୧୯୫୪ର ବୃହତ ମହାକୁମ୍ଭ ଟ୍ରାଜେଡି , ୮୦୦ ଲୋକଙ୍କର ଯାଇଥିଲା ଜୀବନ

୧୯୫୪ର ବୃହତ ମହାକୁମ୍ଭ ଟ୍ରାଜେଡି
ଲୋକଙ୍କ ଉପରେ ଖଣ୍ଡା ଚଲାଇଥିଲେ ନାଗାସାଧୁ
୮୦୦ ଲୋକଙ୍କର ଯାଇଥିଲା ଜୀବନ
ଜୀବନ ବଞ୍ଚାଇବାକୁ ଲାଇନ ତାରରେ ଝୁଲିଥିଲେ ଶ୍ରଦ୍ଧାଳୁ
ଟ୍ରାଜେଡିକୁ ନେଇ ନେହେରୁଙ୍କ ଉପରେ ଉଠିଥିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ମସିହା ୧୯୫୪ । ପ୍ରୟାଗରାଜର ମହାକୁମ୍ଭ ମେଳା । ବୃହସ୍ପତି ବୃଷ ରାଶିରେ ଏବଂ ସୂର୍ଯ୍ୟ ଥିଲେ ମକର ରାଶିରେ । ଦେଶ ସ୍ବାଧିନ ହେବା ପରର ପ୍ରଥମ ମହାକୁମ୍ଭ ମେଳା । ଏବଂ ସେହି ମହାକୁମ୍ଭ ମେଳାରେ ଯେଉଁ ସଂଯୋଗ ଥିଲା, ସେହି ସଂଯୋଗ ଦୀର୍ଘ ୧୦୮ ବର୍ଷ ପରେ ଆସେ ବୋଲି ବିଶ୍ବାସ ରହିଛି । ଜାନୁଆରୀ ୧୪ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଥିଲା ଏହି ମେଳା ।
ଯେହେତୁ ସ୍ବାଧିନ ଭାରତର ପ୍ରଥମ ମହାକୁମ୍ଭ ମେଳା ଥିଲା, ସେଥିପାଇଁ ପ୍ରସ୍ତୁତି ମଧ୍ୟ ସେହିଭଳି ଆରମ୍ଭ ହୋଇଥିଲା । ମହାକୁମ୍ଭ ମେଳା ହେଉଥିବା ପ୍ରୟାଗରାଜର ସେହି ସ୍ଥାନରେ ବିଜୁଳି ବ୍ୟବସ୍ଥା ସହ , ହସ୍ପିଟାଲର ବ୍ୟବସ୍ଥା, ରେଳ ବ୍ୟବସ୍ଥା ସବୁ କରାଯାଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ ନେହେରୁ ।
ତେବେ ସାଧୁବାବା ମାନଙ୍କ ପାଇଁ ସେଠାରେ ଛୋଟଛୋଟ କୁଡିଆ ତିଆରି କରାଯାଇଥିଲା । ପୂର୍ବରୁ ହେଇଥିବା ମହାକୁମ୍ଭ ମେଳାରେ ଏପରି ନିୟମ ଥିଲା ଯେ, ପ୍ରଥମେ ଶ୍ରଦ୍ଧାଳୁ ମାନେ ସ୍ନାନ କରୁଥିଲେ, ପରେ ନାଗା ସାଧୁ । କିନ୍ତୁ ସେହି ମହାକୁମ୍ଭ ମେଳାରେ ପ୍ରଥମ ଥର ପାଇଁ ନାଗାସାଧୁ ମାନେ ପ୍ରଥମେ ସ୍ନାନ କରିଥିଲେ ପରେ ଶ୍ରଦ୍ଧାଳୁ ମାନେ ସ୍ନାନ କରୁଥିଲେ ।
୩ ଫେବୃଆରୀ । ସମୟ ସକାଳ ୯ଟା । ମୌନି ଅମାବାସ୍ୟର ସ୍ନାନ । ନାଗାସାଧୁ ମାନେ ସ୍ନାନ କରିବାକୁ ତ୍ରିବେଣୀ ସଙ୍ଗମକୁ ବାହାରିଥିଲେ । ଏହି ସମୟରେ ବ୍ୟାରିକେଡର ପଛରେ ଥିବା ଶ୍ରଦ୍ଧାଳୁ ସାଧୁମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ଆରମ୍ଭ କରିଥିଲା । ବ୍ୟାରିକେଡ ଭାଙ୍ଗିଥିଲା, ଏବଂ ସଙ୍ଗେ ସଙ୍ଗେ ସେଠାରେ ଦଳଚକଟା ଆରମ୍ଭ ହୋଇଥିଲା । ଏବଂ ଏହା ମଧ୍ୟ ଖବର ମିଳିଥିଲା ଯେ, ସେହି ସମୟରେ ପ୍ରଧାନମନ୍ତ୍ରୀ ନେହେରୁ ସେହି ମହାକୁମ୍ଭ ମେଳାକୁ ଆସିଥିଲେ । ତାଙ୍କୁ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଆସିଥିବା ସ୍ପଷ୍ଟ ହୋଇ ନଥିଲା ।
