୨୦୨୪ର ଅପୂରଣୀୟ କ୍ଷତି , ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି ଦେଶ

୨୦୨୪ର ଅପୂରଣୀୟ କ୍ଷତି
ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି ଦେଶ
ସରି ଆସୁଛି ୨୦୨୪ । ଅନେକଙ୍କ ପାଇଁ ଏହି ବର୍ଷ ଅନେକ ଖୁସି, ଉଲ୍ଲାସ ଦେଇଥିବା ବେଳେ କାହା କାହାର ଆଖିରେ ଲୁହ ଭରି ଦେଇଛି । ଦେଶ ମଧ୍ୟ ଚଳିତ ବର୍ଷ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି । । ଯାହାକି ଭାରତ ପାଇଁ ଏକ ବଡ଼ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନଙ୍କ ସ୍ଥାନ ସବୁବେଳେ ଅପୁରଣୀୟ ରହିବ ।
ଆସନ୍ତୁ ଜାଣିବା ୨୦୨୪ରେ କେଉଁ ବିଶିଷ୍ଟ ବ୍ୟକ୍ତିମାନେ ଆରପାରିକୁ ଚାଲି ଯାଇଛନ୍ତି ।
୧-ରତନ ଟାଟା
୨୦୨୪ ଅକ୍ଟୋବର ୧୦ ତାରିଖରେ କିମ୍ବଦନ୍ତୀ ଉଦ୍ୟୋଗପତି ତଥା ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ଏବଂ ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ଘଟିଛି । ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା ।
୨-ସୀତାରାମ ୟେଚୁରୀ
୧୨ ସେପ୍ଟେମ୍ବର ୨୦୨୪ରେ ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଥିଲେ । ପରେ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା ।
୩-ପଙ୍କଜ ଉଦାସ
ଗଜଲ ଗାୟକ ପଦ୍ମଶ୍ରୀ ପଙ୍କଜ ଉଦାସ । ତାଙ୍କୁ ଭାରତରେ କିଏ ବା ନଜାଣେ । ୮୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଗଜଲ, ଶ୍ରୋତାଙ୍କ କାନରେ ବାଜୁଛି । ୨୬ ଫେବ୍ରୁଆରୀରେ ତାଙ୍କର ଦେହାନ୍ତ ହେଲା । ତାଙ୍କର ଲୋକପ୍ରିୟ ସଂଗୀତ ଗୁନିକ ହେଲା `ଚିଠି ଆଇ ହେ, ଚାନ୍ଦି ଜେସା ରଙ୍ଗ, ଯିଏ ତୋ ଯିଏ କୈସେ ଯିଏ । ତାଙ୍କୁ ୨୦୦୬ରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି ।
୪- ସୁଶୀଲ କୁମାର ମୋଦି
ବରିଷ୍ଠ ବିଜେପି ନେତା ହେଉଛନ୍ତି ସୁଶୀଲ କୁମାର ମୋଦି । ୧୩ ମେ ୨୦୨୪ରେ ତାଙ୍କର ପରଲୋକ ଘଟିଲା । ସେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିବା ସହ ଅର୍ଥମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ସେ କ୍ୟାନସରରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ । ବିହାରରେ ଜେଡିୟୁ ସହ ବିଜେପିର ମେଣ୍ଟରେ ତାଙ୍କର ପ୍ରମୁଖ ଭୁମିକା ଥିଲା ।
୫- ରାମୋଜି ରାଓ
ରାମୋଜି ଫିଲ୍ମ ସିଟି କହିଲେ କେବଳ ଭାରତ ନୁହେଁ ଦେଶ ବାହାରେ ମଧ୍ୟ ଏହାର ପରିଚୟ ରହିଛି । ଆଉ ଏହାର ପ୍ରତିଷ୍ଠାତା ଥିଲେ ରାମୋଜି ରାଓ । ତାଙ୍କର ୮ ଜୁନ୍ ୨୦୨୪ରେ ଦେହାନ୍ତ ହୋଇଥିଲା । ସେତେବେଳକୁ ତାଙ୍କୁ ୮୭ ବର୍ଷ । ଭାରତୀୟ ଚଳଚ୍ଚିତ୍ର ଜଗତ ଏବଂ ଟିଭି ନ୍ୟୁଜ ପରିବେଷଣ କ୍ଷେତ୍ରରେ ଏକ ବିଳ୍ପବ ଆଣିବାରେ ତାଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂଣ୍ଣର୍ଣ୍ଣ ଥିଲା । ତାଙ୍କର ଇଟିଭି ନ୍ୟୁଜ ମଧ୍ୟ ଖବର ଦୁନିଆରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ।
୬- ଉସ୍ତାଦ ଜାକିର ହୁସେନ
