Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପ୍ରଥମ ମହିଳା ରାଷ୍ଟ୍ରପତି 

Smruti Parija
Browse all articles by Smruti Parija
·1 year ago·2 min read
ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପ୍ରଥମ ମହିଳା ରାଷ୍ଟ୍ରପତି 

Key Points

  • ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପ୍ରଥମ ମହିଳା ରାଷ୍ଟ୍ରପତି 
  • ସୀଆଚୀନରେ ପହଞ୍ଚି ଯବାନଙ୍କ ମନୋବଳ ବଢ଼ାଇଲେ ମହାମହିମ୍
  • 40 ବର୍ଷ ପୂର୍ବେ ଏଠାରେ ଲେଖା ହୋଇଥିଲା ସେନା ସଫଳତାର ସ୍ବର୍ଣ୍ଣିମ ଅଧ୍ୟାୟ
  • ଅପରେସନ ମେଘଦୂତରେ ଶତ୍ରୁ ପକ୍ଷକୁ ଧୂଳି ଚଟାଇଥିଲେ ଭାରତୀୟ ଯବାନ

ଅର୍ଗସ ବ୍ୟୁରୋ: ବିଶ୍ବର ଉଚ୍ଚତମ ୱାର ଜୋନ୍ ସିଆଚୀନ ଯୁଦ୍ଧ ସ୍ମାରକରେ ସହିଦଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି । ପ୍ରତିକୂଳ ପରିବେଶରେ ଯବାନଙ୍କ ସଂଘର୍ଷର ସାକ୍ଷୀ ବନିବା ସହ ଦେଶ ସୁରକ୍ଷା ପାଇଁ ଯବାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ଭାରତୀୟ ସେନାର ସୁପ୍ରିମ୍ କମାଣ୍ଡର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ପ୍ରଥମଥର ପାଇଁ ସିଆଚୀନ ୱାର ଜୋନରେ ପହଞ୍ଚି ଯବାନଙ୍କ ମନୋବଳ ବଢ଼ାଇଛନ୍ତି ରାଷ୍ଟ୍ରପତି। ଏହାପୂର୍ବରୁ 2004ରେ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମ ଏବଂ 2018ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଚୀନ ଗସ୍ତ କରିଥିଲେ । ସିଆଚେନ ବେସ କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିବା ସହ  ଯବାନଙ୍କ ଅନୁଭୂତି ଶୁଣିଛନ୍ତି ରାଷ୍ଟ୍ରପତି ।

ଥୋଇସ ଏୟାରଫୋର୍ସ ଷ୍ଟେସନରେ ବିମାନରୁ ଅବତରଣ ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବିଡି ମିଶ୍ର । ସ୍ବାସ୍ଥ୍ୟ ପରୀକ୍ଷା ପରେ ସେନାଧ୍ୟକ୍ଷଙ୍କ ସମେତ 14 ବରିଷ୍ଠ ସେନା ଅଧିକାରୀଙ୍କ ସହ ସ୍ବତନ୍ତ୍ର ହେଲିକପ୍ଟରରେ ସିଆଚୀନ ବେସ କ୍ୟାମ୍ପରେ ପହଞ୍ଚିଥିଲେ ରାଷ୍ଟ୍ରପତି । 13 ଏପ୍ରିଲ 1984ରେ ଏଠାରେ ଅପରେସନ ମେଘଦୂତକୁ ସଫଳ କରିଥିଲେ ଭାରତୀୟ ଯବାନ । 1982ରୁ ବେଆଇନ ଭାବେ ସିଆଚୀନ କବଜା କରିଥିବା ପାକିସ୍ତାନୀ ସୈନିକଙ୍କୁ ଭାରତର ଶକ୍ତି ଦେଖାଇ ଦେଇଥିଲେ ଯବାନ । 

ସମୁଦ୍ର ପତନଠାରୁ 22 ହଜାର 143 ଫୁଟ ଉଚ୍ଚତାରେ ଥିବା ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନରେ ମୁତୟନ ହୋଇଛନ୍ତି 3 ଶହରୁ ଅଧିକ ଭାରତୀୟ ଯବାନ । ସରକାରୀ ତଥ୍ୟ ଅନୁସାରେ ଅପରେସନ ମେଘଦୂତଠାରୁ 2016 ଯାଏ, ଦେଶର ଅଖଣ୍ଡତା ରକ୍ଷା ପାଇଁ ଏଠାରେ 35 ସେନା ଅଧିକାରୀଙ୍କ ସମେତ 887 ଯବାନ ସହିଦ ହୋଇଛନ୍ତି । ମାଇନସ 40ରୁ 50 ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗାର ସମ୍ମାନ ପାଇଁ ଜୀବନ ସହ ବାଜି ଲଗାଉଥିବା ଯବାନଙ୍କ ମନୋବଳ ବଢ଼ାଇ ନିଜକୁ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first female president on the world's highest battlefield-siachen | Argus News