୫ ହଜାର କୋଟିର ସମ୍ପତ୍ତି, ୫୦ ଲକ୍ଷରେ ହାତେଇବାକୁ ଚେଷ୍ଟା କରିଥିଲା ଗାନ୍ଧି ପରିବାର !

କଂଗ୍ରେସକୁ ରାଜ୍ୟ ବିଜେପି ସଭାପତିଙ୍କ ଟାର୍ଗେଟ୍ । ନ୍ୟାସନାଲ୍ ହେରାଲଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିବା ପରେ ଆଜି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଧାରଣା ଦେଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନିର୍ଲଜ କାମ କରୁଛି କଂଗ୍ରେସ।
୪ ବର୍ଷ ଧରି ନ୍ୟାସନାଲ୍ ହେରାଲଡ ମାମଲା ଚାଲିଛି । ୫ ହଜାର କୋଟି ସମ୍ପତ୍ତି ହାତେଇବା ପାଇଁ ଅପଚେଷ୍ଟା କଲେ, ଧରା ପଡିଲେ। ଏହା ତଥ୍ୟ ଭିତ୍ତିକ ବିଷୟ । ଆଇନର ଉର୍ଦ୍ଧ୍ଵରେ କେହି ନୁହଁନ୍ତି । ସେମାନେ ଖସି ଯିବାକୁ ଚେଷ୍ଟା କରୁଛନ୍ତି । ଗାନ୍ଧୀ ପରିବାର ଦେଶକୁ କେତେ ଲୁଟ୍ କରିଛନ୍ତି ଆଉ ଗରିବଙ୍କୁ ଶୋଷଣ କରିଛନ୍ତି ଏକଥା କାହାକୁ ଅଛପା ନାହିଁ । ୫ ହଜାର କୋଟିର ସମ୍ପତ୍ତି ୫୦ ଲକ୍ଷ ଟଙ୍କାରେ ନେବା ଅଷ୍ଟମ ଆଶ୍ଚର୍ଯ୍ୟ । ଏବେ ଇଡିକୁ ମଧ୍ୟ ଧମକାଇବାକୁ ପଛାଉ ନାହାନ୍ତି । ରକ୍ଷକ ହେଇକି ଭକ୍ଷକ ସାଜିଲେ ଲୋକ ଛାଡ଼ିବେନି । ସରକାରୀ ଅର୍ଥକୁ ATM ସଜାଇଥିଲା କଂଗ୍ରେସ।
ସେପଟେ ୨ୟ ଦିନରେ ଇଡିରେ ହାଜର ହୋଇଛନ୍ତି ରବର୍ଟ ଭଦ୍ରା । ତେବେ ଆଜି ବି ବିଜେପି ସରକାର ଉପରେ ବର୍ଷିଛନ୍ତି ରବର୍ଟ । ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେବା ବେଳେ ରବର୍ଟ କହିଛନ୍ତି- ଆମେ କାହାକୁ ଡରୁନା, ଲୋକଙ୍କ କଥା କହୁଛୁ ଲୋକଙ୍କ ସମସ୍ୟା ଦେଖାଉଛୁ ତେଣୁ ଟାର୍ଗେଟର ଶିକାର ହେଉଛୁ ।
ସବୁ ସମୟର ଖେଳ, ଆଜି ଆମେ ହଇରାଣ ହେଉଛୁ, କାଲି ସେମାନଙ୍କ ପାଳି ପଡିପାରେ ବୋଲି କହି ଭବିଷ୍ୟତର ଇସାରା ଦେଇଛନ୍ତି ରବର୍ଟ । ଏହି ମାମଲାରେ ମତେ କ୍ଲିନଚିଟ୍ ମିଳିସାରିଛି କିନ୍ତୁ ମୁଁ ବୁଝି ପାରୁନି ୭ ବର୍ଷ ପରେ କଣ ପାଇଁ ସେହି ପ୍ରଶ୍ନ ପୁଣି ପଚରାଯାଉଛି । ମାମଲାରେ କିଛି ନାହିଁ, ମୁଁ ଇଡିର ସବୁ ପ୍ରଶ୍ନର ଉତ୍ତର ଦେବି । ମୁଁ ତଦନ୍ତରେ ସହଯୋଗ କରିବି । ଯେଉଁ ଅଭିଯୋଗ ହେଉଛି ମୁଁ ଇଡିକୁ ଅଣଦେଖା କରୁନି । ମୁଁ ଦେଶ ଛାଡି କୁଆଡେ ଯାଉନି, ଯେତେ ପ୍ରଶ୍ନ ପଚାରିବାର ଅଛି ସେମାନେ ପଚାରନ୍ତୁ ।
ଗତକାଲି ମଧ୍ୟ ଇଡି ରବର୍ଟଙ୍କୁ ଜେରା କରିଥିଲା । ରବର୍ଟ କହିଥିଲେ ମାମଲାରେ କିଛି ନାହିଁ । ୨୦ ବର୍ଷରେ ମୁଁ ୧୫ ଥର ଇଡିରେ ହାଜର ହୋଇ ସାରିଲିଣି । ଆଉ ସେମାନେ ମତେ ପ୍ରତି ଥର ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରନ୍ତି । ମୁଁ ସବୁ ପ୍ରଶ୍ନର ଉତ୍ତର ଦିଏ ସବୁଥିରେ ସହଯୋଗ କରେ । ଏଜାବତ ୨୩୦୦୦ ଡକ୍ୟୁମେଣ୍ଟ ଇଡିରେ ସେ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା ।