ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡରେ ଆୟୋଜିତ ହେଉଛି ରୌପ୍ୟ ଜୟନ୍ତୀ ସଂସ୍କରଣ
୧୭ ଦିନରେ ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଟିତ ହେବ
ଅର୍ଗସ ବ୍ୟୁରୋ : ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ। ଚଳିତ ଥର ଏହି ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସଂସ୍କରଣ ଉତ୍ତରାଖଣ୍ଡରେ ଆୟୋଜିତ ହେଉଛି ଏବଂ ଜାନୁଆରୀ ୨୮ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ। ୩୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏହି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି। ୧୭ ଦିନ ଧରି ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ୩୩ଟି କ୍ରୀଡ଼ା ପାଇଁ ପଦକ ପ୍ରଦାନ କରାଯିବ ଏବଂ ଦୁଇଟି ପ୍ରଦର୍ଶନୀ କ୍ରୀଡ଼ା ହେବ। ଯୋଗ ଏବଂ ମଲ୍ଲଖମ୍ବକୁ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହିତ ମହାରାଣା ପ୍ରତାପ ସ୍ପୋର୍ଟସ ଷ୍ଟାଡିଅମରେ ପହଞ୍ଚିଥିଲେ। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଏଲଜି ଗୁରମିତ ସିଂହ ପିଏମ ମୋଦିଙ୍କୁ ସମ୍ମାନିତ କରିଥିଲେ। ଏହାପରେ ଲେଜର ଲାଇଟ ଶୋ ଏବଂ ନାଚଗୀତରେ କମ୍ପିଥିଲା ଷ୍ଟାଡିଅମ।
ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ବିଷୟବସ୍ତୁ ‘‘ସବୁଜ କ୍ରୀଡ଼ା’’ ରଖାଯାଇଛି। ଏହି ସ୍ଥାନ ନିକଟରେ ଏକ ସ୍ବତନ୍ତ୍ର ପାର୍କ ସ୍ପୋର୍ଟସ୍ ଫରେଷ୍ଟର ନିର୍ମାଣ କରାଯିବ। କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଛି।