Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦି କହିଲେ ଏମାନେ ଅଗ୍ରଗାମୀ ଭାରତର ଆକାଂକ୍ଷାର ପ୍ରତିନିଧି

National

ମୋଦି କହିଲେ ଏମାନେ ଅଗ୍ରଗାମୀ ଭାରତର ଆକାଂକ୍ଷାର ପ୍ରତିନିଧି

Manini Pattanayak
Browse all articles by Manini Pattanayak
·2 years ago·2 min read
ମୋଦି କହିଲେ ଏମାନେ ଅଗ୍ରଗାମୀ ଭାରତର ଆକାଂକ୍ଷାର ପ୍ରତିନିଧି

 ନୂଆଦିଲ୍ଲୀ:  ଗଗନଯାନରେ ଯାତ୍ରା ପାଇଁ 4 ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ  । ଆଜି ପ୍ରତିଟି ଭାରତୀୟଙ୍କୁ କରିଛି ରୋମାଞ୍ଚିତ।  ଇଏ ଏମିତି ମୁହୂର୍ତ୍ତ ଯାହାକୁ ଥିଲା ବର୍ଷ ବର୍ଷର ପ୍ରତୀକ୍ଷା। ଯେଉଁଥିପାଇଁ ବର୍ଷ ବର୍ଷ ଧରି ଦିନ ରାତି ଏକ କରି ଭାରତୀୟ ମହାକାଶବିଜ୍ଞାନୀ କରୁଛନ୍ତି ପ୍ରସ୍ତୁତି। ସେହି ବଡ଼ ଘଟଣାକ୍ରମ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକିଷ୍ଣନ ନାୟର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା। ଭାରତୀୟ ବାୟୁସେନାର ଏ ଚାରି ବୀର, ଭାରତର ମହାକାଶଯାତ୍ରାର ମହାନାୟକ। ଥିରୁଅନନ୍ତପୁରମର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ଏମାନଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଏ ଚାରି ଜଣ କେବଳ ବ୍ୟକ୍ତି ନୁହନ୍ତି, 140 କୋଟି ଭାରତୀୟଙ୍କର ଆକାଂକ୍ଷାର ପ୍ରତିନିଧି । ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି। ମୋଦି ଆହୁରି କହିଛନ୍ତି ଏଥର ମିଶନ ଆମର, ରକେଟ୍ ଆମର, ଆଉ କାଉଣ୍ଟଡାଉନ୍ ବି ଆମର। ଇତିହାସ ରଚିବ ଭାରତ।  2025ରେ ଗଗନଯାନ ମିଶନ । ଏଥିପାଇଁ ଦୀର୍ଘ ବର୍ଷ ହେଲା ଚାଲିଛି ପ୍ରସ୍ତୁତି ।

ଏହି 4 ଜଣ ମହାକାଶଚାରୀ ନେଉଛନ୍ତି କଠିନ ଓ ଜଟିଳ ତାଲିମ। ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ସେହି ତାଲିମ ସମୟର। ଯେଉଁଥିରେ ପ୍ରତି ପ୍ରତିକୂଳ ପରିସ୍ଥିତି ସହ ଖାପଖୁଆଇବା ପାଇଁ ଟ୍ରେନିଂ ନେଉଛନ୍ତି 4 ବାୟୁବୀର। ଏମାନେ ଗଗନଯାନରେ ପୃଥିବୀ ପୃଷ୍ଠରୁ 400 କିଲୋମିଟର ଉପରକୁ ମହାକାଶକୁ ଯାଇ 3 ଦିନ ରହିବେ। ଗତବର୍ଷ ଅକ୍ଟୋବର 23 ତାରିଖରେ ଗଗନଯାନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟର ଲଞ୍ଚ କରି ଇତିହାସ ରଚିଥିଲା ଭାରତ। ଗଗନଯାନର କ୍ରୁ ମଡ୍ୟୁଲର କରାଯାଇଥିଲା ସଫଳତାପୂର୍ଣ୍ଣ ଉତକ୍ଷେପଣ ଓ ଅବତରଣ। ପୁଣି ଚୂଡ଼ାନ୍ତ ଅପରେସନ ପୂର୍ବରୁ 2024 ଶେଷ ଭାଗରେ ଏବଂ 2025 ପ୍ରଥମ ଭାଗରେ ଆଉ ଦୁଇ ଥର ମଧ୍ୟ କରାଯିବ ମାନବବିହୀନ ଗଗନଯାନ ମିଶନ। ସବୁଠାରୁ ବଡ଼ କଥା ହେଲା ଗଗନଯାନ ମୋଦି ସରକାରଙ୍କର MAKE IN INDIA ମିଶନର ଅନ୍ୟତମ ବଡ଼ ସଫଳତା। କାରଣ ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ସ୍ବଦେଶୀ, MADE IN INDIA ବା ଭାରତରେ ନିର୍ମିତ । ଏଥିସହ ଲକ୍ଷ୍ୟ ରଖାଯାଇଛି 2023 ସୁଦ୍ଧା ମହାକାଶରେ ନିଜସ୍ବ ସ୍ପେଶ୍ ଷ୍ଟେସନ ପ୍ରତିଷ୍ଠା କରିବ ଭାରତ।  1984 ଏପ୍ରିଲ 3 ତାରିଖରେ ମହାକାଶକୁ ଯାଇଥିଲେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା। କିନ୍ତୁ ରାକେଶ ଶର୍ମା ଯାଇଥିବା ସେହି ମହାକାଶ ମିଶନ ଥିଲା ସୋଭିଏତ ଋଷିଆର। ସେବେଠାରୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଚାଲିଛି ଭାରତ। ଚନ୍ଦ୍ରଯାନରୁ ନେଇ ସୌରଯାନ ଆଦିତ୍ୟ ଏଲ୍ ୱାନର ସଫଳତା। ପୁଣି ମଙ୍ଗଳଯାନ ପାଇଁ ଚାଲିଛି ପ୍ରସ୍ତୁତି। ମହାକାଶକୁ ମଣିଷ ପଠାଇବା ପରେ ଲକ୍ଷ୍ୟ ଚନ୍ଦ୍ର ପୃଷ୍ଠକୁ ମାନବ ମିଶନ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି। ଆସନ୍ତା ଦଶ ବର୍ଷରେ ଭାରତର ସ୍ପେଶ ଇକୋନୋମି ଦଶ ଗୁଣା ବଢ଼ିବ। ଆଉ ମହାକାଶ ବିଜ୍ଞାନରେ ଆହୁରି ଜାରି ରହିବ ଭାରତର ଜୟଯାତ୍ରା। 
 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The four astronauts are - Prashanth Nair, Angad Prathap, Ajit Krishnan, and Shubhanshu Shukla. | Argus News