ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା , ସନାତନ ଧର୍ମକୁ ପ୍ରଶଂସା କଲେ ବିଦେଶୀ ଭକ୍ତ

ଅର୍ଗସ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା ବର୍ତ୍ତମାନ ସବୁଠୁ ବଡ ଆକର୍ଷଣୀୟ ଆଧ୍ୟାତ୍ମିକ ମେଳା ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଯେଉଁଠି ଅନେକ ମହାନ ସାଧୁ ସନ୍ଥଙ୍କ ମହାସଙ୍ଗମ ହୋଇଛି । ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଏହି ସୁନ୍ଦର ମେଳା ଦେଖିବା ପାଇଁ ଧାଇଁ ଆସିଛନ୍ତି । କେବଳ ଦେଶ ନୁହେଁ, ବିଦେଶରୁ ମଧ୍ୟ ଅନେକ ମାତ୍ରାରେ ଭକ୍ତ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଋଷିଆ, ଜର୍ମାନୀ, ଇଟାଲୀ, ଆମେରିକାରୁ ଅନେକ ଭକ୍ତଙ୍କର ସମାଗମ ହୋଇଛି । ଯେଉଁମାନେ ପ୍ରୟାଗରାଜରେ ପହଞ୍ଚି ସନାତନ ଧର୍ମର ଭରପୂର ମଜା ଉଠାଇଛନ୍ତି ।
ଆଜି ସକାଳୁ ମହାକୁମ୍ଭ ମେଳାର ପ୍ରଥମ ମହାକୁମ୍ଭ ସ୍ନାନ ସମ୍ପର୍ଣ୍ଣ ହୋଇଥିଲା । ସେହି ସମୟରେ "ଜୟ ଶ୍ରୀ ରାମ" "ହର ହର ଗଙ୍ଗେ" ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୁରା ବାତାବରଣ । ଏବଂ ଦେଶ ବାହାରୁ ଆସିଥିବା ବିଦେଶୀ ଭକ୍ତମାନେ ମଧ୍ୟ ସ୍ନାନ କରି ମଥାରେ ତିଳକ ଲଗାଇ ଏପରି ଉଚ୍ଚାରଣ କରିଥିଲେ ।ଏହି ମହାକୁମ୍ଭ ମେଳାର ସଙ୍ଗମ ଦେଶବିଦେଶର କୋଣ ଅନୁକୋଣରୁ ଭକ୍ତମାନଙ୍କୁ ଏକାଠି କରିଥିଲା । ଘଣ୍ଟାଘଣ୍ଟା ହୁଳହୁଳି ବାଦ୍ୟଶଙ୍ଖରେ ପ୍ରକମ୍ପିତ ହୋଇ ଉଠିଥିଲା ପ୍ରୟାଗରାଜ । ସନାତନ ଧର୍ମର ବାସ୍ନା ସେ ସ୍ଥାନରେ ମହକିତ ହେଉଥିଲା।
ଏହି ମହାସଙ୍ଗମରେ ଯୋଗଦେଇ ଜଣେ ବିଦେଶୀ ଭକ୍ତ କ୍ରିଷ୍ଟିନା କହିଥିଲେ, "ଏହି ସ୍ଥାନରେ ଆତ୍ମାକୁ ଅନନ୍ୟ ଶାନ୍ତି ମିଳୁଛି । ଏହି ସ୍ଥାନର ମାହାତ୍ମ୍ୟ ଖୁବ ନିଆରା, ବିଶେଷ ଭାବେ ସନାତନ ଧର୍ମର ମାହାତ୍ମ୍ୟ ଖୁବ ନିଆରା ।" ନ୍ୟୁୟର୍କର ଫ୍ୟାଶନ ଡିଜାଇନର କୋବି ହାଲପେରିନ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, "ଏହି ମହାକୁମ୍ଭ ମେଳା କେବଳ ଆଧ୍ୟାତ୍ମିକ ନୁହେଁ, ଏହା ସାଂସ୍କୃତିକ ମେଳା ମଧ୍ୟ । ଏହି ମେଳାର ସନାତନ ଧର୍ମର ଏବଂ ଭାରତୀୟ ସଂସ୍କୃତିର ସମ୍ପୁର୍ଣ୍ଣ ଝଲକ ଦେଖିବାକୁ ମିଳୁଛି ।" ଋଷିଆର ମିଖାଲି ନିଜର ସ୍ବର୍ଗୀୟ ମୁହୁର୍ତ୍ତକୁ ବର୍ଣ୍ଣନା କରି କହିଛନ୍ତି, "ମହାକୁମ୍ଭ ମେଳା ଅତ୍ୟନ୍ତ ସ୍ବର୍ଗୀୟ ଅଟେ ।" ସେହିପରି ଇଟାଲୀର ପାଉଲୋ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ବାରା ହୋଇଥିବା ସୁନ୍ଦର ବ୍ୟବସ୍ଥା ଉପରେ ପ୍ରଶଂସା କରିଛନ୍ତି ।
ଅଷ୍ଟ୍ରେଲିଆର ଆଲେକ୍ସ କହିଛନ୍ତି, ସେ ପ୍ରଥମଥର ପାଇଁ ନିଜ ଜର୍ମାନୀ ସାଙ୍ଗ କଥାରେ ପ୍ରଭାବିତ ହୋଇ ଭାରତ ଆସିଥିଲେ । ଏବଂ ଏହା ତାଙ୍କର ସବୁଠୁ ସ୍ମରଣୀୟ ମୁହୁର୍ତ୍ତ ବୋଲି କହିଥିଲେ । ଏହି ବର୍ଷର ମହାକୁମ୍ଭ ବିଶ୍ୱବ୍ୟାପୀ ଧ୍ୟାନ ଆକର୍ଷଣ କରିଛି ।