ନୂଆଦିଲ୍ଲୀ ସ୍ୱାଧୀନତା ଦିବସରେ ସାମିଲ୍ ହେଲେ 1200 ପରିବର୍ତ୍ତନର ବାହକ

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍ବାଧୀନତା ଦିବସରେ ଆକାଂକ୍ଷା ବ୍ଲକର ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ନୂଆଦିଲ୍ଲୀ ସ୍ବାଧୀନତା ଦିବସରେ ସାମିଲ୍ ହେଲେ 1200 ପରିବର୍ତ୍ତନର ବାହକ । ଓଡ଼ିଶାରୁ 44 ଚାଷୀ ଓ ହିତାଧିକାରୀ ପରେଡରେ କଲେ ଅଂଶଗ୍ରହଣ । ଯୋଜନା, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀଙ୍କୁ ଭେଟି କଲେ ଆଲୋଚନା । ହିତାଧିକାରୀ କେନ୍ଦ୍ରୀୟ ଯୋଜନାର କିପରି ପାଉଛନ୍ତି ଫାଇଦା, କଲେ ଉପସ୍ଥାପନ। ସ୍ବାଧୀନତା ଦିବସରେ ଆକାଂକ୍ଷା ବ୍ଲକର ସାଧାରଣ ଲୋକଙ୍କୁ ଖୋଜିଲେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ 78ତମ ସ୍ବାଧୀନତା ଦିବସର ପରେଡରେ ସାମିଲ୍ ହେଲେ ଦେଶର 320 ଜିଲ୍ଲା ଓ 500 ବ୍ଲକରୁ 12ଶହ ପରିବର୍ତ୍ତନର ବାହକ ବା ଚାମ୍ପିଅନ୍ସ ଅଫ୍ ଚେଞ୍ଜ ବ୍ୟକ୍ତି ।
ଯେଉଁଥିରେ ଓଡିଶାରୁ 16ଟି ଜିଲ୍ଲା ଓ 29 ବ୍ଲକରୁ 44 ଜଣ ଚାଷୀ ଓ ହିତାଧିକାରୀ ଅଂଶ ଗ୍ରହଣ କରିଥିଲେ । ଦେଶର ପଛୁଆ ଅଞ୍ଚଳକୁ କିଭଳି ବିକଶିତ କରାଯିବ ସେନେଇ ସର୍ବଦା ଚିନ୍ତିତ କେନ୍ଦ୍ର ସରକାର । ଏଥିପାଇଁ ପଛୁଆ ବର୍ଗର ଲୋକଙ୍କୁ ଗୁରୁତ୍ବ ଦେଇଛନ୍ତି ପିଏମ୍ ମୋଦି। ଏହି ଅବସରରେ ମାଣିକସାହା ଅଡିଟୋରିୟମରେ ସବୁ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ଯୋଜନା, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀ ରାଓ ଇନ୍ଦରଜିତ୍ ସିଂ । ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ଫାଇଦା କିପରି ପାଉଛନ୍ତି ସେନେଇ ହିତାଧିକାରୀ ଚିତ୍ର ଉପସ୍ଥାପନ କରିଥିଲେ ।
ତେବେ ଓଡ଼ିଶାର ପଛୁଆ ଅଞ୍ଚଳରୁ ବିଭିନ୍ନ ବର୍ଗର ଯେପରି ଚାଷୀ, ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା ଓ ଆଦିବାସୀ ଜନପ୍ରତିନିଧି ଲୋକ ଯୋଗ ଦେଇଥିଲେ । ମାଲକାନଗିରି ଖଇରାପୁଟରୁ ଆସିଥିବା ଚାଷୀ ଜଗନ୍ନାଥ ଦଳାଇ ମାଣ୍ଡିଆ ଚାଷ କରି ନିଜ ଅଞ୍ଚଳରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଲିଲି ପୁଷ୍ଟିକା ଏକ୍କା ଅଙ୍ଗନୱାଡ଼ି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନ ନେବା ସହ ଶିଶୁଙ୍କ ରନ୍ଧାଖାଦ୍ୟ ପାଇଁ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅହମ୍ମଦାବାଦ ଗାଁର ମଲ୍ଲିକ ଦିପ୍ତିମୟୀ NSSରେ ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରିବା ସହ ଅମୃତ କଳସ କାର୍ଯ୍ୟକ୍ରମରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏସଏଚଜି ଗ୍ରୁପର ସବିତା ରାଉତ, ଶୁଭସ୍ମିତା କହଁର ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଦ୍ବାରା ସହାୟତା ପାଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ପଛୁଆ ଅଞ୍ଚଳର ଏହି ଚାଷୀ ଓ ହିତାଧିକାରୀଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବାଧୀନତା ପରେଡରେ ନିମନ୍ତ୍ରଣ କରି ସେମାନଙ୍କୁ ବଡ଼ ସମ୍ମାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।