିଲେ ବାଲେଶ୍ୱର ଇଶାଣୀର ପ୍ରଶାନ୍ତ ଶତପଥୀ । ପୁଅକୁ ହରାଇ କାନ୍ଦୁଛି ପରିବାର, ଝୁରୁଛି ଜନ୍ମମାଟି । ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ପତ୍ନୀଙ୍କ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କୁ ଆତଙ୍କବାଦୀ ଗୁଳି ମାରିବ ସମୟର ଭିଡିଓ ବି ସାମ୍ନାକୁ ଆସିଛି । ଗୁଳିକାଣ୍ଡ ପରେ ସ୍ବାମୀଙ୍କୁ ରକ୍ଷା କରିବାକୁ ଆକୁଳ ନିବେଦନ କରୁଛନ୍ତି ତାଙ୍କ ପତ୍ନୀ ।
ଆକ୍ରମଣ ସ୍ଥଳୀରୁ ଆସୁଥିବା ଭିଡିଓ ଦେଖିଲେ ଛାତି ଥରି ଯାଉଛି । ଭିଡିଓ ଦର୍ଶାଉଛି ଆତଙ୍କବାଦୀ କେତେ ନିଷ୍ଠୁର । ମହିଳା ଜଣକ ଭିଡିଓରେ କହିଛନ୍ତି ଯେ ଆତଙ୍କବାଦୀମାନେ ତାଙ୍କ ନାମ ପଚାରି ଗୁଳି କରିଥିଲେ । ଅର୍ଥାତ୍ ହିନ୍ଦୁ ମାନଙ୍କୁ ଖୋଜି ଖୋଜି ଟାର୍ଗେଟ୍ କରିଥିଲେ ଆତଙ୍କୀ । ମାତ୍ର 4 ରୁ 5 ବର୍ଷ ପୂର୍ବେ ବୈସାରଣ ଘାଟିକୁ ଟୁରିଷ୍ଟ୍ ପ୍ଲେସ୍ ଭାବରେ ନିର୍ମାଣ କରାଯାଇଥିବାବେଳେ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି । ପୁଣି ଖରାଛୁଟି ଥିବାରୁ ଏଠାରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି ।
ସବୁଠୁ ବଡ କଥା ପହଲଗାମରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ କିଛି ଆତଙ୍କବାଦୀ ପୋଲିସ ପୋଷାକ ପିନ୍ଧିଥିବା କଥା ସାମ୍ନାକୁ ଆସିଛି । ତେଣୁ ସେମାନେ ପର୍ଯ୍ୟଟକଙ୍କ ପାଖରେ ସହଜରେ ପହଞ୍ଚି ପାରିଥିଲେ। ଆଉ କିଛି କ୍ଷଣ ଭିତରେ ଭିଆଇଥିଲେ ଏହି ଅମାନୁଷିକ କାଣ୍ଡ । ଲସ୍କର ସମର୍ଥିତ TRF (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ) ସଂଗଠନ ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ଏହି ସଂଗଠନ ଲସ୍କର-ଏ-ତୈବାର ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦ ସହିତ ସମାନ । ଜମ୍ମୁ ଏବଂ କାଶ୍ମୀରରେ ପ୍ରମାଣ ମିଳିଛି ଯେ ଏହି ଆତଙ୍କବାଦୀ ସଂଗଠନ ପଛରେ ଲସ୍କର-ଏ-ତୈବା ରହିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ 26 ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ଅନେକ ଆହତ ଥିବା ସୂଚନା ମିଳିଛି ।