ମହିଳାଙ୍କ ମାଗଣା ବସ୍ ସିଟକୁ ନେଇ ପ୍ରଶ୍ନ କଲେ ଯାତ୍ରୀ, ଭାଇରାଲ ହେଲା ପୋଷ୍ଟ

ଅର୍ଗସ ବ୍ୟୁରୋ : ବସ୍ରେ ମହିଳାଙ୍କ ମାଗଣା ସିଟ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଙ୍ଗାଲୁରର ଜଣେ ପୁରୁଷ ଯାତ୍ରୀ କିରନ କୁମାର। ସେ ବସ୍ରେ ଯାତ୍ରା କରୁଥିବା ବେଳେ ନିଜର ଏକ ଫଟୋ ପୋଷ୍ଟ କରି ମହିଳାଙ୍କୁ ମିଳିଥିବା ମାଗଣା ସିଟ୍ ଉପରେ ବତର୍କ କରିବା ଭଳି ଲେଖିଛନ୍ତି । ଯାହାକୁ ନେଇ ଅନେକ ୟୁଜର୍ସ ତାଙ୍କ ସପୋର୍ଟରେ ଲେଖିଥିବା ବେଳେ ଆଉ କିଛିଜଣ ତାଙ୍କ ବିପକ୍ଷରେ ମଧ୍ୟ ଲେଖିଛନ୍ତି ।
କିରନ ମଏଶୂରରୁ ବାଙ୍ଗାଲୁରକୁ ଯାତ୍ରା କରୁଥିଲେ । ଏହି ସମୟରେ ନିଜର ଅଭିଜ୍ଞତାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି , ସେ ଯେଉଁ ବସ୍ରେ ଆସୁଥିଲେ ସେ ବସ୍ ରେ ସମୁଦାୟ ୫୦ ଜଣ ଯାତ୍ରୀ ଥିଲେ । ସେଥିରୁ ମହିଳା ୩୦ ଏବଂ ପୁରୁଷ ୨୦ ଜଣ ଥିଲେ । ସେହି ୩୦ଜଣ ମହିଳା ନିଜର ଆଧାର କାର୍ଡ ଦେଖାଇ ମାଗଣାରେ ଯାତ୍ରା କରୁଥିଲେ । ଏବଂ ସେହି ୨୦ ଜଣ ପୁରୁଷ ସମୁଦାୟ ବସର ଭଡା ଦେଉଥିଲେ । ଏବଂ ଏପରି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଥିଲା, ଯେ ଜଣେ ବୃଦ୍ଧ ଲୋକ ଟଙ୍କା ଦେବାକୁ ଅକ୍ଷମ ଥିଲେ ମଧ୍ୟ ସେ କଷ୍ଟ କରି ନିଜର ଭଡା ଦେଉଥିବା ବେଳେ ଜଣେ ଧନୀ ମହିଳା ଭିଡିଓ କଲରେ ଖୁସିରେ କଥା ହୋଇ ଯାଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାରଙ୍କ ପାଖରେ ଏତେମାତ୍ରାରେ ବଳକା ଅର୍ଥ ଅଛି, ତେବେ କେବଳ ମହିଳା କାହିଁକି , ପୁରୁଷମାନଙ୍କ ପାଇଁ ମଧ୍ୟ ମାଗଣା ବସ୍ ସେବା ଦିଆଯାଉ । ଅନ୍ୟ ଦେଶରେ ଏହି ସୁବିଧା ଗରିବଶ୍ରେଣୀର ଲୋକଙ୍କ ପାଇଁ ଲାଗୁ କରାଯାଉଥିବା ବେଳେ ଭାରତରେ କେବଳ ଏହା ମହିଳାମାନଙ୍କ କ୍ଷେତ୍ରରେ ଲାଗୁ କରାଯାଏ ।
ଯଦି ସରକାରଙ୍କ ପାଖରେ ପ୍ରକୃତରେ ଅଧିକ ଅର୍ଥ ଅଛି, ତେବେ ଏହାକୁ ସହରର ଅଳିଆ ସଫା କରିବା, ଚାଷୀଙ୍କୁ ଜଳ ଯୋଗାଇବା କାର୍ଯ୍ୟରେ ଲଗାଇପାରିବେ ।
କିରନଙ୍କ ଏପରି ଟ୍ବିଟକୁ ଅନେକ ୟୁଜର୍ସ ସପୋର୍ଟ କରିଛନ୍ତି । ଜଣେ ଲେଖିଛନ୍ତି, ଏହା ପ୍ରକୃତରେ ସତ । ଯେଉଁଠି ବର୍ତ୍ତମାନ ମହିଳାମାନେ ଅନେକ ପ୍ରକାର ସୁବିଧା ପାଉଥିବା ବେଳେ ପୁରୁଷମାନେ କିଛିମାତ୍ରାରେ ଅବହେଳିତ ହେଉଛନ୍ତି । କିରନଙ୍କ ଏହି ଟ୍ବିଟପରେ ବାଙ୍ଗାଲୁର ସହରରେ ଏହା ଏକପ୍ରକାର ଚର୍ଚ୍ଚାର ବିଷୟ ପାଲଟିଛି ।