ତେବେ ଧିରେଧିରେ ଭିଡର ମାତ୍ରା ଏତେ ଅଧିକ ହୋଇଥିଲା ଯେ ସେଠାରେ ଥିବା ଲୋକଙ୍କୁ ନିଶ୍ବାସ ନେବାରେ ମଧ୍ୟ ଅସୁବିଧା ହୋଇଥିଲା । ନା ସେଠାରେ ଫସିଥଇବା ଲୋକ ଆଗକୁ ଯାଇ ପାରୁଥିଲେ, ନା ଠିକରେ ନିଶ୍ବାସ ନେଇ ପାରୁଥିଲେ । କିଛି ଲୋକ ସେଠାରେ ଥିବା ଲାଇନ ଖୁଣ୍ଟକୁ ମଧ୍ୟ ଚଢି ଯାଇଥିଲେ । ଏବଂ ତାର ଧରି ଝୁଲିଥିଲେ । ସେଥିରେ ମଧ୍ୟ ଅନେକ ଜଣଙ୍କ ପ୍ରାଣ ଯାଇଥିଲା ।
ଉପସ୍ଥିତ ଥିବା ନାଗାସାଧୁ ମାନେ ମଧ୍ୟ ଅତ୍ୟଧିକ ଲୋକଙ୍କ ଠେଲାପେଲା ଯୋଗୁ ଖଣ୍ଡା ତଲୱାର ଚଳାଇବା ଆରମ୍ଭ କରିଥିଲେ । ଏପରି ଦଳାଚକଟା ଚାଲିଥିଲା ପାଖାପାଖି ୪ ଘଣ୍ଟା । ଏବା ପରେ ପରେ ଏହା ଏକ ବଡ ଟ୍ରାଜେଡିରେ ପରିଣତ ହୋଇଥିଲା । ଯିଏ ସେଠାରୁ ବାହାରୁ ଚାହିଁଥିଲେ, କଳ ବଳେ କୌଶଳେ ବାହାରି ଯାଇଥିଲେ, ଆଉ ଯିଏ ଫସିଥିଲେ ତାଙ୍କର ଜୀବନ ଚାଲି ଯାଇଥିଲା ।
ଏହି ଟ୍ରାଜେଡିରେ ପାଖାପାଖି ୮୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରଦିନ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଥିଲା । ଗୋଟେ ପଟେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଥିଲା ।
ତେବେ ସେତେବେଳର ସରକାର ଉପରେ କିନ୍ତୁ ଅନେକ ପ୍ରଶ୍ନ ଉଠାଇଥିଲେ ଗଣମାଧ୍ୟମ ଏଭଂ ସାଧାରଣ ଲୋକେ । କାରଣ ମୃତ୍ୟୁ ସଂଖ୍ୟା ୧୦୦୦ ପାଖାପାଖି ପହଞ୍ଚିଥିବା ବେଳେ ପ୍ରଶାସନ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ କରିନଥିଲେ । ଏବଂ ଏହା ମଧ୍ୟ କହିଥିଲେ କି କେବଳ କିଛି ଭିକ୍ଷୁକମାନଙ୍କର ମୃତ୍ୟୁ ହୋଇଛି । କିନ୍ତୁ ପ୍ରକୃତରେ ଏହି ଟ୍ରାଜେଡିରେ ଅନେକ ମହିଳା ତଥା ଛୋଟପିଲାଙ୍କ ମୃତ୍ୟୁ ହୋଇଥିଲା । ଯାହାର କିଛି ଫଟୋ ସେତେବେଳେ କିଛି ସାମ୍ବାଦିକଙ୍କ ଦ୍ବାରା ଉଠାଯାଇଥିଲା । କିଛି ଏମିତି ଥିଲା ୧୯୫୪ର ଭୟାନକ ଟ୍ରାଜେଡି ।