ଭାରତର ଖୁବ୍ ଲୋକପ୍ରିୟ ତାବଲା ବାଦକ ହେଲେ ଉସ୍ତାଦ ଜାକିର ହୁସେନ୍ । ଯାହାଙ୍କର ୨୦୨୪ ଡିସେମ୍ବର ୧୫ ତାରିଖରେ ପରଲୋକ ହୋଇଛି । ସାରା ବିଶ୍ବରେ ତାଙ୍କର ନାଁ ରହିଛି । ତାବଲା ବାଦକ ତଥା ଗ୍ଲୋବାଲ ମ୍ୟୁଜିକ୍ ଆଇକନ୍ ବୋଲି ମଧ୍ୟ ତାକୁ ପରିଚୟ ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ । ଏକାଧାରରେ ସେ ଜଣେ ତାବଲା ବାଦକ, କମ୍ପୋଜର, ମ୍ୟୁଜିକ୍ ପ୍ରଡ୍ୟୁସର, ଆକ୍ଟର ଏବଂ ଶିକ୍ଷାବିତ । ସେ ଚାରିଥର ଗ୍ରାମୀ ବିଜେତା ମଧ୍ୟ ରହିସାରିଛନ୍ତି ।
୬-କମଳା ପୂଜାରୀ
ଜୁଲାଇ ୨୦ ତାରିଖରେ ଆରପାରିକୁ ଚାଲିଯାଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସବିରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ସେ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗାଁର ଜଣେ ପଦ୍ମଶ୍ରୀ ସମ୍ମାନିତ ଚାଷୀ । ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରିଥିଲେ ।
୭-ଉସ୍ତାଦ ରସିଦ ଖାନ
ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ମଧ୍ୟ ଏହି ୨୦୨୪ରେ ଆରପାରିକୁ ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ । ସେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ସହିତ ଲଢୁଥିଲେ। ୨୦୨୪ ଜାନୁଆରୀ ୧୨ରେ ତାଙ୍କର ପରଲୋକ ଘଟିଛି । ୧୧ ବର୍ଷ ବୟସରେ ସେ ଷ୍ଟେଜ ସୋ କରିଥିଲେ । ଅନେକ ଫିଲ୍ମ ଗୀତରେ ମଧ୍ୟ ସେ କଣ୍ଠ ଦାନ କରିଛନ୍ତି । 'ଜବ୍ ୱି ମେଟ୍'ରେ ସେ ଗାଇଥିବା ବନ୍ଦିଶ୍ ଗୀତ ବହୁତ ଲୋକପ୍ରିୟ ହୋଇଥିଲା।
୮- ମନୋହର ଜୋସି
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କର ମଧ୍ୟ ୨୦୨୪ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ । ୧୯୯୫ରୁ ୯୯ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ମହାରାଷ୍ଟ୍ରରେ ଶିବସେନା ପ୍ରଥମ ଥର ପାଇଁ କ୍ଷମତାକୁ ଆସିବାପରେ ସେ ହିଁ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ମଧ୍ୟ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଶାସନକାଳରେ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ପରଲୋକ ଖବର ସାରା ଦେଶରେ ଶୋକାର ଛାୟା ଖେଳାଇ ଦେଇଥିଲା।
୯- ସମୀର ଦେ
ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା ପୂବର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପରଲୋକ ମଧ୍ୟ ୨୦୨୪ରେ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ । ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ବାଲିଯାତ୍ରାରେ ଗୋଟିଏ ଦିନ ସାସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା । ସେ ନିମୋନିଆ, କିଡ୍ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ସେ ଲଗାତର ଭାବ ୩ ଥର କଟକରୁ ବିଧାୟକ ନିର୍ବାଚିତ ହୋଇଥିଲେ ।
୧୦- ମନମୋହନ ସିଂ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂ ଡିସେମ୍ବର ୨୬ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ସ୍ଥିତ ଏମ୍ସରେ ମନମୋହନ ସିଂହଙ୍କ ପରଲୋକ ହୋଇଛି । ୯୨ ବର୍ଷରେ ସେ ଦୂନିଆରୁ ବିଦାୟ ନେଇଛନ୍ତି । ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ। ଏହାସହ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ।